ପ୍ରବାସୀ ଶ୍ରମିକ ସଚେତନତା ସଭା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆପଡ଼ା, ୧୬ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର କେନ୍ଦୁପାଟି ଗ୍ରାମ ପଂଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି
Prabasi shramik sachetanata


ନୂଆପଡ଼ା, ୧୬ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର କେନ୍ଦୁପାଟି ଗ୍ରାମ ପଂଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ସି ଡି ଏମ୍ ଓ ଡଃ. ଧନେଶ୍ୱର ସେଠୀ, ବିଡ଼ିଓ ମିଳନ କୁମାର ଝାଙ୍କର, ତହସିଲଦାର ନରସିଂହ ଗଦବା, ସ୍ଥାନୀୟ ସରପଞ୍ଚ ଚନ୍ଦ୍ର ଷଣ୍ଢ ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l ସଭାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇ ଶ୍ରମିକ, କୃଷକ, ମହିଳା ତଥା ଜନସାଧାରଣଙ୍କ ପାଇଁ ଥିବା ବିଭିନ୍ନ ବିଭାଗୀୟ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ l ପ୍ରଥମେ ସମାରୋହରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳ ନବଜାତକ ଶିଶୁକନ୍ୟା ପୂଜା ପୋଡକୁ କୋଳରେ ଧରି ତାହାର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଶିଶୁର ପିତାମାତାଙ୍କୁ ଉପହାର ସହିତ ନୂତନ ବୃକ୍ଷ ଚାରା ପ୍ରଦାନ କରିଥିଲେ l ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ତିନି ଜଣ ଗର୍ଭବତୀ ମହିଳାଙ୍କୁ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥି ମାନେ ଭେଟି ଦେଇଥିଲେ l ଏହି ଅବସରରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ପାଲା ପରିବେଷଣ କରାଯାଇ ପ୍ରବାସୀ ଶ୍ରମିକ ନିରାକରଣ ଓ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନତା ସୃଷ୍ଟି କରା ଯାଇଥିଲା। ସ୍କୁଲ ପିଲା ମାନଙ୍କ ଦ୍ଵାରା ନୃତ୍ୟ ପରିବେଶଣ କରାଯାଇ ଜନସଚେତନତା ସୃଷ୍ଟି କରାଯାଇଥିଲା। ଶିବିରରେ ଜିଲ୍ଲାପାଳ ସମସ୍ତଙ୍କୁ ଉଦବୋଧନ ଦେଇ କହିଲେ ଯେ, ସରକାରଙ୍କ ପକ୍ଷରୁ ବହୁତ ଜନ ମଙ୍ଗଳକାରୀ ତଥା କର୍ମ ନିଯୁକ୍ତି ଯୋଜନା ଜିଲ୍ଲାରେ ଉପଲବ୍ଧ ଅଛି। ସେ ଗ୍ରାମବାସୀଙ୍କୁ ପ୍ରବାସୀ ଶ୍ରମିକ ଭାବରେ ନଯାଇ ଘରେ ରହି ଏହାର ଲାଭ ଉଠାଇବା ପାଇଁ ଆହ୍ବାନ ଦେଇଥିଲେ। ସେ ଛୋଟ ପିଲାଙ୍କୁ ଶିଶୁ ଶ୍ରମିକ ଭାବେ ନିୟୋଜିତ ନକରି ସ୍କୁଲ୍ ପଠେଇବା ପାଇଁ ବାପା ମା ମାନଙ୍କୁ କହିଥିଲେ। ସେହିପରି ଗାଁ କୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ସେ ଆହ୍ବାନ ଦେଇଥିଲେ। ଏହି ଅବସରରେ, ତିନି ଜଣ ହିତାଧିକାରୀ ଶ୍ରମିକଙ୍କୁ ମନରେଗା ଯୋଜନାରେ ୧୦୦ ରୁ ଅଧିକ ଦିନ କାମ କରିଥିବାରୁ ସମ୍ୱର୍ଦ୍ଧିତ କରାଯାଇଥିଲା। ସେହିପରି ଦୁଇ ପରିବାରକୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଚମରୁ ବଚ୍ଛା, ଗୋଲାପୀ ବାଗ, ବିଶ୍ଵନାଥ ନାଗ, କୌଶଲ୍ୟା କନ୍ଦ, ଦୁର୍ଯ୍ୟଧନ ଓ ଦେବକୀ ହରିଜନଙ୍କୁ ୫୦,୦୦୦ ଟଙ୍କା ଲେଖାଏ ବିବାହ ସହାୟତା ପ୍ରଦାନ କରାଯାଇଥିଲା। ସେହିପରି, ଗୟା ଶବର ଓ ଦୂର୍ଯ୍ୟଧନଙ୍କୁ ଶିକ୍ଷା ସହାୟତା ପ୍ରଦାନ କରାଯାଇଥିଲା। ଦୁଇ ଜଣ କୃତ୍ତି ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ, ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଅତିଥିମାନେ ପକ୍ଷୀମାନଙ୍କ ପାଇଁ ବାସ, ଖାଦ୍ୟ, ଜଳ ଯୋଗାଇ ଦେଇଥିଲେ l

ଏହି ଶିବିରକୁ ଖଡ଼ିଆଳ ବିଡ଼ିଓ ମିଳନ କୁମାର ଝାଙ୍କର, ତହସିଲଦାର ନରସିଂହ ଗଦବା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏସ ଗୀତା ,ସ୍ଥାନୀୟ ସରପଞ୍ଚ, ପଞ୍ଚାୟତିରାଜ ବିଭାଗ, ଜଙ୍ଗଲ ବିଭାଗ ପ୍ରମୁଖ ମିଳିତ ଭାବରେ ଆୟୋଜନ କରିଥିଲେ।

ଏହି ଅବସରରେ, ଜିଲ୍ଲାପାଳ ଓ ଅଧିକାରୀମାନେ ପ୍ରବାସୀ ଶ୍ରମିକ ନିରାକାର ପୋଢ଼ଙ୍କ ଘରକୁ ପରିଦର୍ଶନ କରି ତାଙ୍କ ପରିବାର ସହ ଆଲୋଚନା କରିଥିଲେ। ପୋଢ଼ ହାଇଦ୍ରାବାଦରେ ଇଟା ଭାଟିରେ ଶ୍ରମିକ ଭାବେ କାମ କରୁଥିଲେ। କିନ୍ତୁ, ଏବେ ସେ ଘରେ ରହି ମନରେଗା ଯୋଜନାରେ କାମ କରୁଛନ୍ତି। ପୋଢଙ୍କ ପୁଅ ଗୋଟେ ଦୁର୍ଘଟଣାରେ ୩୦ ଶତକଡ଼ା ବିକଳାଙ୍ଗ ହୋଇ ଯାଇଛନ୍ତି। ତାଙ୍କୁ ଗୋଟେ ଗ୍ରୋସରୀ ଦୋକାନ ଖୋଲିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ଯୋଜନା ବିଷୟରେ ବୁଝାଇବା ସହ ଏହାର ଲାଭ ନେବା ପାଇଁ ମଧ୍ୟ ଜିଲ୍ଲାପାଳ ତାଙ୍କୁ ପରାମର୍ଶ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande