
- ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଓ ବିହାର ପରିବହନ ମନ୍ତ୍ରୀ ଦାମୋଦର ରାୱତ ବସ୍ଗୁଡ଼ିକୁ ଦେଖାଇଲେ ସବୁଜ ପତାକା
- ୧୪୯ଟି ଡିଲକ୍ସ ବସ୍ କିଣାଯାଇଛି, ପିପିପି ମୋଡ୍ରେ ମଧ୍ୟ ଚାଲିବ ୧୫୦ଟି ବସ୍; ୧,୨୭୬ ଟଙ୍କାରୁ ଆରମ୍ଭ ହେବ ଭଡ଼ା
ନୂଆଦିଲ୍ଲୀ/ପାଟନା, ୨୭ ନଭେମ୍ବର (ହି.ସ.)। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ବିହାରରେ ଆନ୍ତଃରାଜ୍ୟ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି। ଏହା ଅନ୍ତର୍ଗତ ରାଜ୍ୟର ୧୩ଟି ଜିଲ୍ଲାରୁ ଦେଶର ରାଜଧାନୀ ଦିଲ୍ଲୀକୁ ନିୟମିତ ବସ୍ ସେବା ଆରମ୍ଭ କରାଯାଇଛି। ଏହି ବସ୍ଗୁଡ଼ିକ ବିହାରର ୧୮ଟି ମାର୍ଗ ଦେଇ ଦିଲ୍ଲୀରେ ପହଞ୍ଚିବ। ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ମହାରାଣା ପ୍ରତାପ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ (ଆଇଏସବିଟି), କାଶ୍ମୀରୀ ଗେଟ୍ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଦିଲ୍ଲୀର ପରିବହନ ମନ୍ତ୍ରୀ ଡକ୍ଟର ପଙ୍କଜ ସିଂହ ଏବଂ ବିହାରର ପରିବହନ ମନ୍ତ୍ରୀ ଦାମୋଦର ରାୱତ ମିଳିତ ଭାବେ ବସ୍ଗୁଡ଼ିକୁ ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।
ବିହାର ରାଜ୍ୟ ସଡ଼କ ପରିବହନ ନିଗମ (ବିଏସଆରଟିସି) ଅନୁଯାୟୀ, ଆନ୍ତଃରାଜ୍ୟ ମାର୍ଗରେ ପରିଚାଳନା ପାଇଁ ମୋଟ ୧୪୯ଟି ଡିଲକ୍ସ ବସ୍ କିଣାଯାଇଛି। ଏଥିରେ ୭୫ଟି ନନ୍-ଏସି ଏବଂ ୭୪ଟି ଏସି ବସ୍ ସାମିଲ ରହିଛି। ଏହା ବ୍ୟତୀତ ସାର୍ବଜନୀନ-ଘରୋଇ ଭାଗିଦାରୀ (ପିପିପି) ମୋଡ୍ରେ ମଧ୍ୟ ୧୫୦ଟି ବସ୍ ଚଳାଚଳ କରିବ। ଏଥିପାଇଁ ରାଜ୍ୟରେ ମୋଟ ୧୮ଟି ମାର୍ଗ ଚୟନ କରାଯାଇଛି।
ପାଟନାରୁ ସର୍ବାଧିକ ଚାରୋଟି ମାର୍ଗ, ମୁଜାଫରପୁର ଏବଂ ଗୟାଜୀରୁ ଦୁଇଟି ଲେଖାଏଁ ମାର୍ଗ ରହିଥିବା ବେଳେ ଆରରିଆ, ବିହାରଶରିଫ, ଭାଗଲପୁର, ବକ୍ସର, ଦରଭଙ୍ଗା, ପୂର୍ବ ଚମ୍ପାରଣ, କିଶନଗଞ୍ଜ, ମଧୁବନୀ, ନୱାଦା ଏବଂ ପୂର୍ଣ୍ଣିଆରୁ ଗୋଟିଏ ଲେଖାଏଁ ମାର୍ଗ ଦିଲ୍ଲୀ ପାଇଁ ନିର୍ଦ୍ଧାରଣ କରାଯାଇଛି। ପ୍ରତ୍ୟେକ ମାର୍ଗରେ ଦିଲ୍ଲୀ ଏବଂ ବିହାର ଉଭୟ ପଟୁ ୧୨ଟି ଲେଖାଏଁ ପରମିଟ୍ର କୋଟା ନିର୍ଦ୍ଧାରିତ ହୋଇଛି।
ଏହି ଅବସରରେ ବିହାରର ପରିବହନ ମନ୍ତ୍ରୀ ଦାମୋଦର ରାୱତ କହିଥିଲେ ଯେ, ପୂର୍ବରୁ ଏହି ବସ୍ ସେବା କେବଳ ପର୍ବପର୍ବାଣୀ ସମୟରେ ସୀମିତ ରହୁଥିଲା। ୨୦୨୫ ମସିହାରେ ପର୍ବପର୍ବାଣୀ ସମୟରେ ଟ୍ରେନ୍ ଏବଂ ଅନ୍ୟାନ୍ୟ ପରିବହନ ମାଧ୍ୟମରେ ପ୍ରବଳ ଭିଡ଼ ହେଉଥିବା ଦେଖି ବିହାର ସରକାର ଯାତ୍ରୀଙ୍କ ସୁବିଧା ପାଇଁ ନିଗମ ଏବଂ ପିପିପି ମୋଡ୍ରେ ମୋଟ ୨୧୦ଟି ବସ୍ ଚଳାଚଳ କରାଇଥିଲେ। ସେହିପରି ୨୦୨୬ ମସିହାରେ ଦୀପାବଳି ଏବଂ ଛଠ୍ ପର୍ବ ସମୟରେ ବିହାରରୁ ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ବିଭିନ୍ନ ମାର୍ଗରେ ମୋଟ ୧୫୫ଟି ବସ୍ ଚଳାଚଳ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା