
ଆଗ୍ରା, ୨୦ ମାର୍ଚ୍ଚ (ହି.ସ.) । ଗୁରୁବାର ରାତିରେ ଉତର ପ୍ରଦେଶର ଆଗ୍ରା ଜିଲ୍ଲାରେ ରାଜସ୍ଥାନର କେଲା ଦେବୀ ମନ୍ଦିରରୁ ଫେରୁଥିବା ଇଟାୱାର ଭକ୍ତମାନଙ୍କୁ ନେଇ ଯାଉଥିବା ଏକ ବୋଲେରୋ କାର୍ ଏକ ଗଛରେ ଧକ୍କା ହୋଇ ଭାଙ୍ଗି ଚୁରମାର୍ ହୋଇଯାଇଛି । ଦୁର୍ଘଟଣାରେ ୫ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି । ଗାଡି ଚଲାଉଥିବା ବେଳେ ବୋଲେରୋ ଚାଳକର ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ଆଗ୍ରା ଜିଲ୍ଲାର ଚିତ୍ରହାଟ ଥାନା ଅନ୍ତର୍ଗତ ପାଇ ଗ୍ରାମ ନିକଟରେ ରାତି ପ୍ରାୟ ୧୨ଟା ସମୟରେ ଏକ ବୋଲେରୋ ନଂ (ୟୁପି ୭୯ଏକ୍ସ ୧୮୫୧) ଏକ ଗଛରେ ଧକ୍କା ଦେଇଥିଲା । ବାଲେରୋରେ ଡ୍ରାଇଭର ସମେତ ନଅ ଜଣ ଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତାହତମାନଙ୍କୁ ଉଦ୍ଧାର କରିଥିଲା ଏବଂ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଜୈତପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । ଡାକ୍ତରମାନେ ପାଂଚ ଜଣଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଅନ୍ୟ ଚାରି ଜଣଙ୍କୁ ଗୁରୁତର ଦର୍ଶାଇ ଇଟାୱାର ସୈଫାଇ ମେଡିକାଲ କଲେଜକୁ ପଠାଯାଇଥିଲା ।
ପୂର୍ବ ଜୋନ୍ ଆଗ୍ରାର ଡିସିପି ଅଭିଷେକ ଅଗ୍ରୱାଲ କହିଛନ୍ତି ଯେ, ଦୁର୍ଘଟଣାରେ ଗୋଟିଏ ପରିବାରର ପାଂଚ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ସେମାନଙ୍କୁ ଇଟାୱା ଜିଲ୍ଲାର ଗାନ୍ ନାଗଲା ବର, ଥାନା ଇକଦିଲ୍ ର ଦୀପକଙ୍କ ଝିଅ ଆରାଧୀ (୮), ଦେବେନ୍ଦ୍ର (୩୫) ଏବଂ ତାଙ୍କ ସ୍ତ୍ରୀ ସୀମା (୩୨), କାମତା (୬୦) ଏବଂ ପ୍ରତାପପୁରାରର ରିଷି (୩୦) ଭାବରେ ଚିହ୍ନଟ କରାଯାଇଛି । ଆହତମାନଙ୍କ ମଧ୍ୟରେ ଦୀପକଙ୍କ ପୁଅ ରିଷଭ, ଝିଅ ରଶ୍ମି, ଦେବେନ୍ଦ୍ରଙ୍କ ପୁଅ ଆଦିତ୍ୟ ଏବଂ ଅରୈୟାର ଗୋହ୍ନିକଲାର ଅବନିଶ ଅଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲ କଲେଜକୁ ପଠାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ