
ଝାରସୁଗୁଡ଼ା, ୨୫ ଅକ୍ଟୋବର (ହି.ସ.)- ମରଣଯନ୍ତା ପାଲଟିଛି ୪୯ ନଂ ଜାତୀୟ ରାଜପଥ। ଝାରସୁଗୁଡ଼ାର ପ୍ରସନ୍ନ ପଣ୍ଡା ଛକରୁ ଛତିଶଗଡ଼ ସୀମାନ୍ତ କନକତୋରା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ରାସ୍ତାରୁ ପିଚୁ ଉଠିଯିବା ସହ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି। ଫଳରେ ଏହି ରାଜପଥରେ ଯାତାୟାତ କରିବା ଯାତ୍ରୀଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପଡ଼ିଛି। ରାସ୍ତାର ତୁରନ୍ତ ମରାମତି ଓ ଦୋହରୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଏହି ଜାତୀୟ ରାଜପଥ ଦେଇ ପ୍ରତିଦିନ ହଜାର ହଜାର ଭାରୀଯାନ ଛତିଶଗଡ଼ ସମେତ ବିଭିନ୍ନ ରାଜ୍ୟର କଳକାରଖାନାକୁ କଞ୍ଚାମାଲ ପରିବହନ କରୁଛନ୍ତି। ଭାରୀଯାନର ଦ୍ରୁତଗତି, ଓଭରଲୋଡିଂ ଏବଂ ରାସ୍ତାରେ ଧୂଳି, ପାଉଁଶ ଓ କୋଇଲା ଗୁଣ୍ଡ ଉଡ଼ିବା ଯୋଗୁଁ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି। ରାସ୍ତାର ଖାଲଖମା ଯୋଗୁଁ ଦୁଇଚକିଆ ଓ ଚାରିଚକିଆ ଯାନ ଚାଳକଙ୍କ ପାଇଁ ଦୁର୍ଘଟଣାର ଆଶଙ୍କା ବଢ଼ିଛି। ଏଭଳି ସ୍ଥିତିରେ ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଓ ମରାମତିକୁ ନେଇ ଏନ୍ଏଚ୍ଏଆଇର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ, ଝାରସୁଗୁଡ଼ାରୁ କନକତୋରା ପର୍ଯ୍ୟନ୍ତ ୪୯ ନଂ ଜାତୀୟ ରାଜପଥର ଦୋହରୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଅର୍ଥ ମଞ୍ଜୁରୀ ଓ ଗେଜେଟ୍ ବିଜ୍ଞପ୍ତିକୁ ସ୍ୱାଗତ କରାଯାଇଛି। ତେବେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୩ରୁ ୪ ବର୍ଷ ଲାଗିପାରେ। ତେଣୁ ଦୋହରୀକରଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଯାତ୍ରୀଙ୍କ ସୁରକ୍ଷାକୁ ଅଣଦେଖା ନକରିବାକୁ ଦାବି ହୋଇଛି। ରାସ୍ତାର ତୁରନ୍ତ ମରାମତି, ଓଭରଲୋଡିଂ ଓ ବେପରୁଆ ଗାଡ଼ି ଚାଳନା ଉପରେ ନିୟନ୍ତ୍ରଣ, ଯାନବାହନର ଫିଟ୍ନେସ୍ ଯାଞ୍ଚ, ବିପଦପୂର୍ଣ୍ଣ ଛକ ଓ ବୁଲାଣିରେ ସତର୍କ ସୂଚନାଫଳକ ସହ ଆଲୋକୀକରଣ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେହିପରି ଧୂଳି ଓ ପାଉଁଶ ନିୟନ୍ତ୍ରଣ ପାଇଁ ନିୟମିତ ଜଳ ସିଞ୍ଚନ, ମାଲବାହୀ ଗାଡ଼ିରେ ତାରପୋଲିନ୍ ବ୍ୟବହାର ଏବଂ ଦୁର୍ଘଟଣାପ୍ରବଣ ଅଞ୍ଚଳରେ ତ୍ୱରିତ ଚିକିତ୍ସା ସେବା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି।
ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ, ପୁଲିସ, ପରିବହନ ବିଭାଗ ଓ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମିଳିତ ବୈଠକ ଡାକି ଠୋସ୍ ପଦକ୍ଷେପ ନେବାକୁ ଦାବି ହୋଇଛି। ଜନସାଧାରଣଙ୍କ ଜୀବନ ସୁରକ୍ଷାକୁ ପ୍ରାଥମିକତା ଦେଇ ରାସ୍ତା ମରାମତି ଓ ଦୋହରୀକରଣ କାର୍ଯ୍ୟ ତ୍ୱରାନ୍ୱିତ କରାନଗଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ