
ଖୋର୍ଦ୍ଧା, ୨୫ ଅକ୍ଟୋବର (ହି.ସ.)- ଆଉ କିଛି ସମୟର ବ୍ୟବଧାନରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଇନଫୋଭ୍ୟାଲି-୨ ଠାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରୀନଫିଲ୍ଡ ଡାଟା ସେଂଟର ଏବଂ ସାଇବର ସୁରକ୍ଷା ତାଲିମ୍ ପ୍ରତିଷ୍ଠାନର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଚୂଡ଼ାନ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଆଜି ଅପରାହ୍ନ ୪ଟା ୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିବେ । ଏହାପରେ ସେଠାରୁ ହେଲିକପ୍ଟର ଯୋଗେ ଯାଇ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଇନଫୋଭ୍ୟାଲି-୨ ଠାରେ ଅପରାହ୍ନ ୪ଟା ୪୦ରେ ପହଂଚିବେ । କାର୍ଯ୍ୟକ୍ରମ ଶେଷ ହେବା ପରେ ସେଠାରୁ ଅପରାହ୍ନ ୫ଟା ୪୦ ରେ ସଡ଼କ ପଥରେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବେ । ଏହାପରେ ସନ୍ଧ୍ୟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି ।
ହିନ୍ଦୁସ୍ଥାନ ସମାଚାର / ରାକେଶ