
ଭୁବନେଶ୍ୱର, ୧୪ ଅକ୍ଟୋବର (ହି.ସ)- ବଜ୍ରପାତଜନିତ ମୃତ୍ୟୁ ଓ କ୍ଷୟକ୍ଷତି ହ୍ରାସ କରିବା ନିମନ୍ତେ ବୈଜ୍ଞାନିକ, ବୈଷୟିକ ତଥା ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ଲକ୍ଷ୍ୟରେ ଆସନ୍ତା ୧୫ ଓ ୧୬ ଅକ୍ଟୋବର ଦୁଇଦିନ ଧରି ଭୁବନେଶ୍ୱରଠାରେ ଏକ ଜାତୀୟ ବଜ୍ରପାତ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହେବ। ଏହି କର୍ମଶାଳାର ଉଦ୍ଘାଟନୀ ସମାରୋହରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଯୋଗଦାନ କରିବେ।
ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ(ଓସଡମା)ଙ୍କ ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ ଜାତୀୟ କର୍ମଶାଳାରେ ଦେଶର ପ୍ରମୁଖ ବୈଜ୍ଞାନିକ ଓ ବୈଷୟିକ ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ବିପର୍ଯ୍ୟୟ ପରିଚାଳନା ସଂସ୍ଥା, ଗବେଷକ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେବେ। ବଜ୍ରପାତର ପୂର୍ବାନୁମାନ, ବିପଦ ଆକଳନ, ଆଗୁଆ ସତର୍କ ସୂଚନାର ପ୍ରସାର ଏବଂ ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ।
ବିଶେଷକରି କୃଷକ, କୃଷି ଶ୍ରମିକ, ବାହାରେ ଖୋଲା ସ୍ଥାନରେ କାର୍ଯ୍ୟ କରୁଥିବା ଶ୍ରମଜୀବୀ, ଛାତ୍ରଛାତ୍ରୀ ଏବଂ ବିପଦପ୍ରବଣ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କ ଜୀବନ ସୁରକ୍ଷା ନିମନ୍ତେ ବୈଜ୍ଞାନିକ ଜ୍ଞାନ ଓ ଆଧୁନିକ ବୈଷୟିକ ପ୍ରଗତିକୁ କିପରି ବ୍ୟାବହାରିକ ପଦକ୍ଷେପରେ ପରିଣତ କରାଯାଇପାରିବ, ତାହା ଉପରେ ଏହି କର୍ମଶାଳାରେ ବିଶେଷ ଗୁରୁତ୍ୱ ଦିଆଯିବ।
କର୍ମଶାଳାର ପ୍ରଥମ ଦିନରେ ଉପଗ୍ରହ ତଥ୍ୟର ସମନ୍ୱୟ, ସଂଖ୍ୟାତ୍ମକ ପାଣିପାଗ ପୂର୍ବାନୁମାନ, କୃତ୍ରିମ ବୁଦ୍ଧିମତା ଓ ମେସିନ୍ ଲର୍ଣ୍ଣିଂ ର ନୂତନ ପ୍ରୟୋଗ ଏବଂ ପଂଚାୟତସ୍ତରୀୟ ନିଷ୍ପତି ସହାୟକ ବ୍ୟବସ୍ଥା ମାଧ୍ୟମରେ ବଜ୍ରପାତ ଚିହ୍ନଟ, ନିରୀକ୍ଷଣ ଓ ପୂର୍ବାନୁମାନ ବ୍ୟବସ୍ଥାର ଉନ୍ନତି ଉପରେ ଆଲୋଚନା କରାଯିବ।
ଏହି ଅଧିବେଶନରେ ଭାରତୀୟ ପାଣିପାଗ ବିଭାଗ, ଭାରତୀୟ ଟ୍ରପିକାଲ୍ ମେଟିଓରୋଲୋଜି ପ୍ରତିଷ୍ଠାନ, ଜାତୀୟ ରିମୋଟ୍ ସେନ୍ସିଂ କେନ୍ଦ୍ର , ଜାତୀୟ ଭୂବିଜ୍ଞାନ ଅଧ୍ୟୟନ କେନ୍ଦ୍ର , ଜାତୀୟ ମଧ୍ୟମ ଅବଧି ପାଣିପାଗ ପୂର୍ବାନୁମାନ କେନ୍ଦ୍ର ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥା, ଭୁବନେଶ୍ୱର , ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଜାତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥା, ପାଟନା, କାଉନ୍ସିଲ୍ ଅନ୍ ଏନର୍ଜି, ଏନ୍ଭାଇରନ୍ମେଂଟ ଆଣ୍ଡ ୱାଟ,ର୍ ସେଂଟ୍ରାଲ୍ ୟୁନିଭର୍ସିଟି ଅଫ୍ ଝାଡ଼ଖଣ୍ଡ, ସିଏସଆଇଆର ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡାଟା ସାଇନ୍ସ ଆଣ୍ଡ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ତ୍ରିପୁରା ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଶିକ୍ଷା ‘ଓ’ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, କ୍ଲାଇମେଟ୍ ରେଜିଲିଏଂଟ ଅବଜର୍ଭିଂ ସିଷ୍ଟମ୍ସ ପ୍ରମୋସନ୍ କାଉନ୍ସିଲ୍ ଏବଂ କେପ୍ ଇଲେକ୍ଟ୍ରିକ୍ ର ବିଶେଷଜ୍ଞମାନେ ନିଜର ଜ୍ଞାନ ଓ ଅଭିଜ୍ଞତା ବାଂଟିବେ। ବଜ୍ରପାତର ପୂର୍ବାନୁମାନର ସଠିକତା ବୃଦ୍ଧି, ଆଗୁଆ ସତର୍କ ସୂଚନା ପ୍ରଦାନ ପାଇଁ ଉପଲବ୍ଧ ସମୟ ବୃଦ୍ଧି ଏବଂ ସ୍ଥାନୀୟ ସ୍ତରରେ ନିଷ୍ପତି ଗ୍ରହଣ ପାଇଁ ବୈଜ୍ଞାନିକ ତଥ୍ୟର ଉପଯୋଗ ଉପରେ ଏହି ଅଧିବେଶନଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ।
କର୍ମଶାଳାର ଦ୍ୱିତୀୟ ଦିନରେ ବଜ୍ରପାତଜନିତ ମୃତ୍ୟୁ ଓ ଆହତ ହେବା ଘଟଣାକୁ ରୋକିବା ପାଇଁ ବ୍ୟାବହାରିକ ପଦକ୍ଷେପ ଉପରେ ଆଲୋଚନା କରାଯିବ। ଏଥିରେ ଓଡ଼ିଶା ପାଇଁ ବଜ୍ରପାତ ବିପଦ ହ୍ରାସ ରୋଡ୍ମ୍ୟାପ୍ ପ୍ରସ୍ତୁତି, ବଜ୍ରପାତପ୍ରବଣ ହଟ୍?ସ୍ପଟ୍ ଚିହ୍ନଟ ଓ ମାନଚିତ୍ର ପ୍ରସ୍ତୁତିର ପ୍ରାଥମିକତା, ବିପଦ ମାନଚିତ୍ରଣ ପଦ୍ଧତି, କୃଷକମାନଙ୍କ ପାଇଁ ବିପଦ ଆକଳନ, ବଜ୍ରପାତରୁ ସୁରକ୍ଷା ସମ୍ପର୍କିତ ମାନଦଣ୍ଡ, ସ୍ୱଳ୍ପ ବ୍ୟୟରେ ବଜ୍ରପାତ ସୁରକ୍ଷା ଆଶ୍ରୟସ୍ଥଳୀ ନିର୍ମାଣ ଏବଂ ବଜ୍ରପାତରେ ଆହତ ବ୍ୟକ୍ତିଙ୍କ ପାଇଁ ଜରୁରୀକାଳୀନ ପରିଚାଳନା ଆଦି ବିଷୟ ସ୍ଥାନ ପାଇବ।
ଏହି କର୍ମଶାଳାରେ ବିଶେଷଜ୍ଞ ଓ ସରକାରୀ ପ୍ରତିନିଧିମାନେ ଏକତ୍ରିତ ହୋଇ ବଜ୍ରପାତ ସୁରକ୍ଷା ପାଇଁ ଏକ ମାନକ ପରିଚାଳନା ପ୍ରକ୍ରିୟା ଖସଡ଼ା ଏବଂ ୨୦୨୭ ମସିହା ପାଇଁ ଏକ ପ୍ରସ୍ତାବିତ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ଦିଗରେ ଆଲୋଚନା କରିବେ। ଏଥିରେ ସତର୍କ ସୂଚନାର ବିଭିନ୍ନ ସ୍ତର ନିର୍ଦ୍ଧାରଣ, ବିଭିନ୍ନ ବିଭାଗ ଓ ପ୍ରଶାସନିକ ସ୍ତରର ଦାୟିତ୍ୱ ଚିହ୍ନଟ, ଜରୁରୀକାଳୀନ ପ୍ରତିକ୍ରିୟା ପ୍ରକ୍ରିୟା ସ୍ଥିର କରିବା ଏବଂ କାର୍ଯ୍ୟାନ୍ୱୟନର ଅଗ୍ରଗତି ଅନୁଧ୍ୟାନ ପାଇଁ ମାନକ ସୂଚକ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯିବ।
ଏହି କର୍ମଶାଳାରୁ ମୁଖ୍ୟ ଫଳାଫଳ ଭାବେ “ବଜ୍ରପାତ ସୁରକ୍ଷିତ ଓଡ଼ିଶା : ୨୦୨୭ କାର୍ଯ୍ୟଯୋଜନା ଏବଂ ୨୦୨୭–୨୦୩୦ ରୋଡ୍ମ୍ୟାପ୍” ପ୍ରସ୍ତୁତ ହେବା ନେଇ ଆଶା କରାଯାଉଛି। ଏହି ପ୍ରସ୍ତାବିତ ରୋଡ୍ମ୍ୟାପ୍ ରେ ବଜ୍ରପାତର ପୂର୍ବାନୁମାନ, ବିପଦପ୍ରବଣତା ହ୍ରାସ, ଜନସଚେତନତା, ଆଗୁଆ ସତର୍କ ସୂଚନାର ପ୍ରସାର ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ଆଦି କ୍ଷେତ୍ରରେ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ସୁସ୍ପଷ୍ଟ ରୂପରେଖ ପ୍ରସ୍ତୁତ ହେବ।
ଏହି କର୍ମଶାଳା ମାଧ୍ୟମରେ ଓଡ଼ିଶାରେ ବୈଜ୍ଞାନିକ ଗବେଷଣା, ସରକାରୀ ଯୋଜନା ପ୍ରସ୍ତୁତି ଏବଂ ସମୁଦାୟସ୍ତରୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ସହ ବଜ୍ରପାତଜନିତ ଅକାଳ ମୃତ୍ୟୁକୁ ରୋକିବା ଏବଂ ବଜ୍ରପାତ ବିପଦରୁ ଜନସାଧାରଣଙ୍କୁ ଅଧିକ ସୁରକ୍ଷିତ ରଖିବା ଦିଗରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବ। ପ୍ରକାଶ ଥାଉ କି, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ପ୍ରକାର ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ନିରନ୍ତର ପ୍ରୟାସରତ ଅଛନ୍ତି
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା