
ସମ୍ବଲପୁର, ୧୭, ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ) ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ତିନି ଜଣ ମହିଳା ଡାକ୍ତର ବିଭାଗୀୟ ଇନଚାର୍ଜଙ୍କ ବିରୋଧରେ ମାନସିକ ନିର୍ଯାତନା ଏବଂ ପ୍ରଶାସନିକ ଅସହଯୋଗର ଅଭିଯୋଗ ଆଣି ସିଡିଏମ୍ଓଙ୍କୁ ଏକ ମିଳିତ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ଡାକ୍ତର ଜ୍ୟୋତିର୍ମୟୀ ପ୍ରଧାନ, ଡାକ୍ତର ଜିଭିଏସ ଶିରୀଷା ଏବଂ ଡାକ୍ତର ସାଗୁଫ୍ତା ତରନ୍ନୁମ ଗତ ୯ ତାରିଖରେ ଏହି ଅଭିଯୋଗ ପତ୍ର ଦେବାପରେ ସେମାନେ ଛୁଟିରେ ଯାଇଥିବା ଜଣାପଡିଛି । ତିନି ତିନି ଜଣ ଡାକ୍ତରଙ୍କ ଏଭଳି ଅନୁପସ୍ଥିତିରେ ରୋଗୀ ସେବାରେ ବାଧା ହେବା ଓ ବିନା ସୂଚନାରେ ଛୁଟିରେ ରହିବା ଭଳି ଗୁଜବକୁ ନେଇ ଏସମ୍ପର୍କର ନିଜର ପ୍ରତିକ୍ରିୟା ରଖି ସମ୍ବଲପୁର ସିଡିଏମ୍ଓ ଡାକ୍ତର ନୀଳମାଧବ ଶତପଥୀ କହିଛନ୍ତି ସମ୍ପୃକ୍ତ ଡାକ୍ତରମାନେ ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟିରେ ଯାଇଛନ୍ତି। ମାନସିକ ନିର୍ଯାତନା କିମ୍ବା ଅନ୍ୟ କୌଣସି ବିଷୟକୁ ନେଇ ସେମାନଙ୍କ ପକ୍ଷରୁ ତାଙ୍କ ନିକଟରେ କୌଣସି ଲିଖିତ ଅଭିଯୋଗ ପହଞ୍ଚି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ରୋଗୀ ସେବାରେ ସାମାନ୍ୟ ଅସୁବିଧା ହେଉଥିଲେ ମଧ୍ୟ, ଉପସ୍ଥିତ ଥିବା ଅନ୍ୟ ଡାକ୍ତରମାନେ ଅଧିକ ସମୟ କାର୍ଯ୍ୟ କରି ସ୍ୱାସ୍ଥ୍ୟସେବା ଜାରି ରଖିଛନ୍ତି। ସମ୍ପୃକ୍ତ ଡାକ୍ତରମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରାଯାଇଛି ଏବଂ ଏ ନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି। ସରକାରୀ ନିୟମ ଅନୁଯାୟୀ ପ୍ରତ୍ୟେକ ଡାକ୍ତର କାର୍ଯ୍ୟ କରିବାକୁ ବାଧ୍ୟ ଏବଂ ଯଦି କେହି ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିଥାନ୍ତି କିମ୍ବା କାର୍ଯ୍ୟରେ ଅବହେଳା କରନ୍ତି, ତେବେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ନିୟମ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମ୍ଓ ସୂଚନା ଦେଇଛନ୍ତି। ଅପରପକ୍ଷେ ଅନୁପସ୍ଥିତିରେ ଥିବା ତିନି ଜଣ ମହିଳା ଡାକ୍ତର ସେମାନଙ୍କ ପ୍ରତି ହୋଇଥିବା ମାନସିକ ନିର୍ଯାତନା ସମ୍ପର୍କରେ ଦେଇଥିବା ଅଭିଯୋଗର ସତ୍ୟତା କେତେ ତାହା ତଦନ୍ତ ନକରିବା ମଧ୍ୟ ଗହିର୍ତ୍ତ ଅପରାଧ ବୋଲି କିଛି ସଚେତନ ନାଗରିକ ମତବ୍ୟକ୍ତ କରିଛନ୍ତି । ରୋଗୀସେବା ପାଇଁ କାର୍ଯ୍ଯରତ ମହିଳା ଡାକ୍ତରଙ୍କ ଠାରୁ ଆରମ୍ଭ କରି ଡାକ୍ତରଖାନାର ସମସ୍ତ ମହିଳା କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସ୍ପଷ୍ଟ କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏବେ ଅନୁପସ୍ଥିତ ତିନି ମହିଳା ଡାକ୍ତର କାର୍ଯ୍ୟରେ ଯୋଗ ଦେବା ପରେ ସେମାନଙ୍କ ଅଭିଯୋଗର ସତ୍ୟତା ଓ ଏଦିଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନେଇଥିବା ପଦକ୍ଷେପ ଆଗାମୀ ଦିନରେ କି ପ୍ରକାରର ମୋଡ଼ ନେବ ତାକୁଇ ଦେଖିବାକୁ ଅପେକ୍ଷା ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ