
ଜମ୍ମୁ, ୨୭ ନଭେମ୍ବର (ହି.ସ.)। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଜମ୍ମୁ-କଶ୍ମୀର ଏବଂ ପଞ୍ଜାବର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ସଶସ୍ତ୍ର ସୀମା ବଳ (ଏସ୍ଏସ୍ବି)ର ଜଣେ ପୂର୍ବତନ ଅଧିକାରୀଙ୍କ ବିରୋଧରେ ଚାଲିଥିବା ମନି ଲଣ୍ଡରିଂ ତଦନ୍ତ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ସେ ଅର୍ଦ୍ଧସାମରିକ ବଳର ଯବାନଙ୍କ ସମେତ ଅନେକ ନିବେଶକଙ୍କୁ ଠକିଥିବା ଅଭିଯୋଗ ରହିଛି।
ଅଧିକାରୀମାନଙ୍କ ସୂଚନା ଅନୁଯାୟୀ, ମନି ଲଣ୍ଡରିଂ ନିରୋଧ ଆଇନ (ପିଏମ୍ଏଲ୍ଏ) ଅନୁଯାୟୀ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନରେ ଜମ୍ମୁ, କଠୁଆ, ଉଧମପୁର ଏବଂ ପଠାନକୋଟର ମୋଟ ୮ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ତଦନ୍ତ ସଶସ୍ତ୍ର ସୀମା ବଳ (ଏସ୍ଏସ୍ବି)ର ପୂର୍ବତନ କର୍ମଚାରୀ ଗୁରମିତ ସିଂହ ଏବଂ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ପରିଚାଳିତ ଏକ ଜାଲ୍ ‘ମନି ମଲ୍ଟିପ୍ଲାୟର’ ବା ଟଙ୍କାକୁ ଅନେକ ଗୁଣ ବଢ଼ାଇବାର ନିବେଶ ଯୋଜନା ସହ ଜଡ଼ିତ। ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ରାଜସ୍ଥାନ, ହରିୟାଣା ଏବଂ ବିହାର ପୁଲିସ ଦ୍ୱାରା ରୁଜୁ ହୋଇଥିବା ଏକାଧିକ ଏଫ୍ଆଇଆର୍ ଆଧାରରେ ଇଡି ଏହି ମାମଲା ରୁଜୁ କରିଛି। ଏହି ଠକେଇରେ ସାଧାରଣ ଜନତାଙ୍କ ସହ ଏସ୍ଏସ୍ବିର କାର୍ଯ୍ୟରତ ଏବଂ ଅବସରପ୍ରାପ୍ତ କର୍ମଚାରୀମାନେ ମଧ୍ୟ ଶିକାର ହୋଇଛନ୍ତି। ଅଧିକ ଏବଂ ନିଶ୍ଚିତ ମାସିକ ଲାଭ ମିଳିବ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇ ସେମାନଙ୍କୁ ନିବେଶ କରିବାକୁ ପ୍ରଲୋଭିତ କରାଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ, ବିଭିନ୍ନ ସଂସ୍ଥା ଏବଂ କମ୍ପାନୀ ଜରିଆରେ ନିବେଶକମାନଙ୍କଠାରୁ କୋଟି କୋଟି ଟଙ୍କାର ବିପୁଳ ଅର୍ଥ ସଂଗ୍ରହ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା