ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡରେ ୨.୬୦ କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗ, ବରିଷ୍ଠ ସହାୟକ ଗିରଫ
ଭୁବନେଶ୍ୱର, 25 ଅକ୍ଟୋବର (ହି.ସ.) : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡରେ ମିଥ୍ୟା ବିଲ୍ ପ୍ରସ୍ତୁତ କରି ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଜଣେ ବରିଷ୍ଠ ସହାୟକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟର ପ
ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡରେ ୨.୬୦ କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗ, ବରିଷ୍ଠ ସହାୟକ ଗିରଫ


ଭୁବନେଶ୍ୱର, 25 ଅକ୍ଟୋବର (ହି.ସ.) : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡରେ ମିଥ୍ୟା ବିଲ୍ ପ୍ରସ୍ତୁତ କରି ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଜଣେ ବରିଷ୍ଠ ସହାୟକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସହାୟକ ବବୁଲୁ ସୁନା। ତାଙ୍କ ବିରୋଧରେ ୨ କୋଟି ୬୦ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଛି।

ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୨୩ ମସିହାରୁ ଅଭିଯୁକ୍ତ ଜଣକ ମୋଡିଫାଏଡ୍ ଆସ୍ୟୁର୍ଡ କ୍ୟାରିୟର ପ୍ରୋଗ୍ରେସନ୍ ଏବଂ ରିଭାଇଜ୍‌ଡ ଆସ୍ୟୁର୍ଡ କ୍ୟାରିୟର ପ୍ରୋଗ୍ରେସନ୍ ଯୋଜନା ଅଧୀନରେ ମିଥ୍ୟା ବକେୟା ବିଲ୍ ପ୍ରସ୍ତୁତ କରି ଏହି ଅର୍ଥ ହେରଫେର କରିଥିଲେ। ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ବିସ୍ତୃତ ଯାଞ୍ଚ କରାଯାଇଥିଲା।

ତଦନ୍ତରୁ ଜଣାପଡ଼ିଥିବା ଅନୁଯାୟୀ, ଅଭିଯୁକ୍ତ ଜଣକ ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ସମେତ ପୂର୍ବତନ କର୍ମଚାରୀଙ୍କ ନାମ ଓ ପରିଚୟ ବ୍ୟବହାର କରି ମିଥ୍ୟା ବିଲ୍ ପ୍ରସ୍ତୁତ କରିଥିଲେ। ଏହି ବିଲ୍ ମାଧ୍ୟମରେ ସରକାରୀ ଅର୍ଥକୁ ତାଙ୍କ ପତ୍ନୀ, ଭାଇ, ଭଉଣୀ ଏବଂ ଅନ୍ୟ ଦୁଇ ଜଣ ଘନିଷ୍ଠ ସହଯୋଗୀଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ପଠାଯାଇଥିବା ଅଭିଯୋଗ ହୋଇଛି।

ଏହାବ୍ୟତୀତ, ଅଭିଯୁକ୍ତ ନିଜର ଦରମା ବୃଦ୍ଧି ସମ୍ପର୍କିତ ସରକାରୀ ରେକର୍ଡରେ ହେରଫେର କରି ନିୟମ ଅନୁଯାୟୀ ପ୍ରାପ୍ୟଠାରୁ ଅଧିକ ଦରମା ନେଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି। ଏହିପରି ଭାବେ ସେ ଅତିରିକ୍ତ ୧୦ ଲକ୍ଷ ୫୮ ହଜାର ଟଙ୍କାରୁ ଅଧିକ ଦରମା ଉଠାଇଥିବା ଅଭିଯୋଗ ହୋଇଛି। ସମୁଦାୟ ହେରଫେର ପରିମାଣ ୨ କୋଟି ୬୦ ଲକ୍ଷ ୨୧ ହଜାର ୩୦୬ ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଗତ ଛଅ ମାସ ଧରି ଫେରାର ଥିବା ବବୁଲୁ ସୁନାଙ୍କୁ ଭିଜିଲାନ୍ସ ଗତ ରାତିରେ ବଲାଙ୍ଗୀରରୁ ଧରିଥିଲା। ତାଙ୍କୁ ଭବାନୀପାଟଣାସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯିବା ପାଇଁ ପଠାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande