ବସୁନ୍ଧରାରେ ବିଷାକ୍ତ ଜଳ ଆତଙ୍କ : କଳା ପାଣି ସହ ଭାସୁଛି ତେଲ ଓ ଗ୍ରିସ୍, ଚିନ୍ତାରେ ନଦୀକୂଳିଆ ଲୋକେ
Basundhara rivers water polluted
ବସୁନ୍ଧରାରେ ବିଷାକ୍ତ ଜଳ ଆତଙ୍କ : କଳା ପାଣି ସହ ଭାସୁଛି ତେଲ ଓ ଗ୍ରିସ୍, ଚିନ୍ତାରେ ନଦୀକୂଳିଆ ଲୋକେ


ଝାରସୁଗୁଡ଼ା, ୩ ଅକ୍ଟୋବର (ହି.ସ.)- ବସୁନ୍ଧରା ନଦୀରେ ପୁଣି ଥରେ ଦୂଷିତ ଓ ବିଷାକ୍ତ ପାଣି ପ୍ରବାହିତ ହେବା ନେଇ ନଦୀକୂଳିଆ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଶୁକ୍ରବାର ନଦୀର ପାଣି କଳା ରଙ୍ଗର ହୋଇଥିବା ବେଳେ ପାଣି ଉପରେ ତେଲ ଓ ଗ୍ରିସ୍ ଭାସୁଥିବା ଦେଖାଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ନଦୀ ଜଳର ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ଗୋପାଳପୁରରୁ ବାହାରିଥିବା ବସୁନ୍ଧରା ନଦୀ ରାଜପୁର ଦେଓଗାଁ ନିକଟରେ ଇବ୍ ନଦୀରେ ମିଶିଛି। ରାଜପୁର, ଗୌରମାଳ, ଲୋଇସିଂ ଓ ଚାନ୍ଦିନୀମାଳ ପଞ୍ଚାୟତର ହଜାର ହଜାର ଲୋକ ବିଭିନ୍ନ କାର୍ଯ୍ୟ ପାଇଁ ଏହି ନଦୀ ଉପରେ ନିର୍ଭରଶୀଳ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସୁନ୍ଦରଗଡ଼ ଅଞ୍ଚଳର ବିଭିନ୍ନ କଳକାରଖାନାରୁ ନିର୍ଗତ ଦୂଷିତ ଜଳ ନଦୀରେ ମିଶୁଥିବାରୁ ସମସ୍ୟା ଦେଖାଦେଉଛି। କାରଖାନାରୁ ବାହାରୁଥିବା ଦୂଷିତ ପାଣି ଗଚ୍ଛିତ ରଖାଯାଉଥିବା ଏବଂ ବର୍ଷା ସମୟରେ ଜଳସ୍ତର ବଢ଼ିଲେ ଏହାକୁ ନଦୀକୁ ଛାଡ଼ି ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ନଦୀ ଜଳର ରଙ୍ଗ ବଦଳିବା ସହ ତେଲ ଓ ଗ୍ରିସ୍ ଭାସୁଥିବାରୁ ଏହି ପାଣି ବ୍ୟବହାର କରିବାକୁ ଲୋକେ ଭୟ କରୁଛନ୍ତି। ଏଥିସହ ଗୋରୁଗାଈ ଓ ଅନ୍ୟ ପଶୁପକ୍ଷୀଙ୍କ ପାଇଁ ମଧ୍ୟ ବିପଦ ଆଶଙ୍କା କରାଯାଉଛି। ଏହି ସମସ୍ୟା ନେଇ ସ୍ଥାନୀୟ ଲୋକେ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ଗତବର୍ଷ ମଧ୍ୟ ଏହି ସମସ୍ୟାକୁ ନେଇ ୪ଟି ପଞ୍ଚାୟତର ଲୋକେ ରାଜପୁର-ସୁନ୍ଦରଗଡ଼ ମୁଖ୍ୟ ରାସ୍ତାକୁ ପ୍ରାୟ ୧୦ ଘଣ୍ଟା ଧରି ଅବରୋଧ କରିଥିଲେ। ଘଟଣାସ୍ଥଳ ପରିଦର୍ଶନ କରି ଝାରସୁଗୁଡ଼ା ତହସିଲଦାର ସଦାକର କୁମ୍ଭାର ରାଜପୁର ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ଲୋକଙ୍କ ସହ ବୈଠକ କରିଥିଲେ। ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା। ତେବେ ଦୀର୍ଘ ସମୟ ପରେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବାରୁ ଏବେ ପୁଣି ଅସନ୍ତୋଷ ଦେଖାଦେଇଛି। ନଦୀ ଜଳ ପ୍ରଦୂଷଣର ପ୍ରକୃତ କାରଣ ଚିହ୍ନଟ କରି ଦାୟୀ ସଂସ୍ଥା ବିରୋଧରେ ତୁରନ୍ତ ପଦକ୍ଷେପ ନେବା ସହ ନଦୀ ଜଳର ଗୁଣବତ୍ତା ପରୀକ୍ଷା କରିବାକୁ ନଦୀକୂଳିଆ ଲୋକେ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande