
ଝାରସୁଗୁଡା, ୬ ଅକ୍ଟୋବର (ହି.ସ.)- ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ପାଳନ ଅବସରରେ ସମଗ୍ର ଦେଶରେ ଚାଲିଥିବା ‘ସେବା ସଙ୍କଳ୍ପ ଅଭିଯାନ’ ପରିପ୍ରେକ୍ଷୀରେ ଝାରସୁଗୁଡା ଜିଲ୍ଲାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀଙ୍କ ଜୀବନଗାଥା, ତାଙ୍କର ସଂଘର୍ଷମୟ ଯାତ୍ରା ଏବଂ ଏହି ସମୟରେ ଭାରତର ବିଭିନ୍ନ ଉପଲବ୍ଧିକୁ ନେଇ ପଥପ୍ରାନ୍ତ ନାଟକ ‘ ସେବା ନମୋ ଗାଥା’ ପରିବେଷିତ ହୋଇଯାଇଛି।
ଝାରସୁଗୁଡା ଇଞ୍ଜିନିଅରିଙ୍ଗ ସ୍କୁଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ (ରାଜସ୍ବ ) ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବେ ମନ୍ତ୍ରୀ, ରାଜସ୍ବ, ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ନବଲ ଅଗ୍ରୱାଲ, ସାଂସଦଙ୍କ ପ୍ରତିନିଧି ଶ୍ଳୋକ ସର୍ଣ୍ଣା, ବିଧାୟକଙ୍କ ପ୍ରତିନିଧି ରାଜେନ୍ଦ୍ର ସିଂ, ପ୍ରଚଣ୍ଡ ଯଶୱାଲ, ତହସିଲଦାର ସଦାକର କୁମ୍ଭାର ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ନରେନ୍ଦ୍ର ମୋଦୀଙ୍କ ଉପରେ ବକ୍ତବ୍ୟ, ସ୍ୱଚ୍ଛ ଶାସନ, ସ୍ୱଛତା, ସେବା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ l
ଭୁବନେଶ୍ୱର ଷ୍ଟେଗ ଟିମ୍ ପକ୍ଷରୁ ଆୟୋଜିତ ଏହି ନାଟକକୁ ନିର୍ଦ୍ଦେଶକ ବିବେକାନନ୍ଦ ମହାପାତ୍ର ନିର୍ଦ୍ଦେଶନା ଦେଇଥିବାବେଳେ ମୋଦିଜୀଙ୍କ ଭୂମିକାରେ ମଧ୍ୟ ସୁନ୍ଦର ଅଭିନୟ କରିଥିଲେ ଏବଂ ଟେକ୍ନିକାଲ୍ ଡାଇରେକ୍ଟର କିଶୋର ଓଝା ଏବଂ ଟିମ୍ ସହଯୋଗ କରିଥିଲେ l ଏହି ନାଟକ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟ, ସେବା ଓ ସମର୍ପଣର ଭାବନା ସହିତ ଦେଶର ବିକାଶ ଯାତ୍ରାକୁ କଳାତ୍ମକ ଭାବେ ଉପସ୍ଥାପନ କରାଯାଇଥିଲା। ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣାକେଶୀ ବଳିୟାର ସିଂହ କାର୍ଯ୍ୟକ୍ରମକୁ ପରିଚାଳନା ପୂର୍ବକ ସ୍ୱାଗତ ଭାଷଣ ରଖିଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଜୀବନ ସଂଘର୍ଷ, ତ୍ୟାଗ ଓ ନିରନ୍ତର ସେବାର ଏକ ଅନନ୍ୟ ଉଦାହରଣ। 'ସେବା ନମୋ ଗାଥା' ନାଟକ ମାଧ୍ୟମରେ ଉପସ୍ଥାପିତ ଏହି ବାର୍ତ୍ତା ସମାଜର ପ୍ରତ୍ୟେକ ବ୍ୟକ୍ତି, ବିଶେଷ କରି ଯୁବପିଢ଼ିଙ୍କୁ ନିଃସ୍ୱାର୍ଥପର ଜନସେବା, ସ୍ୱଚ୍ଛ ଶାସନ ଏବଂ ରାଷ୍ଟ୍ର ନିର୍ମାଣ ଦିଗରେ ନିଜକୁ ଉତ୍ସର୍ଗ କରିବାକୁ ପ୍ରେରଣା ଯୋଗାଇବ।
ସାଂସଦଙ୍କ ପ୍ରତିନିଧି ଶ୍ଳୋକ ସର୍ଣ୍ଣା କହିଥିଲେ ଯେ ସେବା ସଙ୍କଳ୍ପ ଅଭିଯାନ' କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଜନସେବାକୁ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରିବାର ଏକ ସଂକଳ୍ପ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ଆଜି ସ୍ୱଚ୍ଛତା, ଗରିବ କଲ୍ୟାଣ ଓ ବିକାଶର ନୂତନ ଶିଖର ଛୁଇଁପାରିଛି ଏବଂ ଏହି ପଥପ୍ରାନ୍ତ ନାଟକ ସେହି ସେବା ଭାବନାକୁ ଘରେ ଘରେ ପହଞ୍ଚାଇବାରେ ସହାୟକ ହେବ। ସମ୍ମାନିତ ଅତିଥି ପ୍ରଚଣ୍ଡ ଯଶୱାଲ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଜୀବନୀ ଆମକୁ ଶିକ୍ଷା ଦିଏ ଯେ ସମର୍ପଣ ଓ ସଚ୍ଚୋଟତା ଥିଲେ ଯେକୌଣସି ଆହ୍ୱାନକୁ ସଫଳତାରେ ରୂପାନ୍ତରିତ କରାଯାଇପାରିବ। ସ୍ୱଚ୍ଛତା ଓ ସେବାକୁ ନିଜର ଦୈନନ୍ଦିନ ଅଭ୍ୟାସରେ ପରିଣତ କରି ଆମେ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ କରିପାରିବା। ଏଥିସହ ଏହି ଅବସରରେ ତହସିଲଦାର ସଦାକର କୁମ୍ଭାର କହିଥିଲେ, ପ୍ରଶାସନିକ ସ୍ତରରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଲୋକାଭିମୁଖୀ ସେବା ପ୍ରଦାନ ହିଁ ପ୍ରକୃତ ସୁଶାସନର ପରିଚୟ। ଏହି ନାଟକ ମାଧ୍ୟମରେ ପ୍ରଦର୍ଶିତ କର୍ତ୍ତବ୍ୟନିଷ୍ଠା ଓ ସେବା ମନୋଭାବ ଆମ ସମସ୍ତଙ୍କୁ ନିଷ୍ଠାର ସହ ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ଉତ୍ସାହିତ କରିବ।
ଏହି ଅବସରରେ ଜ଼ିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀ ରାଜେଶ ସେଠ ସୁନ୍ଦର ସଂଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ କୁମାର ମହାରଣା ସମସ୍ତଙ୍କୁ ଧନ୍ୟବାଦ ଜ୍ଞlପନ କରିଥିଲେ। ଏହି ଅବସରରେ ଝାରସୁଗୁଡା ସହରର ବିଭିନ୍ନ ବର୍ଗର ଦର୍ଶକ, ବିଭିନ୍ନ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା, ସାହିତ୍ୟିକ, ସାଂସ୍କୃତିକ ପ୍ରେମୀ, ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଏବଂ ଝାରସୁଗୁଡା ଇଞ୍ଜିନିଅରିଙ୍ଗ ସ୍କୁଲ ର ବହୁ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ‘ସେବା ନମୋ ଗାଥା’ ନାଟକର ମନୋଜ୍ଞ ପରିବେଷଣ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀ ଆଲିସ ପଟେଲ, ମୌସୁମ ପଟେଲ, ଧୀରଜ ରୋଶନ ପଧାନ, କିଙ୍କନ ନାଏକ ଏବଂ ରବୀନ୍ଦ୍ର ନିଆଲ ପ୍ରମୁଖ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ