
କେନ୍ଦ୍ରାପଡ଼ା,୦୧ ମାର୍ଚ୍ଚ(ହି.ସ.) – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କେନ୍ଦ୍ରପଡ଼ାରେ ଜିଲ୍ଲାସ୍ତରୀୟ ହ୍ୟୁମାନ ପାପିଲୋମା ଭାଇରସ ସଂକ୍ରମଣ ଅର୍ଥାତ୍ ଜରାୟୁ ଗ୍ରୀବା କର୍କଟ ନିରୋଧ ପାଇଁ ଟୀକାକରଣ କାର୍ୟ୍ୟକ୍ରମର ଶୁଭ ଉଦ୍ଘାଟନ ହୋଇଯାଇଛି। କାର୍ଯ୍ୟକ୍ରମଟିକୁ ବିଧାୟକ ମହାକାଳପଡ଼ା ଡ଼. ଦୁର୍ଗା ପ୍ରସନ୍ନ ନାୟକ ଓ ବିଧାୟକ କେନ୍ଦ୍ରପଡ଼ା ଶ୍ରୀ ଗଣେଶ୍ୱର ବେହେରାଙ୍କ କରକମରେ ଉଦ୍ଘାଟନ କରାଯାଇଥିଲା। ଏହି ଟୀକାକରଣ ୧୪ ବର୍ଷୀୟା କିଶୋରୀମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ହୋଇଥିବା ସହ ତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ଭବିଷ୍ୟତ୍ ସୁରକ୍ଷା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି। ଏହି ଟୀକା ମାଧ୍ୟମରେ ଆଗାମୀ ଦିନରେ ଜରାୟୁ ଗ୍ରୀବା କର୍କଟ ରୋଗକୁ ପ୍ରତିହତ କରାଯାଇପାରିବ। ଏହି ଅଭିଯାନ ଆସନ୍ତା ତିନି ମାସ ଧରି ଚାଲିବ ଏବଂ ୧୪ ରୁ ୧୫ ବର୍ଷ ବୟସର ସମସ୍ତ ବାଳିକାମାନେ ଏହାର ସୁବିଧା ନେବେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍ ଆୟର, ଆଇ.ଏ.ଏସ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ମନୋରଞ୍ଜନ ରାଉତ, ଏ.ଡି.ଏମ୍.ଓ(ମେଡିକାଲ) ଡ଼. କିଶୋର ଚନ୍ଦ୍ର ମିଶ୍ର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ସଚିଦାନନ୍ଦ ମିଶ୍ର, ପ୍ରଶାସନିକ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ନାୟକ, ଡି.ପି.ଏଚ୍.ସି.ଓ ଶ୍ରୀ ଶୁଭନାରାୟଣ ନାୟକ, ଡେପୁଟି ମ୍ୟାନେଜର ଡ଼. ସୁକାନ୍ତ କୁମାର ପ୍ରଧାନ, ଜିଲ୍ଲା ଡାଟା ମ୍ୟାନେଜର ଶ୍ରୀ ଜ୍ୟୋତି ରଞ୍ଜନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଆଜିର କାର୍ୟ୍ୟକ୍ରମରେ ୨୦ ଜଣ କିଶୋରୀଙ୍କୁ ଟୀକା ପ୍ରଦାନ କରାଯାଇଥିଲା। ଏହି ଟୀକାକରଣ କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଦାନ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଜଣାଇଛନ୍ତି। ଗୋଷ୍ଠୀ ସ୍ତରରେ ଆଶା ଓ ଅଙ୍ଗନୱାଡ଼ି କର୍ମୀମାନଙ୍କ ମାଧ୍ୟମରେ ଏହାର ବ୍ୟାପକ ପ୍ରଚାର-ପ୍ରସାର କରାଯିବ ବୋଲି ମାନ୍ୟବର ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ କହିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି