
ଅଗ୍ନିକାଣ୍ଡରେ ୨୪ଟି ଘର ଓ ଦୋକାନ ପୋଡ଼ି ପାଉଁଶ, ଘଟଣାରେ ମୁଖ୍ୟମନ୍ତ୍ରୀ ଖାଣ୍ଡୁ ଦୁଃଖ ପ୍ରକାଶ କଲେ
ଇଟାନଗର, ୧୨ ନଭେମ୍ବର (ହି.ସ.)- ଗୁରୁବାର ସକାଳେ ଭାରତ-ଚୀନ୍ ସୀମା ନିକଟରେ ଅରୁଣାଚଳ ପ୍ରଦେଶର କୁରୁଙ୍ଗ କୁମେ ଜିଲ୍ଲାର ପାର୍ସୀ ପାର୍ଲୋ ଗ୍ରାମରେ ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ତିନି ଜଣ ଶିଶୁ ଏବଂ ଜଣେ ମହିଳାଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅତି କମରେ ୨୪ଟି ଘର ଏବଂ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି।
କୁରୁଙ୍ଗ କୁମେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ କହିବା ଅନୁଯାୟୀ, ଗତ ରାତି ପ୍ରାୟ ୨ଟା ବେଳେ ନିଆଁ ଲାଗିଯାଇଥିଲା। ନିଆଁ ଦ୍ରୁତ ଗତିରେ ଅନେକ ଘରକୁ ବ୍ୟାପିଥିଲା। ଏହାଦ୍ୱାରା ଆବାସିକ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ହୋଇଛି। ଅଗ୍ନିକାଣ୍ଡରେ ୧୯ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୫ଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ରୋଷେଇ ଘରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଗୋଟିଏ ପରିବାରର ଚାରି ଜଣ ସଦସ୍ୟ-ଡୋଙ୍ଗଡା ୟାନୁ (ମହିଳା) ମାଆ, ଡୋଙ୍ଗଡା କରସାଙ୍ଗ (ନାବାଳକ) ପୁଅ, ଡୋଙ୍ଗଡା ମାଜି (ନାବାଳକ) ପୁଅ ଏବଂ ଡୋଙ୍ଗଡା ଆମ୍ଜୀ (ନାବାଳକା) ଝିଅ-ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ଡୋଙ୍ଗଡା ତାଜି(ପୁରୁଷ) ବାପା ମଧ୍ୟ ପୋଡ଼ି ହୋଇ ଆହତ ହୋଇଛନ୍ତି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପାର୍ସୀ ପାର୍ଲୋ ଗ୍ରାମରେ କୌଣସି ଅଗ୍ନିଶମ ଷ୍ଟେସନ ନାହିଁ। କୋଲୋରିଆଙ୍ଗରେ ମୁତୟନ ଥିବା ଦମକଳ ଗାଡି ଏହାର ଖରାପ ଅବସ୍ଥା କାରଣରୁ ପ୍ରଭାବିତ ଅଞ୍ଚଳରେ ଠିକ୍ ସମୟରେ ପହଞ୍ଚି ପାରିନଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ତୁରନ୍ତ ସହାୟତା ଅଭାବରୁ ନିଆଁକୁ ନିୟନ୍ତ୍ରଣ କରିବାର ପ୍ରୟାସ ବାଧାପ୍ରାପ୍ତ ହୋଇଥିଲା।
ଇତିମଧ୍ୟରେ, କୁରୁଙ୍ଗ କୁମେ ଜିଲ୍ଲାର ପାର୍ସୀ ପାର୍ଲୋ ସର୍କଲରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଲୋକଙ୍କ ମୃତ୍ୟୁ ଏବଂ ପରିବାର ସଦସ୍ୟଙ୍କ ନିଖୋଜ ଖବର ଆହୁରି ହୃଦୟ ବିଦାରକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୀଡ଼ିତଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା। ମୁଁ ପ୍ରାର୍ଥନା କରୁଛି ଯେ, ଏହି ଦୁର୍ଭାଗ୍ୟଜନକ ଘଟଣା ଦ୍ୱାରା ପ୍ରଭାବିତ ସମସ୍ତ ଲୋକଙ୍କୁ ସାହସ ଏବଂ ଶକ୍ତି ମିଳୁ।ଏହି ଦୁଃଖଦ ସମୟରେ ସାହାଯ୍ୟ କରିବାକୁ ଆଗେଇ ଆସିଥିବାରୁ ସ୍ଥାନୀୟ ପ୍ରଶାସନ, ପୋଲିସ, ଅଗ୍ନିଶମ ବିଭାଗ, ଜରୁରୀକାଳୀନ କର୍ମଚାରୀ, ସ୍ୱେଚ୍ଛାସେବୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ଖାଣ୍ଡୁ ହୃଦୟରୁ କୃତଜ୍ଞତା ବ୍ୟକ୍ତ କରିଥିଲେ। ପ୍ରଭାବିତ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି। ଅଲ୍ ନିଶୀ ୟୁଥ୍ ଆସୋସିଏସନ୍ ର ସଭାପତି ଜାମରୁ ରୁଜା ମଧ୍ୟ ଏହି ଦୁଃଖଦ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଏହି ଘଟଣାକୁ ହୃଦୟ ବିଦାରକ ବୋଲି ବର୍ଣ୍ଣନା କରି ରୁଜା କହିଛନ୍ତି ଯେ, ଏହି କଠିନ ସମୟରେ ସଂଗଠନ ପାର୍ସୀ ପାର୍ଲୋ ର ଲୋକଙ୍କ ସହ ଦୃଢ ଭାବରେ ଛିଡା ହୋଇଛି। ଆମେ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛୁ ଏବଂ ଏହି ଦୁଃଖଦ ଘଟଣା ଦ୍ୱାରା ପ୍ରଭାବିତ ସମସ୍ତ ଲୋକଙ୍କ ସହ ଆମର ସମ୍ପୂର୍ଣ୍ଣ ଏକତା ବିସ୍ତାର କରୁଛୁ ବୋଲି ସେ କହିଛନ୍ତି। ତୁରନ୍ତ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ରୁଜା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ସମ୍ପୃକ୍ତ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସହାୟତା ପ୍ରଦାନ କରିବା ଆରମ୍ଭ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ