
- ଚେନ୍ନାଇ ନଦୀ ଅବବାହିକାରେ ଜଳ ସଙ୍କଟ ମୁକାବିଲା ପାଇଁ ସିଇଇଡବ୍ଲ୍ୟୁର ୪ଟି ପ୍ରମୁଖ ପରାମର୍ଶ
- ୨୦୫୦ ସୁଦ୍ଧା ଜଳର ଅପୂରଣୀୟ ଚାହିଦା ୬୩ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବା ଆକଳନ
ଚେନ୍ନାଇ, ୨୭ ନଭେମ୍ବର (ହି.ସ.)। ଜଳବାୟୁ ବିପଦ ଆଧାରିତ ଜଳ ପରିଚାଳନା ତାମିଲନାଡୁକୁ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି)ର ୧୧ଟି ଲକ୍ଷ୍ୟ ଅଧୀନରେ ନିର୍ଦ୍ଧାରିତ ୩୬ଟି ମାନଦଣ୍ଡ ହାସଲ କରିବାରେ ସହାୟତା କରିପାରିବ। ଜଳବାୟୁ ଥିଙ୍କ ଟ୍ୟାଙ୍କ ‘କାଉନସିଲ୍ ଅନ୍ ଏନର୍ଜି, ଏନଭାଇରନମେଣ୍ଟ ଆଣ୍ଡ ୱାଟର’ (ସିଇଇଡବ୍ଲ୍ୟୁ) ଶୁକ୍ରବାର ଆୟୋଜିତ ଏକ କର୍ମଶାଳାରେ ଚେନ୍ନାଇ ନଦୀ ଅବବାହିକାରେ ଜଳ ସଙ୍କଟ ଏବଂ ଜଳବାୟୁ ବିପଦ ହ୍ରାସ କରିବା ପାଇଁ ୪ଟି ପ୍ରମୁଖ ପଦକ୍ଷେପ ପରାମର୍ଶ ଦେଇଛି। ଏଥିରେ ସ୍ଥାନୀୟ ସ୍ତରରେ ଜଳବାୟୁ ବିପଦ ଓ ଜଳ ସନ୍ତୁଳନର ଆକଳନକୁ ବାଧ୍ୟତାମୂଳକ କରିବା, ସଂସ୍ଥାଗତ ଦକ୍ଷତା ବୃଦ୍ଧି, ବର୍ତ୍ତମାନର ତଥ୍ୟକୁ ଅଧିକ ସୁଦୃଢ଼ କରିବା ଏବଂ ଅଧିକ ବିପଦପ୍ରବଣ ଉପ-ଅବବାହିକାଗୁଡ଼ିକରେ ବଜେଟ୍ ଆବଣ୍ଟନ ଓ କାର୍ଯ୍ୟକୁ ପ୍ରାଥମିକତା ଦେବା ସାମିଲ ରହିଛି।
‘ତାମିଲନାଡୁ ପାଇଁ ଜଳବାୟୁ ବିପଦ ଆଧାରିତ ଜଳ ସୁରକ୍ଷା ଯୋଜନା’ ଶୀର୍ଷକରେ ଆୟୋଜିତ ଏହି ଜ୍ଞାନ ଆଦାନପ୍ରଦାନ କର୍ମଶାଳାରେ ସିଇଇଡବ୍ଲ୍ୟୁ ନିଜ ଅଧ୍ୟୟନର ନିଷ୍କର୍ଷ ଓ ପରାମର୍ଶ ଉପସ୍ଥାପନ କରିଥିଲା। ସିଇଇଡବ୍ଲ୍ୟୁର ପ୍ରୋଗ୍ରାମ ଲିଡ୍ ଇକାଂଶା ଖଣ୍ଡୁଜା କହିଛନ୍ତି ଯେ, ସମଗ୍ର ଭାରତରେ ଜଳବାୟୁ ପରିବର୍ତ୍ତନଶୀଳତା ବୃଦ୍ଧି ପାଉଥିବାରୁ ଜଳ ସୁରକ୍ଷା ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି। ଦେଶର ୧୫ଟି ପ୍ରମୁଖ ନଦୀ ଅବବାହିକା ମଧ୍ୟରୁ ୧୧ଟି ବର୍ତ୍ତମାନ ଜଳ ସଙ୍କଟର ସମ୍ମୁଖୀନ ହେଉଛି।
ସିଇଇଡବ୍ଲ୍ୟୁର ‘ଟୁୱାର୍ଡ କ୍ଲାଇମେଟ୍-ରେଜିଲିଏଣ୍ଟ ରିଭର ସିଷ୍ଟମ୍ସ ଇନ୍ ଚେନ୍ନାଇ’ ଅଧ୍ୟୟନର ଉଦାହରଣ ଦେଇ ସେ କହିଛନ୍ତି ଯେ, କୁଭମ୍ ଓ କୋସସ୍ଥଲାୟାର ଉପ-ଅବବାହିକାର ଜଳ ବ୍ୟବସ୍ଥା ଜଳବାୟୁ ବିପଦ ଦୃଷ୍ଟିରୁ ସବୁଠାରୁ ଅଧିକ ସମ୍ବେଦନଶୀଳ। ଏହା ପରେ କୋଭଲମ୍, ଆଡୟାର, ଆରଣିୟାର ଏବଂ ଗୁମ୍ମିଡିପୁଣ୍ଡି ରହିଛି। ଏହି ତୁଳନାତ୍ମକ ରାଙ୍କିଂ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି। କମ୍ ରାଙ୍କ୍ ରହିବାର ଅର୍ଥ ସମ୍ପୃକ୍ତ ଅଞ୍ଚଳରେ ଜଳବାୟୁ ସମ୍ପର୍କିତ ପଦକ୍ଷେପର ଆବଶ୍ୟକତା କମ୍ ବୋଲି ନୁହେଁ।
ତାମିଲନାଡୁ ଗ୍ରୀନ୍ କ୍ଲାଇମେଟ୍ କମ୍ପାନୀ ସହ ମିଳିତ ଭାବେ କରାଯାଇଥିବା ଏହି ଅଧ୍ୟୟନରେ ଚେନ୍ନାଇ ନଦୀ ଅବବାହିକାର ତାମିଲନାଡୁ ଅଂଶରେ ଉପ-ଅବବାହିକା ସ୍ତରରେ ଜଳ ସମ୍ପଦ ସହ ଜଡ଼ିତ ଜଳବାୟୁ ବିପଦକୁ ଚିହ୍ନଟ କରାଯାଇଛି। ଏହା ବ୍ୟତୀତ ୬ଟି ନୀତିଗତ ପରିଦୃଶ୍ୟ ଆଧାରରେ ସିମୁଲେସନ୍ ମାଧ୍ୟମରେ ଭବିଷ୍ୟତରେ ଜଳର ଚାହିଦା ଓ ଯୋଗାଣର ଆକଳନ କରାଯାଇଛି।
ଅଧ୍ୟୟନରେ ଜଳବାୟୁ ବିପଦ ଓ ଜଳ ଅଭାବ ହ୍ରାସ କରିବା ପାଇଁ ୪ଟି ପ୍ରମୁଖ ପଦକ୍ଷେପ ପରାମର୍ଶ ଦିଆଯାଇଛି। ପ୍ରଥମତଃ, ସ୍ଥାନୀୟ ସ୍ତରରେ ବହୁବିଷୟକ ଜଳବାୟୁ ବିପଦ ଆକଳନ ଏବଂ ଜଳ ସନ୍ତୁଳନ ପ୍ରସ୍ତୁତିକୁ ବାଧ୍ୟତାମୂଳକ କରାଯାଉ। ଦ୍ୱିତୀୟତଃ, ରାଜ୍ୟର ସଂସ୍ଥାଗୁଡ଼ିକର ଦକ୍ଷତା ଆକଳନ କରି ଏହାକୁ ସୁଦୃଢ଼ କରାଯାଉ, ଯାହାଦ୍ୱାରା ନିୟମିତ ଭାବେ ଜଳବାୟୁ ବିପଦ ଓ ଜଳ ସନ୍ତୁଳନର ଆକଳନ କରାଯାଇପାରିବ। ତୃତୀୟତଃ, ଏଭଳି ଆକଳନରେ ସହାୟକ ହେଉଥିବା ବର୍ତ୍ତମାନର ତଥ୍ୟ ଓ ଡାଟାସେଟ୍କୁ ଉନ୍ନତ କରାଯାଉ। ଚତୁର୍ଥତଃ, ଅଧିକ ବିପଦପ୍ରବଣ ଉପ-ଅବବାହିକାଗୁଡ଼ିକରେ ବଜେଟ୍ ଆବଣ୍ଟନ ଓ ଆବଶ୍ୟକ କାର୍ଯ୍ୟକୁ ପ୍ରାଥମିକତା ଦିଆଯାଉ।
ସିଇଇଡବ୍ଲ୍ୟୁ ଅନୁଯାୟୀ, ବଜେଟ୍ ଆବଣ୍ଟନକୁ ପ୍ରାଥମିକତା ଦେବା ସହ ବିଶୋଧିତ ବର୍ଜ୍ୟଜଳର ପୁନଃବ୍ୟବହାର ଏବଂ ସୂକ୍ଷ୍ମ ଜଳସେଚନ ଭଳି ଲକ୍ଷ୍ୟଭିତ୍ତିକ ଅନୁକୂଳନ ପଦକ୍ଷେପ ଲାଗୁ କରାଗଲେ, ଏହି ଅଧ୍ୟୟନର ନିଷ୍କର୍ଷ ତାମିଲନାଡୁ ସରକାରଙ୍କ ଅନ୍ତତଃ ୧୩ଟି ସଂସ୍ଥାକୁ ପ୍ରଭାବଶାଳୀ ତଥା ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇପାରୁଥିବା ଜଳ ସମ୍ପଦ ଯୋଜନା ପ୍ରସ୍ତୁତ କରିବାରେ ସହାୟତା କରିପାରିବ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା