
ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)-'ଅନ୍ତ୍ୟୋଦୟ ଗୃହ
ଯୋଜନା'ର ବର୍ଷେ ପୂର୍ତ୍ତି ଅବସରରେ ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଆଜି ଆମ ସମସ୍ତଙ୍କ ପାଇଁ ଏକ ଗୌରବର ଦିନ। ଆମ ସରକାରର ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା 'ଅନ୍ତ୍ୟୋଦୟ ଗୃହ
ଯୋଜନା' ସଫଳତାର ସହ ଏକ ବର୍ଷ ପୂରଣ କରିଛି। ଠିକ୍ ବର୍ଷେ ତଳେ କଳାହାଣ୍ଡି
ମାଟିରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଓଡ଼ିଶାର କୋଣ ଅନୁକୋଣରେ ଆର୍ଥିକ ଅନଗ୍ରସର ଓ ଅସହାୟ
ପରିବାରଙ୍କ ପାଇଁ ନୂତନ ଆଶାର ଆଲୋକ ସାଜିଛି। 'ଅନ୍ତ୍ୟୋଦୟ'ର ପ୍ରକୃତ ଅର୍ଥ
ହେଉଛି ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କର ଉତ୍ଥାନ, ଏବଂ ଆମ ସରକାର ଏହି
ମୂଳମନ୍ତ୍ରକୁ ପାଥେୟ କରି ଆଶ୍ରୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ଯେଉଁ ପରିବାରମାନେ ବର୍ଷ
ବର୍ଷ ଧରି ପକ୍କାଘରଟିଏ ପାଇବାରୁ ବଞ୍ଚିତ ଥିଲେ, ବିଶେଷ କରି ଆର୍ଥିକ ଅନଗ୍ରସର, ଭିନ୍ନକ୍ଷମ
ଭାଇଭଉଣୀ, ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତି ଏବଂ ପ୍ରାକୃତିକ ବିପର୍ଯ୍ୟୟରେ
ସର୍ବସ୍ୱ ହରାଇଥିବା ପରିବାରଙ୍କୁ ପକ୍କାଘର ଯୋଗାଇଦେବାକୁ ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ତାହା ଆଜି ଅଗଣିତ
ପରିବାରର ମୁହଁରେ ହସ ଫୁଟାଇପାରିଛି। ଲୋକଙ୍କ ସରକାରରେ ଲୋକଙ୍କ ସ୍ୱପ୍ନ ସାକାର
ହେଉଛି - ଏହି ସଂକଳ୍ପ ସହ 'ଅନ୍ତ୍ୟୋଦୟ ଗୃହ ଯୋଜନା' ମାଧ୍ୟମରେ ମିଳୁଥିବା
ପ୍ରତିଟି ପକ୍କାଘର କେବଳ ଏକ ଘର ନୁହେଁ, ବରଂ ଏହା ସହିତ
ଯୋଡ଼ି ହୋଇଛି ଅଗଣିତ ଭରସା, ବିଶ୍ୱାସ ଓ ନୂଆ ଆଶା। ଏହି ଅବସରରେ ସମସ୍ତ
ହିତାଧିକାରୀଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା