
କେନ୍ଦ୍ରାପଡା-୦୩/୦୨: କେନ୍ଦ୍ରାପଡା ଦୁହୁରିଆ ନିକଟରେ ଦୁଇଟି ଅଣ୍ଡରପାସ ନିର୍ମାଣ କରିବାକୁ ଯୋଜନା ହୋଇଥିବା ବେଳେ ଠିକାସଂସ୍ଥା ଗୋଟିଏ ଅଣ୍ଡରପାସ ନିର୍ମାଣ କରି ଚୁପ ହୋଇ ବସିଛି । ଏହାଦ୍ୱାରା ଭବିଷ୍ୟତରେ ବହୁ ଦୁର୍ଘଟଣା ଘଟିବ । ଯେଉଁଥିରେ ଅନେକ ଲୋକଙ୍କ ପ୍ରାଣହାନୀ ଘଟିବ । ଏହି ସମସ୍ୟାକୁ ଜିଲ୍ଲା ପ୍ରଶାସନ ହୃଦୟଙ୍ଗମ କରି ଠିକାସଂସ୍ଥା ସହ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ ସୁଧା ଠିକାସଂସ୍ଥା ଏହାକୁ କର୍ଣ୍ଣପାତ କରୁନାହିଁ । ଏହାକୁ ନେଇ କେନ୍ଦ୍ରାପଡାର ବୁଦ୍ଧିଜିବୀମାନେ ଜାତୀୟ ରାଜପଥର ଆଞ୍ଚଳିକ କତ୍ତୃପକ୍ଷଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଅଭିଯୋଗରେ ଉଲ୍ଲେଖ ରହିଛି ଠିକାସଂସ୍ଥା ଦୁଇଟି ଅଣ୍ଡରପାସ ନିର୍ମାଣ କରିବେ ବୋଲି କହିବାରୁ ସ୍ଥାନୀୟ ଦୋକାନୀମାନେ କ୍ୟାବିନ ଉଠାଇ ଦେଇଥିଲେ । ସ୍ଥାନୀୟ ଯୁବକମାନେ ନିଜର ପେଟପାଟଣା କଥାକୁ ଅଗ୍ରାଧିକାର ନଦେଇ ସାମାଜିକ ମଙ୍ଗଳ କଥା ଚିନ୍ତାକଲେ । କିନ୍ତୁ ଠିକାସଂସ୍ଥା ନିଜର କର୍ତ୍ତବ୍ୟ ଭୁଲିଗଲା । ଗୋଟିଏ ଅଣ୍ଡରପାସ ନିର୍ମାଣ ହୋଇଥିବାରୁ ଗାଡି ମଟର ଗୁଡିକ ଚାନ୍ଦବାଲିରୁ କେନ୍ଦ୍ରାପଡା ଦେଇ କଟକ ଯିବା ସୁବିଧା ହେବ । କିନ୍ତୁ କଟକରୁ ଯେଉଁ ଗାଡି ମଟର ଗୁଡିକ କେନ୍ଦ୍ରାପଡା ଦେଇ ଚାନ୍ଦବାଲି ଅଭିମୁଖେ ଯିବ ସେଥିପାଇଁ ଆଉ ଏକ ଅଣ୍ଡରପାସ ନିର୍ମାଣର ଆବଶ୍ୟକତା ରହିଛି । ଆଉ ଏକ ଅଣ୍ଡରପାସ ନିର୍ମାଣ ନହେଲେ କଟକରୁ ଆସୁଥିବା ଗାଡିମଟର ଗୁଡିକ ଦୁର୍ଘଟଣାର ସମ୍ମୁଖୀନ ହେବ । ଏଠାରେ ସୂଚନା ଯୋଗ୍ୟ ଯେ କଟକ-ଚାନ୍ଦବାଲି ରାସ୍ତା ୬ଲେନ ବିଶିଷ୍ଟ ହେବା ପାଇଁ ସରକାରୀ ମଞ୍ଜୁରୀ ମିଳିଥିବାରୁ ଏଠାରେ ଅନ୍ୟ ଏକ ଅଣ୍ଡରପାସ ନିର୍ମାଣ ହେବାର ଯଥେଷ୍ଟ ଆବଶ୍ୟକ ରହିଛି । ଗୋଟିଏ ଅଣ୍ଡରପାସ ନିର୍ମାଣ ହୋଇଥିବାରୁ କଟକ ଜିଲ୍ଲାରୁ ଆସୁଥିବା ଗାଡି, ଜଗତସିଂହପୁର ଜିଲ୍ଲାରୁ ଆସୁଥିବା ଗାଡି, ଯାଜପୁର ଜିଲ୍ଲାରୁ ଆସୁଥିବା ଗାଡି ଓ ଭଦ୍ରକ ଜିଲ୍ଲାରୁ ଆସୁଥିବା ଗାଡି ଗୋଟିଏ ସ୍ଥାନରେ ପରସ୍ପରକୁ ଅତିକ୍ରମ କରିବେ । ଫଳରେ ଗୋଟିଏ ଛକରେ ଚାରି ଜିଲ୍ଲାର ଗାଡି ପରସ୍ପର ମଧ୍ୟରେ ସମସ୍ୟା ସୃଷ୍ଟି କରିବେ । ଏହି ସମସ୍ୟାର ସମାଧାନ କରିବାକୁ ହେଲେ ଆଉ ଏକ ଅଣ୍ଡରପାସ ନିର୍ମାଣର ଆବଶ୍ୟକତା ରହିଛି । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଏଠାରେ ଅଣ୍ଡରପାସ ନିର୍ମାଣ କରାଯିବା ପୂର୍ବରୁ ପ୍ରଶାସନ ଓ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଦାବି କରାଯାଇଥିଲା । ଏହାକୁ ପ୍ରଶାସନ ହୃଦୟଙ୍ଗମ କରି ଠିକାସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲା ଏଠାରେ ଦୁଇଟି ଅଣ୍ଡରପାସ ନିର୍ମାଣ କରିବା ପାଇଁ । ଠିକାସଂସ୍ଥା ମଧ୍ୟ ଦୁଇଟି ଅଣ୍ଡରପାସ ନିର୍ମାଣ କରିବାକୁ ସହମତି ପ୍ରକାଶ କରିଥିଲା । ହେଲେ ଏବେ ଠିକାସଂସ୍ଥା ନିଜ ପ୍ରତିଶୃତିରୁ ଓହରି ଯାଉଛି । ଏହାଦ୍ୱାରା ଜନସାଧାରଣଙ୍କ ଜୀବନ ବିପଦରେ ପଡିବ । ଯଦି ଠିକାସଂସ୍ଥା ଖୁବଶୀଘ୍ର ଆଉ ଏକ ଅଣ୍ଡରପାସ ନିର୍ମାଣ ନକରେ ତାହାହେଲେ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ବୁଦ୍ଧିଜିବୀମାନେ ଜାତୀୟ ରାଜପଥ କତ୍ତୃପକ୍ଷଙ୍କୁ ଭେଟି ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି । ଆଲୋଚନାରେ ବରିଷ୍ଠ ଆଇନଜୀବୀ ବିଜୟ କୁମାର ପରିଡା, ଦେବାଶିଷ ଦାସ, ସନାତନ ମୁଦୁଲି, ସ୍ୱୟଂପ୍ରକାଶ ଦାସ, ଗିରିଧାରୀ ପଟ୍ଟନାୟକ, ପ୍ରଶାନ୍ତ ସେଠୀ, ବିଶ୍ୱପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି