
ଭଦ୍ରକ, ୨୧ ନଭେମ୍ବର (ହି.ସ.) - ଧୂଷୁରୀ - ହସନାବାଦ ଭାୟା ପଙ୍ଗଟା ରାସ୍ତାର ନାୟକ ସାହି ପୋଲ ନିକଟରେ ଆପ୍ରୋଚ୍ ରାସ୍ତା ଭୁଶୁଡ଼ି ପଡ଼ିବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ଭଦ୍ରକ ଗ୍ରାମ୍ୟ ଉନ୍ନୟନ-୨ ଧୁଷୁରୀ ସେକ୍ସନର କନିଷ୍ଠ ଯନ୍ତ୍ରୀ ରୂପ କୁମାର ମୁଣ୍ଡା ଧୂଷୁରୀ ଥାନାରେ ଏତଲା (ଏଫଆଇଆର) ଦେଇଛନ୍ତି।ସୂଚନା ଅନୁଯାୟୀ, ଏହି ରାସ୍ତା ନିର୍ମାଣ ପାଇଁ ୧୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। ୨୦୨୫-୨୬ ଆର୍ôଥକ ବର୍ଷରେ ଚୁକ୍ତି ନଂ. ୧୧୬/ପି୧ ଅନୁଯାୟୀ ଭଦ୍ରକ ବରପଦାର ଠିକାଦାର ସୁବାସ ଚନ୍ଦ୍ର ସୂତାର ଙ୍କୁ କାମର ଦାୟିତ୍ୱ ଦିଆଯାଇଥିଲା। ଗତ ସେପଟେମ୍ବର ମାସରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ମାତ୍ର କିଛି ଦିନ ମଧ୍ୟରେ ରାସ୍ତାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁଇ ଦିନ ତଳେ ଏକ ହାଇୱା ଓ ଟ୍ରାକ୍ଟର ମାଲ୍ ପରିବହନ କରୁଥିବା ସମୟରେ ନାୟକ ସାହି ପୋଲ ନିକଟ ଆପ୍ରୋଚ୍ ରାସ୍ତାଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ନିର୍ମାଣ ଶୈଳୀ ଓ ନିମ୍ନମାନର କାମକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଥିଲା। ଘଟଣା ପରେ କନିଷ୍ଠ ଯନ୍ତ୍ରୀ ରୂପ କୁମାର ମୁଣ୍ଡା ଅସନ୍ତୋଷ ଓ କ୍ଷୋଭ ପ୍ରକାଶ କରିବା ସହ ଠିକାଦାରଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।କନିଷ୍ଠ ଯନ୍ତ୍ରୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ରାସ୍ତାକୁ ତୁରନ୍ତ ମରାମତି କରି ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୦ ଦିନ ମଧ୍ୟରେ ମରାମତି କାମ ଶେଷ କରିବାକୁ ତାଙ୍କୁ ସମୟସୀମା ଓ ଚେତାବନୀ ଦିଆଯାଇଛି। ଯଦି ନିର୍ଦ୍ଧାରିତ ୨୦ ଦିନ ଭିତରେ ଠିକାଦାର ରାସ୍ତା ମରାମତି ନ କରନ୍ତି କିମ୍ବା ଏହି ଭୁଶୁଡ଼ି ପଡ଼ିଥିବା ରାସ୍ତା ଯୋଗୁଁ କୌଣସି ବ୍ୟକ୍ତି କିମ୍ବା ସମ୍ପତିର କ୍ଷୟକ୍ଷତି ହୁଏ, ତେବେ ସେଥିପାଇଁ ସମ୍ପୃକ୍ତ ଠିକାଦାର ହିଁ ସମ୍ପୂର୍ଣ୍ଣ ଦାୟୀ ରହିବେ। ଏଭଳି ସ୍ଥିତିରେ ନିୟମ ଅନୁଯାୟୀ ଠିକାଦାରଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଧୂଷୁରୀ ଥାନାକୁ ଆଗୁଆ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ