
ନୂଆଦିଲ୍ଲୀ, ୨୮ ନଭେମ୍ବର (ହି.ସ.)- ଭାରତୀୟ ଜନତା ପାର୍ଟି (ବିଜେପି) କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ପରିସୀମନ ବିଲ୍କୁ ସଂସଦୀୟ କ୍ଷେତ୍ରରେ ବଡ଼ ପରିବର୍ତନ ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛି। ପ୍ରସ୍ତାବିତ ପରିସୀମନ ବିଲ୍ ଅନୁଯାୟୀ ଲୋକସଭାର ବର୍ତମାନର ୫୪୩ଟି ଆସନକୁ ୫୦ ପ୍ରତିଶତ ବୃଦ୍ଧି କରି ୮୧୬କୁ ନେବା ପାଇଁ ପ୍ରସ୍ତାବ ରହିଛି। ଏହାଦ୍ୱାରା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ସଂସଦୀୟ ପ୍ରତିନିଧିତ୍ୱ ବୃଦ୍ଧି ପାଇବ।
ବିଜେପିର ସୋସିଆଲ ମିଡିଆ ମୁଖ୍ୟ ଦୀପକ ମହସ୍କେ ଏକ୍ସରେ ସରକାରଙ୍କ ଏହି ନିଷ୍ପତିକୁ ସ୍ୱାଗତ କରି କହିଛନ୍ତି ଯେ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ପକ୍ଷରୁ ପରିସୀମନ ସଂଶୋଧନ ବିଲ୍କୁ ଅନୁମୋଦନ ମିଳିବା ଗଣତାନ୍ତ୍ରିକ ପ୍ରତିନିଧିତ୍ୱକୁ ସୁଦୃଢ଼ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ। ଏହାଦ୍ୱାରା ୨୦୨୯ ଲୋକସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବାର ପଥ ମଧ୍ୟ ପ୍ରଶସ୍ତ ହେବ।
ଏହା କେବଳ ଏକ ବିଧାନଗତ ସଂସ୍କାର ନୁହେଁ, ବରଂ ସମାବେଶୀ ଗଣତନ୍ତ୍ରକୁ ସୁଦୃଢ଼ କରିବା ଏବଂ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ନାରୀଶକ୍ତିକୁ ଉପଯୁକ୍ତ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ଦିଗରେ ଏକ ନିର୍ଣ୍ଣାୟକ ପ୍ରତିବଦ୍ଧତା। ଏହି ପଦକ୍ଷେପ ସଂସଦରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ସହ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଧିକ ବ୍ୟାପକ ଓ ସମାବେଶୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ସମ୍ବିଧାନ (୧୩୨ତମ ସଂଶୋଧନ) ବିଲ୍-୨୦୨୬କୁ ଅନୁମୋଦନ କରିଥିଲା। ଏହା ଅନୁଯାୟୀ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟାରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ପ୍ରସ୍ତାବ ରହିଛି। ୧୯୭୧ ଜନଗଣନା ଆଧାରରେ ଆସନଗୁଡ଼ିକର ଅନୁପାତ ୨୦୫୧ ପର୍ଯ୍ୟନ୍ତ ବଜାୟ ରହିବ। ଅନ୍ୟପକ୍ଷରେ ରାଜ୍ୟଗୁଡ଼ିକ ମଧ୍ୟରେ ନିର୍ବାଚନମଣ୍ଡଳୀର ପରିସୀମନ ୨୦୧୧ ଜନଗଣନା ଆଧାରରେ କରାଯିବ।
ଏହି ବିଲ୍ର ଉଦ୍ଦେଶ୍ୟ ହେଉଛି ଲୋକସଭା ଓ ବିଧାନସଭାଗୁଡ଼ିକରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାର ପଥ ସୁଗମ କରିବା। ସରକାର ୨୦୨୯ ଲୋକସଭା ନିର୍ବାଚନରୁ ଏହାକୁ ଲାଗୁ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି। ଏହି ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଆଲୋଚନା ପାଇଁ ନଭେମ୍ବର ୩୦ରୁ ଲୋକସଭା ଏବଂ ଡିସେମ୍ବର ୨ରୁ ରାଜ୍ୟସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ବିଲ୍ଟି ଗୃହୀତ ହେବା ପାଇଁ ଉଭୟ ସଦନରେ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ହେବ।
-----------
ହିନ୍ଦୁସ୍ଥାନ ସମାଚାର / ଗଗନ