
ଅକ୍ଟୋବର ୨୬ରୁ ୩୧ ପର୍ଯ୍ୟନ୍ତ ଛୁଟି ବାତିଲ, ମୁଖ୍ୟାଳୟ ନଛାଡ଼ିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, 25 ଅକ୍ଟୋବର (ହି.ସ.) ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏଥିସହ ବିନା ଅନୁମତିରେ ମୁଖ୍ୟାଳୟ ନଛାଡ଼ିବାକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ, ଆସନ୍ତା ଅକ୍ଟୋବର ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ରହିବ। ପୂର୍ବରୁ ଛୁଟି ନେଇଥିବା କିମ୍ବା ମୁଖ୍ୟାଳୟ ଛାଡ଼ିବା ପାଇଁ ଅନୁମତି ପାଇଥିବା ଅଧିକାରୀ ଓ କର୍ମଚାରୀଙ୍କ ଅନୁମତି ମଧ୍ୟ ବାତିଲ କରାଯାଇଛି। ସେମାନଙ୍କୁ ତୁରନ୍ତ ନିଜ ନିଜ କାର୍ଯ୍ୟସ୍ଥଳରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ଜରୁରୀକାଳୀନ ପଦକ୍ଷେପ ଓ ପ୍ରଶାସନିକ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାରେ ବାତ୍ୟା ମୁକାବିଲା ସମ୍ପର୍କିତ ପ୍ରସ୍ତୁତି ଓ ଆବଶ୍ୟକ ସେବାକୁ ସଚଳ ରଖିବା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସତର୍କ ରହିବା ସହ ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ