ଲଇକେରା ବ୍ଲକରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର
Public grievance at Laikera Block
ଲଇକେରା ବ୍ଲକରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି


ଝାରସୁଗୁଡା, ୨୬ ଅକ୍ଟୋବର (ହି.ସ.)ଲଇକେରା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଉପସ୍ଥିତ ରହି ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ସେଗୁଡ଼ିକର ତ୍ୱରିତ ତଥା ନ୍ୟାୟସଙ୍ଗତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଲାଇକେରା ବିଡ଼ିଓ ଜର୍ଜ ଡୁଙ୍ଗଡୁଙ୍ଗଙ୍କ ସମେତ ସମସ୍ତ ବ୍ଲକ ଓ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ। ଉକ୍ତ ଶିବିରରେ ମୋଟ ୨୦ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଏଥିମଧ୍ୟରୁ ୧୪ଟି ବ୍ୟକ୍ତିଗତ ଏବଂ ୬ଟି ସାମୂହିକ ସମସ୍ୟା ଭିତ୍ତିକ ଅଭିଯୋଗ ରହିଥିଲା। ଶୁଣାଣି ବେଳେ ୨ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଏଥିସହ ଚିକିତ୍ସା ଓ ଜରୁରୀ ସହାୟତା ପାଇଁ ରେଡକ୍ରସ ପାଣ୍ଠିରୁ ୨ ଜଣ ହିତାଧିକାରୀଙ୍କୁ ମୋଟ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇ ପ୍ରଦାନ କରାଯାଇଛି।

ଶିବିରରେ ମୁଖ୍ୟତଃ ଶ୍ରମିକମାନଙ୍କ ବକେୟା ପାରିଶ୍ରମିକ, ବିଲ୍ ପେମେଣ୍ଟ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସାଧାରଣ ଶୌଚାଳୟ ନିର୍ମାଣ ତଥା ରକ୍ଷଣାବେକ୍ଷଣ ଏବଂ ରାସ୍ତା ଆଲୋକୀକରଣ ଭଳି ମୌଳିକ ସମସ୍ୟା ସମ୍ପର୍କରେ ଜନସାଧାରଣ ଅଭିଯୋଗ ଦାଖଲ କରିଥିଲେ।ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande