
ଜୟପୁର, ୧୯ ନଭେମ୍ବର(ହି.ସ.) – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲର ତହସିଲଦାର ଚନ୍ଦନ କୁମାର ନାୟକ ଏବଂ ତାଙ୍କ ଡ୍ରାଇଭର ପଙ୍କଜ ସିପକାଙ୍କୁ ଓଡ଼ିଶା ଭିଜିଲାନ୍ସ ବିଭାଗ ଗିରଫ କରିଛି। ଜଣେ ଆବେଦନକାରୀଙ୍କ କୃଷି ଜମିକୁ ଘରବାରି ଜମିରେ ପରିବର୍ତନ କରିବା ଏବଂ ଏଥିପାଇଁ ଆବଶ୍ୟକ ରେକର୍ଡ ଅଫ୍ ରାଇଟ୍ସ' ପ୍ରଦାନ କରିବା ବଦଳରେ ସେମାନେ ୧୨,୦୦୦ ଟଙ୍କା ଲାଂଚ ଦାବି କରିଥିଲେ ଓ ଗ୍ରହଣ କରିଥିଲେ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିୟମାବଳୀ ଅନୁଯାୟୀ, ଆବେଦନକାରୀ (ଅଭିଯୋଗକାରୀ) ନିଜର କୃଷି ଜମିକୁ ଘରବାରି ଜମିରେ ପରିବର୍ତନ କରିବା ପାଇଁ ଗତ ୨୨.୧୦.୨୦୨୬ ତାରିଖରେ ଗୋଲାମୁଣ୍ଡା ତହସିଲଦାରଙ୍କ ନିକଟରେ ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିଲେ। ଏହା ପରେ, ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକ ଏକ ତଦନ୍ତ ରିପୋର୍ଟ ଏବଂ ଜମିର ଏକ ଚିତ୍ର ମାନଚିତ୍ର ୦୨.୧୧.୨୦୨୬ ତାରିଖରେ ଗୋଲାମୁଣ୍ଡା ତହସିଲଦାରଙ୍କ ନିକଟରେ ଦାଖଲ କରିଥିଲେ।
ତଦନ୍ତ ରିପୋର୍ଟ ପାଇବା ପରେ ମଧ୍ୟ, ଗୋଲାମୁଣ୍ଡା ତହସିଲଦାର ଶ୍ରୀ ନାୟକ ଫାଇଲ୍ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଅଭିଯୋଗ ଅନୁଯାୟୀ, ସେ ସଂଶୋଧିତ ରେକର୍ଡ ଅଫ୍ ରାଇଟ୍ସ' ପ୍ରଦାନ କରିବା ପାଇଁ ଅଭିଯୋଗକାରୀଙ୍କ ଠାରୁ ୧୦,୦୦୦ ଟଙ୍କା ଏବଂ ତାଙ୍କ ଡ୍ରାଇଭର ପଙ୍କଜ ସିପକାଙ୍କ ପାଇଁ ଅତିରିକ୍ତ ୨,୦୦୦ ଟଙ୍କା ଲାଂଚ ଦାବି କରିଥିଲେ।
ଏହି ବେଆଇନ ଦାବି ପୂରଣ କରିବାରେ ଅସମର୍ଥ ହେବାରୁ, ଅଭିଯୋଗକାରୀ ତହସିଲଦାର ଶ୍ରୀ ନାୟକଙ୍କ ଦ୍ୱାରା ହେଉଥିବା ହଇରାଣ ହରକତ ସମ୍ପର୍କରେ ଭିଜିଲାନ୍ସ କର୍ତୃପକ୍ଷଙ୍କୁ ଜଣାଇଥିଲେ। ଏହାପରେ, ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଆଜି ଅଭିଯୋଗକାରୀଙ୍କ ଠାରୁ ଡ୍ରାଇଭର ଶ୍ରୀ ସିପକାଙ୍କ ମାଧ୍ୟମରେ ସେମାନଙ୍କ ନିକଟରୁ ଲାଂଚ ବାବଦ ସମସ୍ତ ୧୨,୦୦୦ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି।
ଏହି ଲାଂଚ ଧରିବା ଘଟଣା ପରେ, ତହସିଲଦାର ଶ୍ରୀ ନାୟକଙ୍କ ସହ ଜଡ଼ିତ ଦୁଇଟି ସ୍ଥାନ ଏବଂ ଡ୍ରାଇଭର ଶ୍ରୀ ସିପକାଙ୍କ ବାସଭବନରେ, ଆୟ ବହିର୍ଭୂତ ସମ୍ପତି ଦୃଷ୍ଟିକୋଣରୁ ଏକକାଳୀନ ଚଢ଼ାଉ ଜାରି ରହିଛି।
ଏ ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ(ସଂଶୋଧନ) ଆଇନ, ୨୦୧୮'ର ଧାରା ୭ ଅଧୀନରେ ମାମଲା ନମ୍ବର ୨୬/୨୦୨୬ ରୁଜୁ କରାଯାଇଛି। ଅଭିଯୁକ୍ତ ତହସିଲଦାର ଶ୍ରୀ ନାୟକ ଏବଂ ଡ୍ରାଇଭର ଶ୍ରୀ ସିପକାଙ୍କ ବିରୋଧରେ ତଦନ୍ତ ଚାଲିଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି