ରାଉରକେଲା ବେଦବ୍ୟାସ ପୀଠରେ ମହାଶିବରାତ୍ରି, ରାଜାରାଜୁଡ଼ା ସମୟର ମେଳା ଆରମ୍ଭ
ରାଉରକେଲା, ୧୫ ଫେବୃଆରୀ (ହି.ସ.)- ରାଉରକେଲାର ବେଦବ୍ୟାସ ପୀଠରେ ଆଜି ମହାଶିବରାତ୍ରି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି । ଏହି ଶିବରାତ୍ରିରେ ରାଜାରାଜୁଡ଼ା ସମୟରୁ ଚାଲି ଆସୁଥିବା ଐତିହାସିକ ମେଳା ମଧ୍ୟ ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ରବିବାର ସନ୍ଧ୍ୟାରେ ଏ
ରାଉରକେଲା ବେଦବ୍ୟାସ ପୀଠରେ ମହାଶିବରାତ୍ରି, ରାଜାରାଜୁଡ଼ା ସମୟର ମେଳା ଆରମ୍ଭ


ରାଉରକେଲା, ୧୫ ଫେବୃଆରୀ (ହି.ସ.)- ରାଉରକେଲାର ବେଦବ୍ୟାସ ପୀଠରେ ଆଜି ମହାଶିବରାତ୍ରି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି । ଏହି ଶିବରାତ୍ରିରେ ରାଜାରାଜୁଡ଼ା ସମୟରୁ ଚାଲି ଆସୁଥିବା ଐତିହାସିକ ମେଳା ମଧ୍ୟ ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ରବିବାର ସନ୍ଧ୍ୟାରେ ଏହି ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ବେଦବ୍ୟାସ ମନ୍ଦିରରେ ୨୪ ଘଂଟା ସଂକୀର୍ତନ ଚାଲିଥିବା ବେଳେ ବ୍ରାହ୍ମଣୀ ନଦୀକୂଳ ଠାରୁ ଆରମ୍ଭ କରି ପାହାଡ଼ ଉପରେ ଥିବା ବେଦବ୍ୟାସ ପୀଠର କୋଣାନୁକୋଣରେ ଭକ୍ତମାନେ ଜାଗର ଦୀପ ଜାଳି ବସିଛନ୍ତି । ତେବେ ଭକ୍ତ ମାନଙ୍କୁ ରାତିସାରା ଏହି ପବିତ୍ର ପୀଠରେ ବାନ୍ଧି ରଖିବା ପାଇଁ ପ୍ରଶାସନ ପକ୍ଷରୁ ଭଜନ ସମାରୋହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସେପଟେ ବେଦବ୍ୟାସର ବିସ୍ତୀର୍ଣ୍ଣ ଖାଲିଥିବା ଜାଗାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବ୍ୟବସାୟୀମାନେ ଆସି ସେହି ପାରମ୍ପରିକ ସାମଗ୍ରୀର ଦୋକାନ ମାନ ଖୋଲି ସାରିଛନ୍ତି । ଏହି ମେଳା ୧୫ ଦିନ ଧରି ଚାଲିବ । ତେବେ ରାଜାରାଜୁଡ଼ା ସମୟରେ ଗ୍ରାମାଚଂଳରେ ସେଭଳି କୌଣସି ଦୋକାନ ବଜାର ନଥିବାରୁ ଲୋକେ ଝିଅ ବାହାଘର ଠାରୁ ଆରମ୍ଭ କରି ବିଭିନ୍ନ ପର୍ବପର୍ବାଣୀ ପାଇଁ ଏହି ମେଳାରୁ ସୁନା ଠାରୁ ଆରମ୍ଭ କରି ନାନା ସାମଗ୍ରୀ କିଣି ନିଜର ଆବଶ୍ୟକତାକୁ ପୂରଣ କରୁଥିଲେ । ସେହି ପରମ୍ପରାକୁ ବଜାୟ ରଖି ଆଜି ବି ବେଦବ୍ୟାସରେ ଶିବରାତ୍ରିରେ ଏହି ମେଳାର ଆୟୋଜନ କରାଯାଉଛି ।

ଏହି ପବିତ୍ର ତିଥିରେ ମହାଦେବଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ଜଳାଭିଶେକ ଲାଗି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ସଂନ୍ଧ୍ୟାରେ ମନ୍ଦିର ବେଢ଼ାରେ ଜାଗର ଦୀପ ଜାଳିଛନ୍ତି ଭକ୍ତ । ବେଦବ୍ୟାସ ଟ୍ରଷ୍ଟ ବୋର୍ଡ଼, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଜାଗର ଜାଳିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଠାରେ ବିଳମ୍ବିତ ରାତିରେ ମହାଦୀପ ଉଠିବ ।

ମେଳାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଅଗ୍ନି ନିରାପତା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଉରକେଲା ଅଗ୍ନିଶମ ବିଭାଗ ପକ୍ଷରୁ ମେଳାରେ ଏକ କଂଟ୍ରୋଲ ରୁମ୍ ଖୋଲା ଯାଇଛି । ପ୍ରତିଦିନ ସଂନ୍ଧ୍ୟାରେ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande