
କୋରେଇ, ୧ ମାର୍ଚ୍ଚ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଥାନାର ଅନତିଦୂର ଟ୍ରମା କେୟାର ସମ୍ମୁଖରେ ପିକଅପ ସହ ହାଇୱା ଦୁର୍ଘଟଣା ହେବାରୁ ଉଭୟ ଚାଳକ ଆହତ ହୋଇଛନ୍ତି । ପ୍ରକାଶ ଯେ, ପାଣିକୋଇଲି ଟ୍ରମା କେୟାର ନିକଟରେ ରାଜପଥ ଉପରେ ଏକ ପିକଅପ ବ୍ରେକ ଡାଉନ ହୋଇ ରାସ୍ତା ଉପରେ ଅଟକି ରହିଥିଲା । ଆଜି ମଧ୍ୟାହ୍ନରେ ପାଣିକୋଇଲି ପଟୁ ଭଦ୍ରକ ଅଭିମୁଖେ ଯାଉଥିବା ଏକ ପାଉଁଶ ବୋଝେଇ ହାଇୱା ତାକୁ ଧକ୍କା ଦେଇ ରାସ୍ତା ମଝି ଡିଭାଇଡର ଉପରେ ଚଢି ଯାଇଥିଲା । ଅନ୍ୟପଟେ ଧକ୍କା ଖାଇ ପିକଅପଟି ଓଲଟି ପଡିଥିଲା । ଫଳରେ ଉଭୟ ଗାଡି ଦୁର୍ଘଟଣାର ସମ୍ମୁଖିନ ହେବା ସହ ଚାଳକ ଆହତ ହୋଇଥିଲେ । ସ୍ଥାନୀୟ ଲୋକ ଓ ପୁଲିସ ପହଂଚି ହାଇୱା ଡ୍ରାଇଭରକୁ ଗାଡି ମଧ୍ୟରୁ ଉଦ୍ଧାର କରିଥିଲେ । ଫଳରେ ଯାତାୟତ କିଛି ସମୟ ପାଇଁ ବ୍ୟାହାତ ହୋଇଥିଲା । ପୁଲିସ ଗାଡି ଦୁଇଟିକୁ ଉଠାଇବା ପରେ ଗାଡି ଚଳାଚଳ ସ୍ଵାଭାବିକ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ