
ଭୁବନେଶ୍ୱର, 08 ନଭେମ୍ବର (ହି.ସ.) ଦୀପାବଳି ଅବସରରେ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ସବୁଜ ଦୀପାବଳି ପାଳନ କରିବାକୁ ଭୁବନେଶ୍ୱରବାସୀଙ୍କୁ ନିବେଦନ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ମେୟର ସୁଲୋଚନା ଦାସ।
ସେ କହିଛନ୍ତି ଯେ, ପରିବେଶରେ ବଢ଼ୁଥିବା ପ୍ରଦୂଷଣ ସମଗ୍ର ସମାଜକୁ ପ୍ରଭାବିତ କରୁଛି। ତେଣୁ ଦୀପାବଳି ନିଶ୍ଚିତ ଭାବେ ପାଳନ କରିବା ଉଚିତ, କିନ୍ତୁ ଏହା ସହିତ ବାୟୁ ଓ ଶବ୍ଦ ପ୍ରଦୂଷଣ କିପରି ରୋକାଯାଇପାରିବ, ସେଥିପ୍ରତି ମଧ୍ୟ ସମସ୍ତେ ସଚେତନ ହେବା ଆବଶ୍ୟକ।
ମେୟର କହିଛନ୍ତି ଯେ, ଶବ୍ଦ ପ୍ରଦୂଷଣ ଅତ୍ୟନ୍ତ ବିପଜ୍ଜନକ। ବିଶେଷକରି ବରିଷ୍ଠ ନାଗରିକ, ପଶୁପକ୍ଷୀ ଏବଂ ହୃଦ୍ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଏହା ଗମ୍ଭୀର ବିପଦ ସୃଷ୍ଟି କରିପାରେ। ଏପରିକି ଅତ୍ୟଧିକ ଶବ୍ଦ ସେମାନଙ୍କ ଜୀବନ ପ୍ରତି ବିପଦ ଆଣିପାରେ।
ସେ ସମସ୍ତଙ୍କୁ ପାରମ୍ପରିକ ଢଙ୍ଗରେ ଦୀପାବଳି ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି। ମିଠା ବଣ୍ଟନ, ମାଟି ଦୀପ ଜାଳିବା ଓ ଝୋଟି ରଙ୍ଗୋଲି ଆଦି ମାଧ୍ୟମରେ ପରିବାର, ବନ୍ଧୁବାନ୍ଧବଙ୍କ ସହ ଏହି ପର୍ବ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହ ଉଚ୍ଚଶବ୍ଦ ସୃଷ୍ଟିକାରୀ ବାଣଠାରୁ ଦୂରେଇ ରହିବାକୁ ମେୟର ସମସ୍ତଙ୍କୁ ନିବେଦନ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ