
କେନ୍ଦ୍ରାପଡ଼ା,୨୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଚାଲୁଥିବା ସୁଭଦ୍ରା ଶକ୍ତିମେଳାରେ ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପକ୍ଷରୁ କୃଷି ଯନ୍ତ୍ରପାତି ମେଳା ୨୦୨୫-୨୬ ପ୍ରଦର୍ଶନ କରାଯାଇଛି। ଏଥିରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲ୍ଲିକଙ୍କ ତତ୍ୱାବଧାନରେ ଆୟୋଜିତ ଏହି କୃଷି ଯନ୍ତ୍ରପାତି ମେଳାକୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ୍.ଆର୍.ଆଇ.ଆର୍.ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଦୀର୍ଘ ୫ଦିନ ଧରି ଚାଲୁଥିବା ଏହି କୃଷି ଯନ୍ତ୍ରପାତି ମେଳାକୁ ଜିଲ୍ଲାର ୯ଟି ବ୍ଲକରୁ ଆସୁଥିବା ହଜାର ହଜାର ଚାଷୀମାନେ ଏହି ଯନ୍ତ୍ରପାତିକୁ ଦେଖିବା ସହିତ ଚାଷୀମାନଙ୍କର ବିଭିନ୍ନ ଯୋଜନା ବିଷୟରେ ଅବଗତ ହୋଇଛନ୍ତି। ଏହି ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀମାନଙ୍କୁ ରାଜ୍ୟ ଓ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା। ଏହି କୃଷି ଯନ୍ତ୍ରପାତି ମେଳାକୁ ଶନିବାର ଉଦ୍ଯାପିତ ହୋଇଥିବା ଜଣାପଡ଼ିଛି। ଏଥିସହିତ କେନ୍ଦ୍ରାପଡ଼ାରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାରେ ସଙ୍ଗୀତ ଓ ହାସ୍ୟର ରଙ୍ଗରେ ରଙ୍ଗିନ ହୋଇଯାଇଥିଲା। ପ୍ରସିଦ୍ଧ ଗାୟକ ସତ୍ୟଜିତ ଜେନାଙ୍କ ସୁମଧୁର ସଙ୍ଗୀତ ପ୍ରଦର୍ଶନ ସହ କମେଡି ସର୍କସ ଟିମ୍ର ଦମଦାର ହାସ୍ୟ ଉପସ୍ଥାପନା ଦର୍ଶକମାନଙ୍କୁ ମତୁଆଲ କରିଥିଲା। ଏହି ସନ୍ଧ୍ୟାର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ମହିଳା କମିଶନ ସଦସ୍ୟା ଡ଼. କଳ୍ପନା ମଲ୍ଲିକ ଯୋଗ ଦେଇଥିଲେ। ସେ ମହିଳା ସଶକ୍ତିକରଣର ଆବଶ୍ୟକତା ଉପରେ ଜୋର୍ ଦେଇ ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କ ଆତ୍ମ ନିର୍ଭରତାକୁ ପ୍ରଶଂସା କରିଥିଲେ। ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ସୁଷମା ମହାନ୍ତି ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ଉପସ୍ଥିତ ଥିଲେ। ଏହାସହିତ “ଲକ୍ଷପତି ଦିଦି” ପ୍ରୟାସ ଅଧିନରେ ମାର୍ଶାଘାଇ ବ୍ଲକର ମହାବୀର ଉତ୍ପାଦକ ଗୋଷ୍ଠୀର ସୁଜାତା ଦାସ(ଆଚାର ପ୍ରସ୍ତୁତି) ଓ ମହାକାଳପଡ଼ା ବ୍ଲକର ମହିମା ଅଲେଖ ସ୍ୱୟଂ ସହାୟକ ଗୋଷ୍ଠୀର ଶ୍ରେୟା ପାଣି(ସିଲାଇ ୟୁନିଟ୍) ତାଙ୍କ ସଫଳତା କାହାଣୀ ଉପସ୍ଥାପନ କରିଥିଲେ, ଯାହା ଅନ୍ୟାନ୍ୟ ମହିଳାଙ୍କୁ ପ୍ରେରିତ କରିଥିଲା। ମେଳାରେ ଦର୍ଶକମାନଙ୍କର ବିପୁଳ ଭିଡ଼ ଦେଖାଯାଇଥିଲା ଏବଂ ସମଗ୍ର ପରିବେଶ ଉତ୍ସବ ମୁଖର ହୋଇଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ରବି