ମହାନଦୀ ସେତୁକୁ ଯୋଡ଼ିପାରୁନି ରାସ୍ତା! ୫ ବର୍ଷ ପରେ ବି ତୁଟୁନି ଜମି ବିବାଦ, ଦୁଇ ଜିଲ୍ଲାବାସୀ ହନ୍ତସନ୍ତ
The road leading to the Mahanadi Bridge is not properly connected.”
ମହାନଦୀ ସେତୁକୁ ଯୋଡ଼ିପାରୁନି ରାସ୍ତା! ୫ ବର୍ଷ ପରେ ବି ତୁଟୁନି ଜମି ବିବାଦ, ଦୁଇ ଜିଲ୍ଲାବାସୀ ହନ୍ତସନ୍ତ


କଣ୍ଢେଇକେଳା ଦୁଇ ସ୍ଥାନରେ ଅଟକିଛି ରାସ୍ତା ନିର୍ମାଣ | ବର୍ଷା ହେଲେ ଦୁର୍ଘଟଣା ଭୟ | ଜିଲ୍ଲାପାଳଙ୍କ ଉଦ୍ୟମ ବି ବିଫଳ, ଅଧାପନ୍ତରିଆ ରାସ୍ତାକୁ ନେଇ ବଢ଼ୁଛି ଅସନ୍ତୋଷ

ଝାରସୁଗୁଡା, 24 ଅକ୍ଟୋବର (ହି.ସ.): ଦୀର୍ଘ ଦଶନ୍ଧିର ଦାବି ପରେ ମହାନଦୀ ଉପରେ ନିର୍ମିତ ସେତୁ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ଯୋଡ଼ିଲା। ହେଲେ ସେତୁ ଉଦ୍ଘାଟନର ପାଞ୍ଚ ବର୍ଷ ପରେ ବି ଏହାକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ଅଧାରେ ଅଟକିଛି। ରାସ୍ତାର ମାତ୍ର ଦୁଇଟି ସ୍ଥାନରେ ଜମି ମାଲିକାନାକୁ ନେଇ ଲାଗି ରହିଥିବା ବିବାଦ ଏବେ ସୀମାନ୍ତ ଅଞ୍ଚଳବାସୀଙ୍କ ଯାତାୟାତ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ପ୍ରଶାସନର ଉଦ୍ୟମ ସତ୍ତ୍ୱେ ସମାଧାନର ବାଟ ଫିଟୁନଥିବାରୁ ଅଞ୍ଚଳବାସୀଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଝାରସୁଗୁଡ଼ା ଜିଲ୍ଲାର ମହୁଲପାଲି ନିକଟରେ ମହାନଦୀ ଉପରେ ନିର୍ମିତ ସେତୁ ୨୦୨୧ ମସିହାରେ ଉଦ୍ଘାଟିତ ହୋଇଥିଲା। ଏହି ସେତୁ ମହୁଲପାଲିକୁ ବରଗଡ଼ ଜିଲ୍ଲାର ଚିଖିଲି ସହ ସଂଯୋଗ କରିବା ସହ ଲଖନପୁର ଓ ଅମ୍ବାଭୋନା ବ୍ଲକ୍ ମଧ୍ୟରେ ଯାତାୟାତକୁ ସହଜ କରିବାର ଆଶା ସୃଷ୍ଟି କରିଥିଲା। ମାତ୍ର ସେତୁକୁ ସଂଯୋଗ କରୁଥିବା ମହୁଲପାଲି-କନକତୋରା ରାସ୍ତାର କଣ୍ଢେଇକେଳା ମୌଜା ନିକଟରେ ଦୁଇଟି ସ୍ଥାନରେ ଜମି ବିବାଦ ଯୋଗୁଁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ।

ରାସ୍ତାର ଏହି ଦୁଇଟି ସ୍ଥାନରେ ପ୍ରାୟ ଶହେ ମିଟର ଲେଖାଏଁ ଅଂଶରେ ପିଚୁ କାମ ହୋଇପାରୁନାହିଁ। ଜମିର ମାଲିକାନାକୁ ନେଇ ବିବାଦ ଜଟିଳ ହେଉଥିବାରୁ ନିର୍ମାଣ ଦାୟିତ୍ୱ ନେଇଥିବା ଦୁଇ ଠିକାଦାର ମଧ୍ୟ କାମ କରିବାକୁ ଆଗ୍ରହ ଦେଖାଉନଥିବା ଜଣାପଡ଼ିଛି। ଫଳରେ ଅନ୍ୟ ଅଂଶରେ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ଏହି ଦୁଇଟି ସ୍ଥାନ ଯାତାୟାତରେ ବାଧକ ସାଜିଛି।

ବର୍ଷା ଦିନେ ଏହି ରାସ୍ତାର ଅବସ୍ଥା ଅଧିକ ଶୋଚନୀୟ ହୋଇପଡ଼ୁଛି। କାଦୁଅ ଓ ଖାଲଖମା ଯୋଗୁଁ ଦୁଇଚକିଆ ଯାନରେ ଯାତାୟାତ କରୁଥିବା ଲୋକେ ବାରମ୍ବାର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ପରିସ୍ଥିତିକୁ ଦେଖି ଗତ ବର୍ଷା ଋତୁରେ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଭାବେ କ୍ରସର ଗୁଣ୍ଡ ପକାଯାଇଥିଲା। ହେଲେ ଏହା ସ୍ଥାୟୀ ସମାଧାନ ହୋଇପାରିନାହିଁ।

ବିବାଦୀୟ ଦୁଇଟି ସ୍ଥାନର ଜମି ଏକାଧିକ ପ୍ଲଟ୍ରେ ରହିଛି। ସରକାରଙ୍କ କଲମ୍-୨ ପ୍ରକ୍ରିୟା ପରେ ଜମିର ମାଲିକାନା ସଂଖ୍ୟା ବୃଦ୍ଧି ପାଇଥିବାରୁ ସମସ୍ୟା ଆହୁରି ଜଟିଳ ହୋଇଛି। କେତେକ ଜମି ମାଲିକ କ୍ଷତିପୂରଣ ପାଇସାରିଥିଲେ ମଧ୍ୟ ଅନ୍ୟ ମାଲିକମାନଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିନାହିଁ।

ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ଜମି ମାଲିକମାନେ ଆଲୋଚନାକୁ ନ ଆସିବାରୁ ପ୍ରକ୍ରିୟା ଅଟକି ରହିଛି। ଏପରିକି ପୁଲିସ ଫୋର୍ସ ମୁତୟନ କରି ରାସ୍ତା ନିର୍ମାଣ କରିବାକୁ ପ୍ରଶାସନ ପଦକ୍ଷେପ ନେଇଥିଲେ ମଧ୍ୟ ଠିକାଦାରମାନେ ବିବାଦୀୟ ଜମିରେ କାମ କରିବାକୁ ପଛଘୁଞ୍ଚା ଦେଉଥିବା କୁହାଯାଉଛି।

ସମସ୍ୟାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଳ ମୋତିରାମ ଚନ୍ଦ୍ରଣ ଘଟଣାସ୍ଥଳ ପରିଦର୍ଶନ କରିବା ସହ କ୍ଷତିଗ୍ରସ୍ତ ଜମି ମାଲିକଙ୍କ ସହ ଆଲୋଚନା କରିଥିଲେ। ଗତ ୨୮ ତାରିଖରେ ମଧ୍ୟ ଜମି ମାଲିକମାନଙ୍କୁ ଡକାଯାଇଥିଲେ ହେଁ କେହି ଉପସ୍ଥିତ ହୋଇନଥିବା ଜଣାପଡ଼ିଛି। ଫଳରେ ସମାଧାନ ପ୍ରକ୍ରିୟା ପୁଣି ଅଟକି ଯାଇଛି।

ଏକପଟେ ସେତୁ ନିର୍ମାଣ ଦ୍ୱାରା ଦୁଇ ଜିଲ୍ଲା ମଧ୍ୟରେ ଯୋଗାଯୋଗର ନୂଆ ସମ୍ଭାବନା ସୃଷ୍ଟି ହୋଇଥିବାବେଳେ ଅନ୍ୟପଟେ ସଂଯୋଗୀକରଣ ରାସ୍ତାର ଦୁଇଟି ଅଂଶ ଏବେ ବି ଅବହେଳିତ ହୋଇ ରହିଛି। ଜମି ବିବାଦର ସ୍ଥାୟୀ ସମାଧାନ କରି ରାସ୍ତା ନିର୍ମାଣ ଶେଷ କରିବା ସହ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି। ନଚେତ୍ କୋଟି କୋଟି ଟଙ୍କାରେ ନିର୍ମିତ ସେତୁର ପୂର୍ଣ୍ଣ ସୁଫଳ ଲୋକଙ୍କ ପାଖରେ ପହଞ୍ଚିବା ନେଇ ପ୍ରଶ୍ନ ଉଠୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande