
ନୂଆଦିଲ୍ଲୀ, ୧୨ ନଭେମ୍ବର (ହି.ସ.) - ଛଠ ମହାପର୍ବ ଅବସରରେ ଯାତ୍ରୀମାନଙ୍କ ସୁବିଧା ଓ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ଲାଗି ଭାରତୀୟ ରେଳବାଇ ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଦେଶର ପ୍ରଥମ ଅତ୍ୟାଧୁନିକ ‘ଅମୃତ ଭାରତ ୩.୦’ ଟ୍ରେନ୍କୁ ନଭେମ୍ବର ୧୧ ତାରିଖ ମଧ୍ୟରାତ୍ରିରେ ଛଠ ପୂଜା ସ୍ପେଶାଲ ଟ୍ରେନ୍ ଭାବେ ନୂଆଦିଲ୍ଲୀ ରେଳ ଷ୍ଟେସନରୁ ପାଟନା ଅଭିମୁଖେ ଯାତ୍ରା କରାଯାଇଛି।
ଟ୍ରେନ୍ଟି ଯାତ୍ରା ଆରମ୍ଭ କରିବା ସମୟରେ ନୂଆଦିଲ୍ଲୀ ରେଳ ଷ୍ଟେସନ ଛଠ ପର୍ବର ପାରମ୍ପରିକ ଲୋକଗୀତରେ ପ୍ରକମ୍ପିତ ହୋଇଉଠିଥିଲା। ଷ୍ଟେସନରେ ଉତ୍ସବମୁଖର ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଯାତ୍ରୀମାନେ ରେଳବାଇର ଏହି ପଦକ୍ଷେପକୁ ଉତ୍ସାହର ସହ ସ୍ୱାଗତ କରିଥିଲେ।
ଅମୃତ ଭାରତ ୩.୦ ଟ୍ରେନ୍କୁ ବିଶେଷ ଭାବେ ସାଧାରଣ ଓ ମଧ୍ୟବିବର୍ଗର ଯାତ୍ରୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏଥିରେ ଆରାମଦାୟକ ସିଟ୍, ଉନ୍ନତ ସସ୍ପେନ୍ସନ୍ ବ୍ୟବସ୍ଥା, ଆଧୁନିକ ଶୌଚାଳୟ ଏବଂ ମୋବାଇଲ୍ ଚାର୍ଜିଂ ପଏଂଟ ଭଳି ସୁବିଧା ଉପଲବ୍ଧ କରାଯାଇଛି।
ଏହି ଟ୍ରେନ୍ରେ ଆଧୁନିକ ପୁଶ୍-ପୁଲ୍ ପ୍ରଯୁକ୍ତିବିଦ୍ୟା ରହିଛି। ଏହାଦ୍ୱାରା ଅଧିକ ବେଗ ସହ ଆରାମଦାୟକ ଯାତ୍ରାର ଅନୁଭୂତି ମିଳିବ। ଟ୍ରେନ୍ରେ ଯାତ୍ରୀମାନଙ୍କ ସୁରକ୍ଷା ଓ ସୁବିଧାକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି।
ଛଠ ମହାପର୍ବ ସମୟରେ ଦିଲ୍ଲୀରୁ ବିହାର ଯାଉଥିବା ଯାତ୍ରୀଙ୍କ ସଂଖ୍ୟାରେ ବ୍ୟାପକ ବୃଦ୍ଧି ଘଟିଥାଏ। ଏଭଳି ସ୍ଥିତିରେ ଏହି ସ୍ୱତନ୍ତ୍ର ଟ୍ରେନ୍ର ଚଳାଚଳ ଦ୍ୱାରା ଯାତ୍ରୀମାନଙ୍କୁ ଅତିରିକ୍ତ ଯାତ୍ରା ସୁବିଧା ମିଳିବା ସହ ପର୍ବ ସମୟରେ ଟ୍ରେନ୍ଗୁଡ଼ିକରେ ଭିଡ଼ ଚାପ କମାଇବାରେ ସହାୟତା ମିଳିବ।
ଭାରତୀୟ ରେଳବାଇର ଏହି ପଦକ୍ଷେପକୁ ଛଠ ମହାପର୍ବ ଅବସରରେ ବିହାର ଯାଉଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଉପହାର ଭାବେ ବିବେଚନା କରାଯାଉଛି। ରେଳବାଇ ପକ୍ଷରୁ ସମସ୍ତ ଯାତ୍ରୀଙ୍କୁ ସୁଖଦ, ସୁରକ୍ଷିତ ଓ ମଙ୍ଗଳମୟ ଯାତ୍ରାର ଶୁଭକାମନା ଜଣାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ