ଚିତ୍ରକୋଣ୍ଡା ବ୍ଲକରେ ଆବାସ ଯୋଜନା ପାଲଟିଛି ପ୍ରହସନ
ମାଲକାନଗିରି, ୨୮ ଫେବୃଆରୀ (ହି.ସ.)- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ଆବାସ ଯୋଜନା ସାତ ସପନ । କେଉଁଠି ଘର ନିର୍ମାଣ ସରିଛି, ହେଲେ ଏପର୍ଯ୍ୟନ୍ତ ହିତାଧିକାରୀଙ୍କୁ ହସ୍ତାନ୍ତର ହୋଇନି, ଆଉ କେଉଁଠି ମୂଳରୁ କାମ ଆରମ୍ଭ ହୋଇନାହିଁ । ଫଳରେ ଅନେକ ଅଭାବୀ ପରିବାର ଆଜି ବି ଦଦରା ଘରେ ପିଲାଛୁଆଙ୍
ଚିତ୍ରକୋଣ୍ଡା ବ୍ଲକରେ ଆବାସ ଯୋଜନା ପାଲଟିଛି ପ୍ରହସନ


ମାଲକାନଗିରି, ୨୮ ଫେବୃଆରୀ (ହି.ସ.)- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ଆବାସ ଯୋଜନା ସାତ ସପନ । କେଉଁଠି ଘର ନିର୍ମାଣ ସରିଛି, ହେଲେ ଏପର୍ଯ୍ୟନ୍ତ ହିତାଧିକାରୀଙ୍କୁ ହସ୍ତାନ୍ତର ହୋଇନି, ଆଉ କେଉଁଠି ମୂଳରୁ କାମ ଆରମ୍ଭ ହୋଇନାହିଁ । ଫଳରେ ଅନେକ ଅଭାବୀ ପରିବାର ଆଜି ବି ଦଦରା ଘରେ ପିଲାଛୁଆଙ୍କୁ ଧରି ମୁଣ୍ଡ ଗୁଞ୍ଜିଛନ୍ତି । ବର୍ଷ ବର୍ଷର ଅପେକ୍ଷା ପରେ ବି ଆବାସ ତାଲିକାରେ ସାମିଲ ହୋଇପାରୁନାହାନ୍ତି । ସେପଟେ ବ୍ଲକ ପ୍ରଶାସନ କହୁଛି, ଆବାସରେ ରହିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ହିତାଧିକାରୀ । ପକ୍କାଘର କାର୍ଯ୍ୟାଦେଶ ମିଳିଛି, ଘର ନିର୍ମାଣ ସରିଛି, ହେଲେ ହିତାଧିକାରୀଙ୍କୁ ମିଳିନାହିଁ । ଅନ୍ୟପଟେ ନିର୍ମାଣ ସରିଥିବା ଆବାସ ଗୃହ ଏବେ ବଣ ଜଙ୍ଗଲ ପାଲଟିଛି । ଚିତ୍ରକୋଣ୍ଡା ବ୍ଲକ ସଦର ମହକୁମା ନିକଟରେ ଥିବା ଶ୍ରୀହରି କଲୋନୀ ଠାରେ ନିର୍ମାଣ କରାଯାଇଥିବା ଆବାସ ଗୃହ ବିକାଶର ଅସଲ ଚିତ୍ର ବୟାନ କରୁଛି । ପାଞ୍ଚ ବର୍ଷ ତଳୁ ପକ୍କାଘର ନିର୍ମାଣ ସାରିଛି ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ । ହେଲେ ଆଜି ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଘର ହସ୍ତାନ୍ତର ହୋଇ ପାରିଲା ନାହିଁ । ୧୦ରୁ ୧୫ ହିତାଧିକାରୀଙ୍କ ଲାଗି ଆସିଥିବା ଘରର ଅବସ୍ଥା ନକହିବା ଭଲ । କେଉଁଠି ଝରକା ଭାଙ୍ଗି ଗଲାଣି ତ ଆଉ କେଉଁଠି କବାଟ ନାହିଁ । ଘରର ଚାରିପଟେ ଜଙ୍ଗଲ ପରିବେଶ ସୃଷ୍ଟି ହେଲାଣି, ଆଉ ଏହାର ସୁଯୋଗ ନେଇ ଆଡ୍ଡା ଜମାଇଲେଣି ଅସାମାଜିକ ବ୍ୟକ୍ତି ।

ପକ୍କାଘର ଅପେକ୍ଷାରେ ଥିବା ଚିତ୍ରକୋଣ୍ଡା ପଞ୍ଚାୟତ ସ୍ଥିତ ଶ୍ରୀହରି କୋଲନୀର ଦେବକୀ ସାଗର । ସ୍ୱାମୀ-ସ୍ତ୍ରୀ ମୁଲ ଲାଗିଲେ ଘର ଚଳେ । ଦିନେ କାମ ନକଲେ ଉପାସ ରହୁଥିବା ପରିବାର, ନିଜ ସମ୍ବଳରେ ପକ୍କାଘର କରିବାକୁ ସାହାସ ଜୁଟେଇ ପାରୁନାହିଁ । ତେଣୁ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି । ଆବାସ ଘରଟିଏ ପାଇଁ ବାରମ୍ବାର ପଞ୍ଚାୟତଠୁ ବ୍ଲକ କାର୍ଯ୍ୟାଳୟ ଧାଇଁଛନ୍ତି, ଆବେଦନ ବି କରିଛନ୍ତି । ହେଲେ ଆବାସ ହିତାଧିକାରୀ ତାଲିକାରେ ଯୋଡ଼ି ହୋଇପାରିନାହିଁ ତାଙ୍କ ନା । କେବଳ ଦେବକୀ ନୁହନ୍ତି, ଅନେକ ପରିବାର ଘର ଅପେକ୍ଷାରେ ଅଛନ୍ତି, ତଥ୍ୟ ଅନୁଯାୟୀ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ୧୮ଟି ପଞ୍ଚାୟତ ପାଇଁ ୨୦୨୧-୨୨ ଓ ୨୪-୨୫ ଆର୍ଥିକ ବର୍ଷରେ ୧୨୬୭ଟି ପ୍ରଧାନମନ୍ତ୍ରୀ ଆବାସ ଆସିଥିଲା । ନିର୍ମାଣ ହୋଇଛି ୫୬୨ ଘର, ୭୦୫ଟି ଘର ଅସମ୍ପୂର୍ଣ୍ଣ । ସେହିଭଳି ୨୦୨୪-୨୫ ଓ ୨୫-୨୬ ଆର୍ଥିକ ବର୍ଷରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆସିଛି ୫୯୪ ଘରଏବେ ସୁଦ୍ଧା ମାତ୍ର ୨୪ଟି ଘର ସମ୍ପୂର୍ଣ୍ଣ ହୋଇଛି । ଯାହା ଏବେ ଚିତ୍ରକୋଣ୍ଡା ବ୍ଲକର ଆବାସ ଯୋଜନା ବଣ୍ଟନରେ ଅବ୍ୟବସ୍ଥାକୁ ପଦାରେ ପକାଇଛି ।

ଆବାସ ସଂପର୍କରେ ଚିତ୍ରକୋଣ୍ଡା ବିଡିଓ କହିଛନ୍ତି, ନିର୍ମାଣ ହୋଇଥିବା ଘରେ ରହିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ହିତାଧିକାରୀ । ଆଉ ଯେଉଁ ସବୁ ଆବାସ ଗୃହ ନୂତନ ଭାବରେ ଦିଆଯାଇଛି ତାହା ତୁରନ୍ତ ସମ୍ପୂର୍ଣ ହେବ । ତେବେ ଦେଖିବାକୁ ବାକି ରହିଲା କେବେ ଆବାସ ଯୋଗାଇବାରେ ସଫଳ ହେଉଛି ବ୍ଲକ ପ୍ରଶାସନ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande