
ଭଦ୍ରକ, ୧୭ ନଭେମ୍ବର (ହି.ସ.) - ଭାରତୀୟ ଜ୍ଞାନ ପରମ୍ପରା ଓ ଲୋକବିଦ୍ୟା ର ଜଣେ ଅନ୍ୟତମ ଗବେଷକ ଭାବେ ଅଧ୍ୟାପକ ଡକ୍ଟର ପୀତାମ୍ବର ସ୍ୱାଇଁ ବେଶ୍ ପରିଚିତ। ଏହାବ୍ୟତୀତ ସ୍ୱର୍ଗତଃ ସ୍ୱାଇଁ ବାଗ୍ମିତାର ମୂର୍ତିମନ୍ତ ପ୍ରତୀକ ଓ କୋଇଲି ସାହିତ୍ୟର ବିଶିଷ୍ଟ ଗବେଷକ ଭାବେ ଓଡ଼ିଶାରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ସେ ଓଡ଼ିଆ ଭାଷା-ସାହିତ୍ୟ, ଜଗନ୍ନାଥ ଚେତନା ଓ ସଂସ୍କୃତିର ଜଣେ ଜାଗ୍ରତ ପ୍ରହରୀ ଥିଲେ। ତାଙ୍କ ଜୀବନ ଆଦର୍ଶ ମୂଲ୍ୟବୋଧ ଭିତିକ ଥିଲା। ଉତ୍କଳୀୟ ଧର୍ମ-ଦର୍ଶନ ଓ ସଂସ୍କୃତିର ସୈନିକ ଭାବେ ତାଙ୍କ ଆଦର୍ଶକୁ ଆଜିର ପିଢ଼ି ଅନୁସରଣ କଲେ ଜାତୀୟ ଅସ୍ମିତା ଅକ୍ଷୁର୍ଣ୍ଣ ରହିପାରିବ ବୋଲି ଆଜି ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ସନ୍ଧ୍ୟାରେ ଅନୁଷ୍ଠିତ ତାଙ୍କ ୯୫ତମ ଜୟନ୍ତୀ ସମାରୋରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ସ୍ମୃତିସଂସଦ ସଭାପତି ଡକ୍ଟର ଶଶଧର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ. ହରେକୃଷ୍ଣ ଶତପଥୀ, ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ.କୃଷ୍ଣଚନ୍ଦ୍ର ପ୍ରଧାନ ଯୋଗଦେଇ ଭାରତୀୟ ଜ୍ଞାନ ପରମ୍ପରା: ଲୋକବିଦ୍ୟା ଶୀର୍ଷକ ସ୍ମାରକୀ ବକ୍ତୃତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସୁବକ୍ତା ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଡ଼. ପୀତାମ୍ବର ସ୍ୱାଇଁ ରାଜ୍ୟସ୍ତରୀୟ ବାଗ୍ମୀତା ସମ୍ମାନ’ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାବ୍ୟତୀତ ସାହିତ୍ୟ ସଂସ୍କୃତବିତ୍ ପଣ୍ଡିତ ଭାଗୀରଥି ନନ୍ଦଶର୍ମାଙ୍କୁ ଜିଲ୍ଲାସ୍ତରୀୟ ବିରଳ ବ୍ୟକ୍ତିତ୍ୱ ସମ୍ମାନ ପ୍ରଦାନ କରାଯାଇଥିଲା। ଦିବା ଅଧିବେଶନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର ବିଜେତା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟାପକ ଡ. ବିଶ୍ୱରଂଜନ ଦାସ ସମ୍ପାଦକୀୟ ବିବରଣୀ ଏବଂ ଅଧ୍ୟାପିକା ଉଷାରାଣୀ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ଡକ୍ଟର ମମତା ସାହୁ ଓ ଡ. ଅଭୟ ଦାସ ମାନପତ୍ର ପାଠ କରିଥିଲେ। ସଦସ୍ୟ ଅଧିବକ୍ତା ନିତ୍ୟାନନ୍ଦ ଦାସ, ଡକ୍ଟର ବଳରାମ ମିଶ୍ର, କବି ହୃଦାନନ୍ଦ ପାଣିଗ୍ରାହୀ, ଶିକ୍ଷାବିତ୍ ଗୋବର୍ଦ୍ଧନ ସାମଲ, ଇଂ. ଅରୁଣ କୁମାର ପାତ୍ର, କୋଷାଧ୍ୟକ୍ଷ ଶ୍ରୀହର୍ଷ ସ୍ୱାଇଁ, ପ୍ରଦୋଷ କୁମାର ସ୍ୱାଇଁ, ଦୀପକ ସ୍ୱାଇଁ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟତମ ସଦସ୍ୟ ଶିକ୍ଷାବିତ ରତିକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ