
ଅଗରତଲା, ୮ ଜାନୁଆରୀ (ହି.ସ.)- ଉତର ତ୍ରିପୁରା ପୋଲିସ ଏବଂ ଉତର ତ୍ରିପୁରା ଜିଏସଟି ଏନଫୋର୍ସମେଂଟ ଶାଖାର ମିଳିତ ଅଭିଯାନ କ୍ରମେ ବୁଧବାର ସନ୍ଧ୍ୟାରେ ଚୁରାଇବାଡି ବିକ୍ରୟ ଟିକସ ଗେଟରେ ବିପୁଳ ପରିମାଣର କୋଡିନ୍-ଭିତିକ କଫ ସିରପ ଜବତ କରାଯାଇଛି ।
ତ୍ରିପୁରା ପୋଲିସ ଗୁରୁବାର କହିଛି ଯେ, ଗୁପ୍ତ ସୂଚନା ଆଧାରରେ, ଟିମ୍ ବୁଧବାର ସନ୍ଧ୍ୟାରେ ବେଆଇନ ସାମଗ୍ରୀ ପରିବହନ କରୁଥିବା ସନ୍ଦେହରେ ଏକ ଟ୍ରକ୍ ନମ୍ବର ଡବ୍ଲୁବି-୫୩ଏମ-୮୫୯୬)କୁ ଅଟକାଇଥିଲା । ଗାଡ଼ିକୁ ଯାଂଚ୍ ସମୟରେ କୋଡିନ୍-ଭିତିକ କଫ ସିରପ, ଏସ୍କୋଫ୍ ର ୧୨,୬୦୦ ବୋତଲ ଥିବା ଜଣାପଡ଼ିଥିଲା । ଜବତ ସାମଗ୍ରୀ କଳା ବଜାରରେ ୧.୨୬ କୋଟି ଟଙ୍କା ମୂଲ୍ୟ ହେବ ।
ପଶ୍ଚିମ ବଙ୍ଗର ମୁର୍ଶିଦାବାଦର ବାସିନ୍ଦା ଟ୍ରକ୍ ଡ୍ରାଇଭର ପଞ୍ଜାବ ଶେଖ୍ ଏବଂ ହେଲପର ବାସେଦ୍ ଶେଖ୍ ଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି । ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ଡ୍ରାଇଭର ବିରୁଦ୍ଧରେ ଏନଡିପିଏସ ମାମଲା ରୁଜୁ କରାଯାଇଛି ।
ପୋଲିସ କହିଛି ଯେ, ଧରାନପଡ଼ିବା ପାଇଁ ଓଆରଏସଏଲ ପ୍ୟାକେଟ୍ ର ବ୍ୟବହାର କରି ଲୁଚାଇ ରଖାଯାଇଥିଲା, ଯାହା ସୀମାନ୍ତ ଚେକପୋଷ୍ଟ ଦେଇ ଚୋରା ଚାଲାଣ କରିବାକୁ ଏକ ଉଦ୍ଦେଶ୍ୟମୂଳକ ପ୍ରୟାସକୁ ସୂଚାଇ ଦେଉଛି ।
ଅଭିଯୁକ୍ତଙ୍କ ବିରୁଦ୍ଧରେ ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟନ୍ସ (ଏନଡିପିଏସ) ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ପଠାଉଥିବା ବ୍ୟକ୍ତି ଏବଂ ଉଦ୍ଦିଷ୍ଟ ଗନ୍ତବ୍ୟସ୍ଥଳ ଚିହ୍ନଟ ପାଇଁ ତଦନ୍ତ ଚାଲିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ