
ରାୟପୁର, ୦୫ ଅକ୍ଟୋବର (ହି.ସ.)- ଛତିଶଗଡ଼ରେ ଶିଶୁ ଚାଲାଣ ବିରୋଧରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିର୍ଣ୍ଣାୟକ ଅଭିଯାନ ଆରମ୍ଭ କରିଛି। ଏହାର ନେଟୱର୍କ ଉପରେ ନଜର ରଖିବା ପାଇଁ ରାଜ୍ୟରେ ସ୍ଥାୟୀ ଗ୍ରିଡ ତିଆରି କରାଯାଉଛି। ଆୟୋଗର ଅଧ୍ୟକ୍ଷ ଡ. ବର୍ଣ୍ଣିକା ଶର୍ମାଙ୍କ ନେତୃତ୍ୱରେ ଦନ୍ତେୱାଡ଼ାରେ ଚଳାଯାଇଥିବା ସାହସିକ ରେସ୍କ୍ୟୁ ଅପରେସନରେ ପ୍ରାୟ ୧୨୦ ଜଣ ଶିଶୁଙ୍କୁ ଚାଲାଣକାରୀଙ୍କ କବଳରୁ ମୁକ୍ତ କରାଯିବା ପରଠାରୁ ଏହି ଦିଗରେ ନିରନ୍ତର ଅଭିଯାନ ଚଳାଇବା ସହ ଗୁରୁତ୍ୱପୂର୍ଣ୍ଣ ରଣନୀତି ଏବଂ ଠୋସ ଯୋଜନା ପ୍ରସ୍ତୁତ କରାଯାଉଛି।
ଉଲ୍ଲେଖନୀୟ ଯେ ବସ୍ତରର ସୁକମା, ବିଜାପୁର, କୋଂଟା ଏବଂ ଓଡ଼ିଶା ସୀମାରୁ ଶିଶୁମାନଙ୍କୁ ଅନ୍ୟ ରାଜ୍ୟକୁ ପଠାଯାଉଥିବା ସୂଚନା ପରେ ଆୟୋଗ ସ୍ଥାନୀୟ ନେଟୱର୍କକୁ ସକ୍ରିୟ କରିଥିଲା। ପୁଲିସ ଏବଂ ପ୍ରଶାସନ ସହ ମିଳିତ କାର୍ଯ୍ୟାନୁଷ୍ଠାନ କରି ଶିଶୁମାନଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ପରିବାର ପାଖକୁ ପହଂଚାଇ ଦିଆଯାଇଥିଲା। ଏବେ ଆନ୍ତଃରାଜ୍ୟ ସୀମାରେ ଶିଶୁ ଚାଲାଣ ରୋକିବା ପାଇଁ ସ୍ଥାୟୀ ମନିଟରିଂ ଗ୍ରିଡ ପ୍ରସ୍ତୁତ କରାଯାଉଛି। ଦନ୍ତେୱାଡ଼ା, ସୁକମା ଏବଂ ବିଜାପୁରର ଦୁର୍ଗମ ଗାଁଗୁଡ଼ିକରେ ଆଦିବାସୀ ଶିଶୁ ଏବଂ ଯୁବକମାନଙ୍କ ମଧ୍ୟରେ କାମ କରିଥିବା ଡ. ଶର୍ମାଙ୍କ ମତ ହେଉଛି ଯେ ଶିଶୁ ଅପରାଧ ଏବଂ ଚାଲାଣର ମୂଳ ପର୍ଯ୍ୟନ୍ତ ପହଂଚି ସମାଧାନ ପ୍ରସ୍ତୁତ କରିବା ଆବଶ୍ୟକ।
ଅଧରାତିରେ ଅପରେସନ, ଚାଲାଣକାରୀଙ୍କୁ ସିଧା ବାର୍ତା
ଡ. ଶର୍ମା କହିଛନ୍ତି ଯେ ଏହି ମାମଲାରେ ଆୟୋଗକୁ ସୂଚନା ମିଳିଥିଲା ଯେ ଶିଶୁମାନଙ୍କୁ ପ୍ରଲୋଭିତ କରି ଅଥବା ପରିବାରଗୁଡ଼ିକର ଆର୍ôଥକ ବାଧ୍ୟତାର ଫାଇଦା ଉଠାଇ ଅନ୍ୟ ରାଜ୍ୟକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି। ସୂଚନା ମିଳିବା ମାତ୍ରେ ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ସହ ଅଧରାତିରେ ମିଳିତ ରେସ୍କ୍ୟୁ ଅପରେସନ ଆରମ୍ଭ କରାଯାଇଥିଲା। କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୧୨୦ ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଆୟୋଗ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଶିଶୁ ଚାଲାଣ ସହ ଜଡ଼ିତ ନେଟୱର୍କକୁ କଡ଼ା ବାର୍ତା ଦେଇଛି। ଶିଶୁମାନଙ୍କ ସୁରକ୍ଷା ପାଇଁ ସୀମାବର୍ତୀ ଅଂଚଳରେ ନଜରଦାରୀ ବ୍ୟବସ୍ଥାକୁ ମଜବୁତ କରାଯାଉଛି।
-------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ