
ନୂଆଦିଲ୍ଲୀ, ୦୫ ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି ଯେ ଭାରତ ସ୍ୱିଜରଲ୍ୟାଣ୍ଡରେ ନିଜର ରପ୍ତାନି ପାଇଁ ବଜାର ପ୍ରବେଶ ବଢ଼ାଇବା ଏବଂ ଦୁଇ ଦେଶ ମଧ୍ୟରେ ନିବେଶକୁ ସୁଗମ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି। ଏହାଦ୍ୱାରା ଭାରତର କୃଷି, ଔଷଧ, ବସ୍ତ୍ର ଏବଂ ଇଞ୍ଜିନିୟରିଂ ଉତ୍ପାଦର ସ୍ୱିଜରଲ୍ୟାଣ୍ଡକୁ ରପ୍ତାନିକୁ ପ୍ରୋତ୍ସାହନ ମିଳିବ। ସେହିପରି, ଜୈବ ପ୍ରଯୁକ୍ତି, ଜୀବନ ବିଜ୍ଞାନ, ବ୍ୟାଙ୍କିଂ, ବୀମା, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସତତ ବିକାଶ ଭଳି କ୍ଷେତ୍ରରେ ସ୍ୱିସ୍ ନିବେଶ ଆକର୍ଷିତ କରାଯିବ।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଗାଇ ପାର୍ମେଲିନଙ୍କ ମଧ୍ୟରେ ଆଜି ଦିଲ୍ଲୀର ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଆଲୋଚନା ପରେ ମିଳିତ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତ ଏବଂ ସ୍ୱିଜରଲ୍ୟାଣ୍ଡର ବନ୍ଧୁତା ପୁରୁଣା ଏବଂ ଆଜି ନବସୃଜନ, ଭିତିଭୂମି ତଥା ଉନ୍ନତ ପ୍ରଯୁକ୍ତି ଦୁଇ ଦେଶର ଭାଗିଦାରୀର ମଜବୁତ ସ୍ତମ୍ଭ ଭାବେ ଉଭା ହୋଇଛି। ଦୁଇ ଦେଶ ସାମରିକ ଆଦାନ-ପ୍ରଦାନ ତଥା ପ୍ରତିରକ୍ଷା ଉତ୍ପାଦନ ଏବଂ ସହଯୋଗର ନୂଆ ସମ୍ଭାବନା ଚିହ୍ନଟ କରିଛନ୍ତି ଏବଂ ପରମାଣୁ ଶକ୍ତି କ୍ଷେତ୍ରରେ ସହଯୋଗକୁ ଆହୁରି ଗଭୀର କରିବା ନେଇ ମଧ୍ୟ ସହମତି ହୋଇଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ଦୁଇ ଦେଶର ସହଯୋଗ ମଜବୁତ ହେଉଛି। ସ୍ୱାସ୍ଥ୍ୟ, ସ୍ୱଚ୍ଛ ଶକ୍ତି ଏବଂ ମହାକାଶ ଭଳି କ୍ଷେତ୍ରରେ ନୂଆ ମିଳିତ ଗବେଷଣା ପ୍ରକଳ୍ପ ଆରମ୍ଭ କରାଯିବ। ସେ ଭାରତୀୟ ବିଜ୍ଞାନ ଷ୍ଟାର୍ଟଅପ୍ର କ୍ଷମତା ବଢ଼ାଇବା ପାଇଁ ଜ୍ୟୁରିଖ ବିଶ୍ୱବିଦ୍ୟାଳୟ ସହ ହୋଇଥିବା ଚୁକ୍ତିକୁ ସ୍ୱାଗତ କରିଥିଲେ ଏବଂ ଯୋଗ ଓ ଆୟୁର୍ବେଦ କ୍ଷେତ୍ରରେ ସହଯୋଗ ବଢ଼ାଇବା କଥା କହିଥିଲେ।
ମୋଦୀ କହିଥିଲେ ଯେ ପ୍ରବାସନ ଏବଂ ଗତିଶୀଳତା ଭାଗିଦାରୀ ଚୁକ୍ତି ତଥା ଯୁବ ପେଶାଦାର ଚୁକ୍ତି ଦ୍ୱାରା ଭାରତୀୟ ଛାତ୍ର, ଗବେଷକ, ପେଶାଦାର ଏବଂ ଯୁବକମାନଙ୍କ ପାଇଁ ସ୍ୱିଜରଲ୍ୟାଣ୍ଡରେ ନୂଆ ସୁଯୋଗ ଖୋଲିବ। ଦୁଇ ଦେଶ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ, ସଂଳାପ ଏବଂ କୂଟନୀତିରେ ବିଶ୍ୱାସ ରଖନ୍ତି ଏବଂ ବିଶ୍ୱ ଶାନ୍ତି ଓ ସ୍ଥିରତା ପାଇଁ ମିଳିତ ଭାବେ କାମ କରିବେ।
ମୋଦୀ କହିଥିଲେ ଯେ ଗତ ବର୍ଷ ଅକ୍ଟୋବରରେ ତାଙ୍କ ସମର୍ଥନରେ ଭାରତ ଏବଂ ଇଏଫଟିଏ ଦେଶଗୁଡ଼ିକ ମଧ୍ୟରେ ଏହି ଐତିହାସିକ ଚୁକ୍ତି ଲାଗୁ ହୋଇଥିଲା। ୟୁରୋପର କୌଣସି ଆର୍ôଥକ ଗୋଷ୍ଠୀ ସହ ଏହା ଭାରତର ପ୍ରଥମ ମୁକ୍ତ ବାଣିଜ୍ୟ ଚୁକ୍ତି ଅଟେ।
----------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ