ସମ୍ୱଲପୁରର ଅଇଁଠାପାଲି ଫ୍ଲାଏଓଭରରେ ବାରମ୍ୱାର ଦୁର୍ଘଟଣା ପ୍ରସଙ୍ଗ , ବିଜେଡିର ଜୋରଦାର ପ୍ରତିବାଦ
Bhubaneswar, 17 ନଭେମ୍ବର (ହି.ସ.) ସମ୍ୱଲପୁରର ଅଇଁଠାପାଲି ଫ୍ଲାଏଓଭର ନିର୍ମାଣରେ ଅବ୍ୟବସ୍ଥା, ଅନିୟମିତତା ଏବଂ ଅବହେଳା ଯୋଗୁଁ ବାରମ୍ୱାର ଦୁର୍ଘଟଣା ଘଟିବା ସହ ଅନେକ ନିରୀହ ଜୀବନ ଅକାଳରେ ଝଡ଼ିପଡ଼ୁଥିବାରୁ ଗଭୀର ଉଦ୍ବେଗ ପ୍ରକାଶ କରି ଆଜି ସମ୍ୱଲପୁର ଜିଲ୍ଲା ବିଜେଡି ପକ୍ଷରୁ ଜୋରଦାର ପ୍ରତିବାଦ କ
ସମ୍ୱଲପୁରର ଅଇଁଠାପାଲି ଫ୍ଲାଏଓଭରରେ ବାରମ୍ୱାର ଦୁର୍ଘଟଣା ପ୍ରସଙ୍ଗ , ବିଜେଡିର ଜୋରଦାର ପ୍ରତିବାଦ


Bhubaneswar, 17 ନଭେମ୍ବର (ହି.ସ.)

ସମ୍ୱଲପୁରର ଅଇଁଠାପାଲି ଫ୍ଲାଏଓଭର ନିର୍ମାଣରେ ଅବ୍ୟବସ୍ଥା, ଅନିୟମିତତା ଏବଂ ଅବହେଳା ଯୋଗୁଁ ବାରମ୍ୱାର ଦୁର୍ଘଟଣା ଘଟିବା ସହ ଅନେକ ନିରୀହ ଜୀବନ ଅକାଳରେ ଝଡ଼ିପଡ଼ୁଥିବାରୁ ଗଭୀର ଉଦ୍ବେଗ ପ୍ରକାଶ କରି ଆଜି ସମ୍ୱଲପୁର ଜିଲ୍ଲା ବିଜେଡି ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଥିଲା । ଏହି ଅବସରରେ ଦଳୀୟ ନେତା ଓ କର୍ମୀମାନେ ଜାତୀୟ ରାଜପଥ ଅବରୋଧ କରିବା ସହ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ)ର ତୁରନ୍ତ ହସ୍ତକ୍ଷେପ ଏବଂ ଦାୟିତ୍ୱହୀନ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ପାଇଁ ଦାବି କରିଥିଲେ ।

ଫ୍ଲାଏଓଭର ନିର୍ମାଣରେ ତ୍ରୁଟି ଥିବାରୁ ବାରମ୍ୱାର ଦୁର୍ଘଟଣା ଘଟୁଛି । ଭିତ୍ତିଭୂମିର ବିକାଶ କେବଳ ନିର୍ମାଣ ପ୍ରକଳ୍ପ ସମାପ୍ତ କରିବାରେ ସୀମିତ ରହିପାରିବ ନାହିଁ; ବରଂ ଯାତ୍ରୀ, ଗାଡ଼ିଚାଳକ ଏବଂ ସାଧାରଣ ଜନତାଙ୍କ ଜୀବନ ଓ ସୁରକ୍ଷା ସୁନିଶ୍ଚିତ କରିବା କର୍ତ୍ତୃପକ୍ଷଙ୍କ ସର୍ବପ୍ରଥମ ଦାୟିତ୍ୱ ହେବା ଆବଶ୍ୟକ । ଏନ୍ଏଚ୍ଏଆଇ ଅଧିକାରୀମାନେ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରି ନିରୀହ ଜୀବନ ହାନିକୁ ରୋକନ୍ତୁ । କୌଣସି ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ସହ ସାଲିସ୍ କରାଯାଇପାରିବ ନାହିଁ । ଏହି ଜୀବନହାନିକୁ ରୋକିବା ପାଇଁ ସରକାର ଯଦି କୌଣସି ପଦକ୍ଷେପ ନ ନିଅନ୍ତୁ, ତେବେ ଲୋକଙ୍କ ବୃହତ୍ତର ସ୍ୱାର୍ଥ ପାଇଁ ବିଜେଡି ତାର ଲଢ଼େଇକୁ ଜୋରଦାର କରିବ ।

ଏହି ପ୍ରତିବାଦ କାର୍ଯ୍ୟକ୍ରମ ପୂର୍ବତନ ମନ୍ତ୍ରୀ ତଥା ସମ୍ୱଲପୁର ଜିଲ୍ଲା ବିଜେଡି ସଭାପତି ଇଂ. ରୋହିତ ପୂଜାରୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ବେଳେ ସମ୍ୱଲପୁର ମହାନଗର ବିଜେଡି ସଭାପତି ବସନ୍ତ ମିଶ୍ର ଏହାର ସଂଯୋଜନା କରିଥିଲେ ।ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଆର୍ତ୍ତତ୍ରାଣ ମିଶ୍ର, ବରିଷ୍ଠ ନେତା ଅଶୋକ ସେନାପତି ଓ ଗୋକୁଳ ମେହେର, ଜିଲ୍ଲା ଉପସଭାପତି ସୁରୁବାବୁ ମେହେର, ଆନନ୍ଦ ବଡ଼ଗୟା, ପ୍ରଫୁଲ୍ଲ ଦାସ, ସତ୍ୟେନ୍ଦ୍ର ଦାସ, ରାଜ୍ୟ ଯୁବ ବିଜେଡି ଉପସଭାପତି ଦେବାଶିଷ ପରିଡ଼ା, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଧର୍ମରାଜ ମାରେଇ, ରାଜ୍ୟ ଛାତ୍ର ବିଜେଡି ଉପସଭାପତି ଅନମୋଲ ଦାସ, ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରଦୋଷ ମହାନ୍ତି, ଜିଲ୍ଲା ଛାତ୍ର ବିଜେଡି ସଭାପତି ଶୁଭ୍ରାଂଶୁ ପାଢ଼ୀ, ରାଜ୍ୟ ମହିଳା ବିଜେଡିର ବରିଷ୍ଠ ନେତ୍ରୀ ଉଷା ପ୍ରଧାନଙ୍କ ସମେତ ବହୁ ସଂଖ୍ୟାରେ ବିଜେଡିର କର୍ମୀ, ଓ ନେତା ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande