
ଆଇସିଏଆର୍ର ନୂତନ ପଦକ୍ଷେପ ଦ୍ୱାରା ଗବେଷଣା, ଶିକ୍ଷା ଓ କୃଷି ସମ୍ପ୍ରସାରଣ କାର୍ଯ୍ୟକୁ ମିଳିବ ନୂଆ ଗତି
ହିସାର, ୧୨ ନଭେମ୍ବର (ହି.ସ.)। ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍)ର ଉପ ମହାନିର୍ଦ୍ଦେଶକ (କୃଷି ଶିକ୍ଷା) ଡ. ଯଶପାଲ ସିଂହ ମଲିକ କହିଛନ୍ତି ଯେ, ଆଇସିଏଆର୍ ଦେଶର ସମସ୍ତ ରାଜ୍ୟକୁ ସାମିଲ କରି ଆଞ୍ଚଳିକ ସଂଯୋଜକ ନିଯୁକ୍ତିର ଏକ ନୂତନ ବ୍ୟବସ୍ଥା ଆରମ୍ଭ କରିଛି। ଆଇସିଏଆର୍ର ଗବେଷଣା ସଂସ୍ଥାନ, କୃଷି ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ସମସ୍ତ ସଂସ୍ଥାନ ନିଜ ନିଜର ସମ୍ବଳ, ବିଶେଷଜ୍ଞତା ଏବଂ ଅଭିଜ୍ଞତାକୁ ପରସ୍ପର ମଧ୍ୟରେ ବାଣ୍ଟି ‘ଏକ ରାଷ୍ଟ୍ର-ଏକ ଟିମ୍’ ଭାବନା ନେଇ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି।
ଡ. ମଲିକ କହିଛନ୍ତି ଯେ, ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ହାସଲ କରିବା ପାଇଁ ଗବେଷଣା ସଂସ୍ଥାନଗୁଡ଼ିକ କେବଳ ନିୟମିତ କାର୍ଯ୍ୟକଳାପ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ବରଂ ଚାଷୀମାନଙ୍କ ପ୍ରକୃତ ସମସ୍ୟାଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକର ବ୍ୟବହାରିକ ଓ ପ୍ରଭାବଶାଳୀ ସମାଧାନ ବିକଶିତ କରିବା ଉପରେ ବିଶେଷ ଧ୍ୟାନ ଦେବାକୁ ହେବ। କୃଷି ଓ ପଶୁପାଳନ କ୍ଷେତ୍ରର ଆହ୍ୱାନଗୁଡ଼ିକର ସମାଧାନ ସାମୂହିକ ପ୍ରୟାସ ଏବଂ ବିଭିନ୍ନ ସଂସ୍ଥାନ ମଧ୍ୟରେ ଉତ୍ତମ ସହଯୋଗ ଦ୍ୱାରା ହିଁ ସମ୍ଭବ।
ବୈଠକରେ ଅଧ୍ୟକ୍ଷତା କରି ଡ. ମଲିକ କହିଥିଲେ ଯେ, ଦେଶବ୍ୟାପୀ କୃଷି ଗବେଷଣା, ଶିକ୍ଷାଗତ କାର୍ଯ୍ୟକଳାପ ଏବଂ କୃଷି ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ କରିବା ଦିଗରେ ଆଇସିଏଆର୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ପଦକ୍ଷେପ ଅନ୍ତର୍ଗତ ହରିୟାଣା, ପଞ୍ଜାବ, ଚଣ୍ଡୀଗଡ଼ ଏବଂ ଦିଲ୍ଲୀ ଅଞ୍ଚଳର ପ୍ରଥମ ଆଞ୍ଚଳିକ ସମନ୍ୱୟ ବୈଠକ ହିସାରସ୍ଥିତ ଆଇସିଏଆର୍-କେନ୍ଦ୍ରୀୟ ମଇଁଷି ଗବେଷଣା ସଂସ୍ଥାନ (ସିଆଇଆର୍ବି)ରେ ଆୟୋଜିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା