
କେନ୍ଦୁଝର, ୧୬ ନଭେମ୍ବର(ହି.ସ.) – କେବଳ ଖବର ପରିବେଷଣ ନୁହେଁ, ସମାଜର ହିତ ସାଧନ ଓ ଜନସାଧାରଣଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ପହଂଚାଇବା ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ। ଏହି ମହତ୍ ଉଦ୍ଦେଶ୍ୟକୁ ଆଧାର କରି ଜାତୀୟ ପ୍ରେସ୍ ଦିବସ ଅବସରରେ ଚମ୍ପୁଆ ସାମ୍ବାଦିକଙ୍କ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ଚମ୍ପୁଆ ବସଷ୍ଟାଣ୍ଡଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷା ଓ ଦୁର୍ଘଟଣା ନିୟନ୍ତ୍ରଣ ଉପରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ଦୁଇଚକିଆ, ଚାରିଚକିଆ ଯାନ ସମେତ ବସ୍ ଚାଳକମାନଙ୍କୁ ଉତରୀୟ ଓ ଫୁଲତୋଡ଼ା ଦେଇ ସମ୍ମାନିତ କରିବା ସହ ଟ୍ରାଫିକ୍ ନିୟମ ପାଳନ ନେଇ ସଚେତନ କରାଯାଇଥିଲା।
ଏଥିରେ ଉପଜିଲ୍ଲାପାଳ ଡି. ଶୁଭଦର୍ଶୀ ଯୋଶୀ, ଏସ୍ଡିପିଓ ରଶ୍ମିରଞ୍ଜନ ସାହୁ, ଚମ୍ପୁଆ ବନାଂଚଳ ଅଧିକାରୀ ସାଗରରାଜ ନାୟକ, ଥାନା ଅଧିକାରୀ ସ୍ୱରୂପ ରଞ୍ଜନ ନାୟକ, ତହସିଲଦାର ସତ୍ୟବ୍ରତ ସାହୁ, ବରିଷ୍ଠ ଓକିଲ ରମେଶ ଚନ୍ଦ୍ର ପ୍ରଧାନ, ଜାତୀୟ ଖେଳାଳି ସଞ୍ଜୟ ନାୟକ, ଏନ୍ଏସି ଉପାଧ୍ୟକ୍ଷା ସୁମିତ୍ରା ବେହେରାଙ୍କ ସମେତ ଶିକ୍ଷାବିତ୍ ଧରଣୀଧର ଦାସ, ଗିରିଜା ଶଙ୍କର କର, ରମାକାନ୍ତ ପ୍ରଧାନ, ଗଙ୍ଗାଧର କର ଓ ଗୁରୁବକ୍ସ ସିଂ ଆଲୁୱାଲିଆ ଯୋଗଦେଇଥିଲେ।
ଗଣମାଧ୍ୟମର ସାମାଜିକ ଦାୟିତ୍ୱ ଉପରେ ମତ ରଖି ଉପଜିଲ୍ଲାପାଳ କହିଥିଲେ, ଲୋକଙ୍କ ସହ ରହି ସେମାନଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ପହଂଚାଇବା ସହ ଜନସଚେତନତା ସୃଷ୍ଟି କରିବା ଗଣମାଧ୍ୟମର ପ୍ରମୁଖ ଦାୟିତ୍ୱ। ଅନ୍ୟପକ୍ଷରେ ଏସ୍ଡିପିଓ ଗଣମାଧ୍ୟମକୁ ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ ଅଭିହିତ କରିଥିଲେ।
କାର୍ଯ୍ୟକ୍ରମରେ ହେଲମେଟ୍ ପିନ୍ଧିବା, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର ନ କରିବା ଓ ଚାରିଚକିଆ ଯାନରେ ସିଟ୍ୱେଲ୍ଟ ବ୍ୟବହାର କରିବା ଭଳି ସଚେତନତାମୂଳକ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା। ଅତିଥିମାନେ ନିଜେ ଚାଳକଙ୍କ ସହ ଆଲୋଚନା କରି ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA