
ଗଞ୍ଜାମ, ୨ ନଭେମ୍ବର (ହି.ସ.)- ଅର୍ଣ୍ଣବର ପ୍ରଭାବରୁ ସମ୍ପୂର୍ଣ୍ଣ ମୁକୁଳିବା ପୂର୍ବରୁ ପାଣିପାଗ ବିଭାଗର ବାତ୍ୟା ମୁରାସୁ ସମ୍ପର୍କିତ ସତର୍କ ସୂଚନା ପାଇ ବ୍ରହ୍ମପୁର ମହାନଗର ନିଗମର ସକ୍ରିୟତା ଆହୁରି ବଢିଯାଇଛି। ରବିବାର ଦିନ ଛୁଟି ବାତିଲ ହୋଇଥିଲା ବେଳେ ସମସ୍ତ ଡେପୁଟି କମିଶନର, ସହକାରୀ କମିଶନର, ଇଞ୍ଜିନିଅର, ପରିମଳ ନିରୀକ୍ଷକ ଏବଂ ଗୋଷ୍ଠୀ ସଂଯୋଜିକାଙ୍କୁ ନେଇ କମିଶନର ଶ୍ରୀମତୀ ଏ ସସ୍ୟ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ନୂତନ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ମୁରାସୁ ପ୍ରଭାବରେ ବର୍ଷା ସମୟରେ ଜଳ ନିଷ୍କାସନକୁ ସହଜ କରିବା ପାଇଁ ଅର୍ଣ୍ଣବ ସମୟର ବର୍ଷାରେ ଜଳବନ୍ଦୀ ହୋଇଥିବା ଅଞ୍ଚଳଗୁଡିକୁ ବୁଲି ସମାଧାନର ପନ୍ଥା ବାହାର କରିବା ପାଇଁ ସବୁ ଇଞ୍ଜିନିଅରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଯୁଦ୍ଧକାଳୀନ ଭିତ୍ତିରେ ପ୍ରମୁଖ ଡ୍ରେନଗୁଡିକରୁ ଆବର୍ଜନା ସଫେଇ କରିବାକୁ କୁହାଯାଇଛି। ଡୁଡୁମା କଲୋନୀ, ହରିଡାଖଣ୍ଡି ଶାନ୍ତି ନଗର, ରୋଲାଣ୍ଡ କଲେଜ, ରୟାଲ ଫାର୍ମାସୀ କଲେଜ,ଭାବା ନଗର ଆଦି ଅଞ୍ଚଳରେ ଡ୍ରେନ ଅବରୋଧ ଯୋଗୁଁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଥିବାରୁ ସେହି ସବୁ ଅବରୋଧ ସାଙ୍ଗେ ସାଙ୍ଗେ ହଟାଇବାକୁ ଏନଫୋର୍ସମେଣ୍ଟ ସ୍କ୍ୱାଡକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର। ଅସ୍ଥାୟୀ ଆଶଶ୍ରୟସ୍ଥଳୀଗୁଡିକୁ ପୁଣିଥରେ ପରିଷ୍କାର ପରିଚ୍ଛନ୍ନ କରି ବର୍ଷା ପୂର୍ବରୁ କଚ୍ଚାଘର ଏବଂ ସହରତଳି ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରବିବାର ସୁଦ୍ଧା କେବଳ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଆଶ୍ରୟସ୍ଥଳୀଟି କାର୍ଯ୍ୟକ୍ଷମ ଥିବାବେଳେ ଅନ୍ୟ ଆଶ୍ରୟସ୍ଥଳୀଗୁଡିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରି ରଖିବାକୁ ଗୋଷ୍ଠୀ ସଂଯୋଜିକା ଓ ପରିମଳ ନିରୀକ୍ଷକମାନଙ୍କୁ କୁହାଯାଇଥିଲା । ଅନ୍ୟପକ୍ଷରେ ୧୪ ନମ୍ବର ୱାର୍ଡରେ ହାଉସିଂ ବୋର୍ଡ କଲୋନୀ ନିକଟ ସୁବୁଦ୍ଧି କଲୋନୀର ବାସିନ୍ଦା ଭଡାରେ ରହୁଥିବା କଚ୍ଚାଘର ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ଥିଲେ ବି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ବେଳେ ପ୍ରତିଥର ସେମାନଙ୍କର ଅସହଯୋଗ ରହିଆସୁଛି। ଏଣୁ ଘରମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ସରଜମିନ ତଦନ୍ତ କରି ରିପୋର୍ଟ ଦେବାକୁ ଡେପୁଟି କମିଶନର କଲ୍ୟାଣୀ ସଙ୍ଘମିତ୍ରା ଦେବୀ, ସହକାରୀ କମିଶନର ବିକ୍ରମ ସୁଣ୍ଢି, ଏନଫୋର୍ସମେଣ୍ଟ ଅଧିକାରୀ ବିକାଶ ନାୟକ, ପଦ୍ମଲୋଚନ ସାହୁ ଏବଂ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜୟ ଜଗଦୀଶ ପାଢୀ ସୁବୁଦ୍ଧି କଲୋନୀକୁ ଯାଇଥିଲେ। ସେହିପରି ଜଳବନ୍ଦୀ ପରିସ୍ଥିତିର ସଫଳ ମୁକାବିଲା ପାଇଁ ଶାନ୍ତିନଗରରେ ଡ୍ରେନରୁ ଆବର୍ଜନା ସଫେଇ ବେଳେ ବାଧା ନଦେବାକୁ ସ୍ଥାନୀୟ ବାସିନ୍ଦାକୁ ସଚେତନ କରାଯାଇଥିଲା।
ଅନ୍ତତଃ ପାଞ୍ଚଦିନ ପାଇଁ ଆବଶ୍ୟକୀୟ ରନ୍ଧନ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଯୋଗାଣ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପୂର୍ବରୁ ଚବିଶ ଘଣ୍ଟିଆ କଣ୍ଟ୍ରୋଲ ରୁମ ୩୧ ଅକ୍ଟୋବର ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିବା ବେଳେ ଏହାକୁ ବର୍ତ୍ତମାନ ୭ ନଭେମ୍ବର ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଜାନିବିଲି ପାନୀୟଜଳ ପ୍ରକଳ୍ପରୁ ଜଳଯୋଗାଣ ସ୍ୱାଭାବିକ ହେବା ଯାଏଁ ଲୋକମାନଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ମହାନଗର ନିଗମ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ଜାରି ରହିବ ବୋଲି କମିଶନର କହିଛନ୍ତି। ତେବେ ପାନୀୟ ଜଳ ସଙ୍କଟକୁ ଏଡେଇବା ପାଇଁ ଜନସାଧାରଣ ଏହାର ଅପଚୟ ରୋକିବା ସହ ମିତବ୍ୟୟିତାର ସହ ବ୍ୟବହାର କରିବାକୁ କମିଶନର ନିବେଦନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ