
କଳାକାରମାନଙ୍କୁ ମାଦଳ, ନଗଡ଼ା ଓ ଶାଢ଼ୀ ବଣ୍ଟନ; ୬୦୦ରୁ ଊର୍ଦ୍ଧ୍ୱ ଜନସାଧାରଣ ଉପସ୍ଥିତ
ଝାରସୁଗୁଡ଼ା, 25 ଅକ୍ଟୋବର (ହି.ସ.): ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ଠିଠେଇମାଲ ଠାରେ ବ୍ଲକସ୍ତରୀୟ ସାଂସ୍କୃତିକ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ଶୁଭାରମ୍ଭ କରିଥିଲେ। ଏହି ମହୋତ୍ସବରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସିଡିଓ ତଥା ଇଓ ବିଶ୍ୱରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ଏସଡିସି ଅଧ୍ୟକ୍ଷ ସାମଲ ନାଏକ, ଏସଡିସି ଉପାଧ୍ଯକ୍ଷ ସଂଯୁକ୍ତା ଓରାମ ଏବଂ ଲଇକେରା ବିଡ଼ିଓ ଜର୍ଜ ଡୁଙ୍ଗଡୁଙ୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ। ସ୍ଥାନୀୟ କଳା ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଉତ୍ସବରେ ପ୍ରାୟ ୬୦୦ରୁ ଅଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ। ଏହି ମହୋତ୍ସବ ଆମ ଅଞ୍ଚଳର ସମୃଦ୍ଧ କଳା, ସଂସ୍କୃତି, ପରମ୍ପରା ଓ ଲୋକକଳାର ଅନନ୍ୟ ପ୍ରତିଫଳନ। ଏଭଳି ଆୟୋଜନ ଆମ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ସହିତ ସ୍ଥାନୀୟ କଳାକାରମାନଙ୍କ ପ୍ରତିଭାର ବିକାଶ ଏବଂ ନୂତନ ପିଢ଼ି ମଧ୍ୟରେ ପରମ୍ପରା ପ୍ରତି ଆଗ୍ରହ ଓ ଆତ୍ମୀୟତା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆମର ଏହି ଗୌରବମୟ ସାଂସ୍କୃତିକ ପରମ୍ପରାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ସହ କଳା ଓ ସଂସ୍କୃତିର ସର୍ବାଙ୍ଗୀଣ ବିକାଶ ଦିଗରେ ଏପରି ମହୋତ୍ସବ ସର୍ବଦା ପ୍ରେରଣା ଯୋଗାଇବ।
କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସାଂସ୍କୃତିକ ଦଳ ତଥା ସ୍ଥାନୀୟ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମାନ୍ୟବର ବିଧାୟକଙ୍କ ଦ୍ୱାରା ପାରମ୍ପରିକ ବାଦ୍ୟଯନ୍ତ୍ର ଯଥା ମାଦଳ, ନଗଡ଼ା ଏବଂ ଶାଢ଼ୀ ବଣ୍ଟନ କରାଯାଇଥିଲା। ପରିଶେଷରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ