
ଘଟଗାଁ, ୧୯ ନଭେମ୍ବର (ହି.ସ.)
ଭକ୍ତି, ଉତ୍ସାହ ଓ ଉତ୍ସବର ମହକରେ ମହକି ଉଠିଥିଲା ଘଟଗାଁର ପରିବେଶ। ଚଳିତ ବର୍ଷ ଘଟଗାଁ ଥାନା ପକ୍ଷରୁ ଆୟୋଜିତ ମା’ କାଳୀଙ୍କ ପୂଜା ଅବସରରେ ଏକ ମନୋରମ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। କାଳୀପୂଜା କମିଟି ପକ୍ଷରୁ ଘଟଗାଁ ବଜାର ପରିସରରେ ଆୟୋଜିତ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ ସଙ୍ଗୀତର ମଧୁର ମୂର୍ଚ୍ଛନାରେ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା।
ଏହି ଅବସରରେ କାଳୀପୂଜା କମିଟିର ବରିଷ୍ଠ ସଦସ୍ୟ ଜଗତାନନ୍ଦ ସା, ରାଜେନ୍ଦ୍ର ପଟ୍ଟନାୟକ, ସଞ୍ଜୟ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସିଂଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଉକ୍ତ ସଭାରେ ଘଟଗାଁ ଏସ୍ଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ହୋଇଥିବା ବେଳେ ଆୟୋଜକ ତଥା ଘଟଗାଁ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ରୋହିତ କୁମାର ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ସଭାରେ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ଘଟଗାଁ ଥାନାର ଏଭଳି ଅଭିନବ ପ୍ରୟାସକୁ ଉଚ୍ଚପ୍ରଶଂସା କରି କହିଥିଲେ ଯେ, ନିଜର ଦୀର୍ଘ ଚାକିରି ଜୀବନରେ ସେ ଅନେକ ସ୍ଥାନ ଦେଖିଥିଲେ ମଧ୍ୟ ଘଟଗାଁ ଥାନା ପକ୍ଷରୁ ଏଭଳି ଏକ ନିଆରା ଆୟୋଜନ ଅନ୍ୟ କେଉଁଠି ଉପଭୋଗ କରିନାହାନ୍ତି। ମା’ କାଳୀ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ ଓ ପୂଜା କମିଟିର ସମସ୍ତ ସଦସ୍ୟଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଆଗାମୀ ବର୍ଷଗୁଡ଼ିକରେ ବନ୍ଦ ହୋଇଯାଇଥିବା କାଳୀପୂଜା ମହୋତ୍ସବ ପୁନର୍ବାର ଆରମ୍ଭ ହେଉ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
ସେହିପରି ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ନିଜ ଅଭିଭାଷଣରେ ଏହି ଭାଇଚାରାର ଉତ୍ସବକୁ ସଫଳ କରିବାରେ ସମସ୍ତଙ୍କ ନିଷ୍ଠାପର ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ଆଗାମୀ ଦିନରେ କମିଟିର ସଦସ୍ୟ, ବୁଦ୍ଧିଜୀବୀ ଓ ବିଭିନ୍ନ ସଂଘର କର୍ମକର୍ତ୍ତାଙ୍କୁ ନେଇ ଏକ ବନ୍ଧୁତ୍ୱପୂର୍ଣ୍ଣ ମିଳନ ଓ ଭୋଜିର ଆୟୋଜନ କରାଯିବ ବୋଲି ସେ କହିଥିଲେ।
ପ୍ରକାଶ ଥାଉକି, ପୂର୍ବରୁ ଘଟଗାଁ ମିନି ଷ୍ଟାଡିୟମ୍ଠାରେ କାଳୀପୂଜା ମହୋତ୍ସବ ବେଶ୍ ଆଡ଼ମ୍ବରରେ ଆୟୋଜିତ ହୋଇଆସୁଥିଲା। ମାତ୍ର କିଛି ବର୍ଷ ପୂର୍ବରୁ ଏହି ମହୋତ୍ସବ ବନ୍ଦ ହୋଇଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଏହାକୁ ପୁନର୍ଜୀବିତ କରିବାର ଆଶା ରହିଛି। ଚଳିତ ବର୍ଷ ଥାନା ପକ୍ଷରୁ ହୋଇଥିବା ଏହି ଆୟୋଜନ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀଙ୍କ ମନରେ ନୂତନ ଉତ୍ସାହ ସଞ୍ଚାର କରିଛି।
ସଭା ସମାପନ ପରେ ଭୁବନେଶ୍ୱରରୁ ଆସିଥିବା ‘ସୁର ଝଙ୍କାର’ର କଳାକାରମାନେ ନିଜର ସଙ୍ଗୀତ ଓ ନୃତ୍ୟ ପ୍ରତିଭାର ମନୋମୁଗ୍ଧକର ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ ଘଟଗାଁରେ ଏକ ଆନନ୍ଦମୟ ଓ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ