
- ଆଇଆଇସି, ଏସଡିପିଓ ଓ ଏସପିଙ୍କ ଭୂମିକା ଉପରେ ଉଠାଇଲା ପ୍ରଶ୍ନ
ଭୁବନେଶ୍ୱର, ୧୬ ନଭେମ୍ବର (ହି.ସ.)। କେନ୍ଦୁଝର ଜିଲ୍ଲାର ଘସିପୁରା ଅଞ୍ଚଳରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ପୋଲିସ ମିଥ୍ୟା ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଗିରଫ କାର୍ଯ୍ୟକର୍ତ୍ତାମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ, ନଚେତ୍ ବଜରଙ୍ଗ ଦଳ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ବିଶ୍ୱ ହିନ୍ଦୁ ପରିଷଦ (ବିହିପ) ଚେତାବନୀ ଦେଇଛି। ରବିବାର ଭୁବନେଶ୍ୱରଠାରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଚେତାବନୀ ଦିଆଯାଇଛି।
ବିଶ୍ୱ ହିନ୍ଦୁ ପରିଷଦର ଓଡ଼ିଶା (ପୂର୍ବ) ପ୍ରାନ୍ତ ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ କହିଛନ୍ତି ଯେ, ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ଯେଉଁଭଳି ଭାବେ ମିଥ୍ୟା ମାମଲାରେ ଫସାଯାଇଛି, ସେଥିରୁ ସ୍ଥାନୀୟ ଥାନା ଆଇଆଇସି, ଏସଡିପିଓ ଓ ଆରକ୍ଷୀ ଅଧୀକ୍ଷକ (ଏସପି)ଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସୁଛି। ତେଣୁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ମଧ୍ୟ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବା ଉଚିତ।, ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ଗିରଫଦାରୀରୁ ଧର୍ମାନ୍ତରୀକରଣରେ ଲିପ୍ତ ଶକ୍ତିମାନଙ୍କ ସହ ସ୍ଥାନୀୟ ପୋଲିସର ସମ୍ପର୍କ ରହିଥିବା ଅନୁମାନ କରାଯାଉଛି ।
ସେ କହିଛନ୍ତି ଯେ, କିଛି ଦିନ ପୂର୍ବେ କେତେକ ଧର୍ମାନ୍ତରିତ ବ୍ୟକ୍ତିଙ୍କ ଦ୍ୱାରା ଗୋହତ୍ୟା କରାଯାଇଥିବା ନେଇ ସୂଚନା ପାଇବା ପରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ମାତ୍ର ପୋଲିସ ଜାଣିଶୁଣି ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ଆକ୍ରମଣର ଶିକାର ହୋଇଥିଲେ। ଏହି ଆକ୍ରମଣ ପରେ କାର୍ଯ୍ୟକର୍ତ୍ତାମାନେ ସମ୍ପୃକ୍ତ ଥାନାକୁ ଯାଇ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଔପଚାରିକ ଅଭିଯୋଗ ଦାଖଲ କରିଥିଲେ। କିନ୍ତୁ ସେମାନଙ୍କ ଅଭିଯୋଗ ଉପରେ ଉଚିତ ପଦକ୍ଷେପ ନେବା ପରିବର୍ତ୍ତେ ସ୍ଥାନୀୟ ପୋଲିସ ଏକତରଫା ଓ ପକ୍ଷପାତପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗର ନିରପେକ୍ଷ ତଦନ୍ତ କରିବା ପରିବର୍ତ୍ତେ ପୋଲିସ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଧାରରେ ପାଲଟା ମାମଲା ରୁଜୁ କରିଛି। ଏଥିରେ ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ସମେତ ଅନ୍ୟାନ୍ୟ ଗୁରୁତର ଅପରାଧିକ ଧାରା ଲାଗୁ କରାଯାଇଛି। ଏହାପରେ ଅନେକ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଛି ଏବଂ ସେମାନେ ଗତ ୫ରୁ ୬ ଦିନ ହେଲା ପୋଲିସ ହେପାଜତରେ ରହିଛନ୍ତି।
ଆଚାର୍ଯ୍ୟ ଆହୁରି କହିଛନ୍ତି ଯେ, ଏହି ଅଞ୍ଚଳରେ ବେଆଇନ ଧର୍ମାନ୍ତରୀକରଣ କାର୍ଯ୍ୟ ଚାଲିଥିବା ନେଇ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ବାରମ୍ବାର ପ୍ରଶାସନକୁ ଅବଗତ କରାଇ ଆସୁଥିଲେ। ମାତ୍ର ବଜରଙ୍ଗ ଦଳ ପକ୍ଷରୁ ଏ ସମ୍ପର୍କରେ ଅଭିଯୋଗ କରାଯିବାକୁ ପୋଲିସ ଅଧିକାରୀ ମାନେ ପସନ୍ଦ କରୁ ନଥିଲେ ।
କେବଳ ବେଆଇନ ଗୋହତ୍ୟା ଭଳି କାର୍ଯ୍ୟର ବିରୋଧ କରିବା ଏବଂ ନିଜେ ଆକ୍ରମଣର ଶିକାର ହେବା ପରେ ପୋଲିସ ନିକଟରେ ଅଭିଯୋଗ କରିବା ଯୋଗୁଁ କାର୍ଯ୍ୟକର୍ତ୍ତାମାନଙ୍କୁ ଟାର୍ଗେଟ କରିବା ଏବଂ ଆଇନର ଅପବ୍ୟବହାର କରିବା ପଛରେ ଦୁର୍ଭାବନା ରହିଥିବା ସେ ଅଭିଯୋଗ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଗିରଫଦାରୀର ତୁରନ୍ତ, ନିରପେକ୍ଷ ଓ ଆଇନସମ୍ମତ ସମୀକ୍ଷା କରିବା ସହ ଆଇନର ବ୍ୟବସ୍ଥା ଅନୁଯାୟୀ ଗିରଫ କାର୍ଯ୍ୟକର୍ତ୍ତାଙ୍କ ମୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ଏଥିସହ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସେମାନେ ଦାଖଲ କରିଥିବା ଏତଲା ଉପରେ ବିନା ପକ୍ଷପାତରେ ଉଚିତ କାର୍ଯ୍ୟାନୁଷ୍ଠାନ ଓ ନିରପେକ୍ଷ ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।
ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଏକ ଦାବିପତ୍ର ମଧ୍ୟ ପ୍ରେରଣ କରାଯାଇଛି । ଏହି ଦାବିପତ୍ରରେ ସମଗ୍ର ଘଟଣାର ସ୍ୱାଧୀନ ଓ ନିରପେକ୍ଷ ତଦନ୍ତ କରାଯିବା ସହ ଗିରଫଦାରୀର ପରିସ୍ଥିତି ଏବଂ ସ୍ଥାନୀୟ ପୋଲିସର ଭୂମିକାର ମଧ୍ୟ ଯାଞ୍ଚ କରାଯାଉ ବୋଲି କୁହାଯାଇଛି । କୌଣସି ପୋଲିସ ଅଧିକାରୀଙ୍କ ଜାଣିଶୁଣି କରାଯାଇଥିବା ଅନୁଚିତ କାର୍ଯ୍ୟ, କ୍ଷମତାର ଅପବ୍ୟବହାର କିମ୍ବା କର୍ତ୍ତବ୍ୟରେ ଅବହେଳା ପ୍ରମାଣିତ ହେଲେ ତାଙ୍କ ବିରୋଧରେ ଉପଯୁକ୍ତ ବିଭାଗୀୟ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଉ। ଏଥିସହ କୌଣସି ବ୍ୟକ୍ତି କିମ୍ବା ସଂଗଠନ ବିରୋଧରେ ପକ୍ଷପାତପୂର୍ଣ୍ଣ ଅଥବା ରାଜନୈତିକ ଦୁର୍ଭାବନାପ୍ରସୂତ ପୋଲିସ କାର୍ଯ୍ୟାନୁଷ୍ଠାନ ଯେପରି ନ ହୁଏ, ସେଥିପାଇଁ କେନ୍ଦୁଝର ଏସପିଙ୍କୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଭିଏଚପି ଦାବି କରିଛି।
ଏହି ସାମ୍ବାଦିକ ସମ୍ମିଳନୀରେ ବିହିପର ପ୍ରାନ୍ତ ଉପସଭାପତି ପ୍ରଶାନ୍ତ ପଣ୍ଡା, ବଜରଙ୍ଗ ଦଳ ଓଡ଼ିଶା (ପୂର୍ବ)ର ସଂଯୋଜକ ପ୍ରଭାତ ତ୍ରିପାଠୀ, ବଜରଙ୍ଗ ଦଳ ଓଡ଼ିଶା (ପଶ୍ଚିମ)ର ସୌମ୍ୟରଞ୍ଜନ ମିଶ୍ର ଏବଂ ବିହିପର ପ୍ରଚାର ପ୍ରମୁଖ ସୁଜିତ କୁମାର ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ