ଗ୍ରାଉଣ୍ଡ ଜିରୋ କୁ ଯାଇ ବିଭିନ୍ନ ନିର୍ମାଣାଧୀନ ରାସ୍ତା ଓପୋଲ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କଲେ ଝାରସୁଗୁଡ଼ା ଜିଲ୍ଲାପାଳ
Ground zero inspection by collector
ଗ୍ରାଉଣ୍ଡ ଜିରୋ କୁ ଯାଇ ବିଭିନ୍ନ ନିର୍ମାଣାଧୀନ ରାସ୍ତା ଓ


ସମୀକ୍ଷା ବୈଠକର ଦିନକ ପରେ ତୃଣମୂଳ ସ୍ତରରେ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଅନୁଧ୍ୟାନ

ଜାମେରା ଓ ପଞ୍ଚପଡ଼ା ଇବ୍ ନଦୀ ପୋଲ ନିର୍ମାଣ କାର୍ଯ୍ୟ ଯାଞ୍ଚ

୪୯ ନମ୍ବର ଜାତୀୟ ରାଜପଥ ବାଇପାସ୍ ଜମି ଅଧିଗ୍ରହଣ ସମସ୍ୟା ନେଇ ସ୍ଥିତି ଅନୁଧ୍ୟାନ

ଝାରସୁଗୁଡ଼ା, ୨୫ ଅକ୍ଟୋବର (ହି.ସ.):ଝାରସୁଗୁଡ଼ା ଜିଲ୍ଲାରେ ଚାଲିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଡ଼କ, ପୋଲ ଏବଂ ସରକାରୀ ଗୃହ ନିର୍ମାଣ ପ୍ରକଳ୍ପର ଅଗ୍ରଗତି ଏବଂ ସଠିକ୍ ସ୍ଥିତି ଯାଞ୍ଚ କରିବା ପାଇଁ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ କ୍ଷେତ୍ର ପରିଦର୍ଶନ କରିଛନ୍ତି। ନିକଟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପ୍ରକଳ୍ପଗୁଡ଼ିକର ବାସ୍ତବ ସ୍ଥିତି ନିଜେ ଉପସ୍ଥିତ ରହି ତଦାରଖ କରିବାକୁ ସେ ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ, ଜାତୀୟ ରାଜପଥ ଡିଭିଜନ ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀ ତଥା ଅଧିକାରୀମାନଙ୍କୁ ସାଙ୍ଗରେ ନେଇ ଜିଲ୍ଲାପାଳ ସିଧାସଳଖ ନିର୍ମାଣ ସ୍ଥଳରେ ପହଞ୍ଚି କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ।ପରିଦର୍ଶନ ସମୟରେ ଜିଲ୍ଲାପାଳ ବିଶେଷ ଭାବରେ ନିର୍ମାଣାଧୀନ ଜାମେରା ବ୍ରିଜ୍ ଏବଂ ପଞ୍ଚପଡ଼ାସ୍ଥିତ ଇବ୍ ନଦୀ ପୋଲ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ପୋଲ ନିର୍ମାଣ କାର୍ଯ୍ୟ କେତେଦୂର ଆଗେଇଛି, ନିର୍ମାଣ ସାମଗ୍ରୀର ଗୁଣବତ୍ତା କିପରି ରହିଛି ଏବଂ କାର୍ଯ୍ୟରେ କୌଣସି ଅନାବଶ୍ୟକ ବିଳମ୍ବ ଘଟୁଛି କି ନାହିଁ, ସେ ନେଇ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଏହା ସହିତ ୪୯ ନମ୍ବର ଜାତୀୟ ରାଜପଥ ବାଇପାସ୍ ନିର୍ମାଣ କାର୍ଯ୍ୟରେ ଜମି ଅଧିଗ୍ରହଣ ଜନିତ ସମସ୍ୟା ଉପରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ପ୍ରକଳ୍ପ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଜମି ଅଧିଗ୍ରହଣ ଏବଂ ପ୍ରଶାସନିକ ପ୍ରତିବନ୍ଧକଗୁଡ଼ିକୁ ଆନ୍ତଃବିଭାଗୀୟ ସମନ୍ୱୟ ରକ୍ଷା କରି ତୁରନ୍ତ ସମାଧାନ କରିବାକୁ ସମ୍ପୃକ୍ତ ରାଜସ୍ୱ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande