
ପଶ୍ଚିମବଙ୍ଗରେ
କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର
ବିରୋଧୀ ଦଳ ନେତା ଶୁଭେନ୍ଦୁ
ଅଧିକାରୀଙ୍କ ନାମାଙ୍କନ ପୂର୍ବରୁ ଆୟୋଜିତ ବିଶାଳ ଜନସଭାକୁ କଲେ ସମ୍ବୋଧିତ
କାନ୍ଥି ଲୋକସଭା କ୍ଷେତ୍ରର
ପ୍ରବାସୀ କାର୍ଯ୍ୟକର୍ତ୍ତାଙ୍କ ସହ ଆୟୋଜିତ ବୈଠକରେ ଯୋଗଦେଲେ
ଯୁବକମାନେ ବେରୋଜଗାର, ମହିଳାଙ୍କ ସୁରକ୍ଷା ବିପନ୍ନ ହୋଇଛି
ଟିଏମସି ସରକାରରେ ଚାଷୀମାନେ
ନିଜର ହକ୍ ପାଇଁ ସଂଘର୍ଷ କରିବା ଦୁଃଖର ବିଷୟ
ବିଜେପି ସରକାରରେ
ଦୁର୍ନୀତିମୁକ୍ତ ହେବ ପଶ୍ଚିମବଙ୍ଗ
କୋଲକାତା/ହଳଦିଆ, ମାର୍ଚ୍ଚ ୩୦(ହି.ସ) -
ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ବିଜେପିର ପ୍ରସ୍ତୁତି ଜୋରଦାର ଚାଲିଥିବା
ବେଳେ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କାନ୍ଥି ଓ ହଳଦିଆ ଗସ୍ତ କରି
ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି
।
ହଳଦିଆ ଠାରେ ପଶ୍ଚିମବଙ୍ଗ
ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନାମାଙ୍କନ ପୂର୍ବରୁ ଆୟୋଜିତ ବିଶାଳ
ଜନସଭାକୁ ସମ୍ବୋଧିତ କରିଥିଲେ ଶ୍ରୀ ପ୍ରଧାନ । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ସରକାରକୁ
କଡ଼ା ସମାଲୋଚନା କରି ସେ କହିଛନ୍ତି, ରାଜ୍ୟରେ ଯୁବକମାନେ
ବେରୋଜଗାର, ମହିଳାଙ୍କ ସୁରକ୍ଷା ବିପନ୍ନ ଏବଂ କୃଷକମାନେ ସେମାନଙ୍କ ହକ୍ ପାଇଁ
ସଂଘର୍ଷ କରୁଛନ୍ତି । ଟିଏମସି ପାଖରେ ଜନତାଙ୍କୁ କହିବା ପାଇଁ କୌଣସି ବିକାଶମୂଳକ ମୁଦ୍ଦା ନାହିଁ
। ନନ୍ଦୀଗ୍ରାମ ପରିବର୍ତ୍ତନର ପ୍ରତୀକ ଏବଂ ଏଥର ମଧ୍ୟ ଏହି ମାଟି ଇତିହାସ ରଚିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ 'ସବକା
ସାଥ୍, ସବକା ବିକାଶ'ର
ସଂକଳ୍ପ ବଙ୍ଗଳା ମାଟିରେ ସାକାର ହେବ । ବିଜେପି ସରକାରରେ ପଶ୍ଚିମବଙ୍ଗ ଦୁର୍ନୀତିମୁକ୍ତ ହେବ ।
ପରିବର୍ତ୍ତନର ସଂକଳ୍ପ ଏବେ ଜନସାଧାରଣଙ୍କ ସ୍ୱର ହୋଇଥିବା ବେଳେ ବଙ୍ଗଳାର ବିକାଶ ପାଇଁ 'ଡବଲ୍ ଇଞ୍ଜିନ' ସରକାରର
ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହା ପୂର୍ବରୁ କାନ୍ଥି
ଲୋକସଭା କ୍ଷେତ୍ରର ପ୍ରବାସୀ କାର୍ଯ୍ୟକର୍ତ୍ତାଙ୍କ ସହ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ
ସାମିଲ ହୋଇଥିଲେ ଶ୍ରୀ ପ୍ରଧାନ । ଏହି ଅବସରରେ ସେ କହିଛନ୍ତି, ନିର୍ବାଚନ
ଜିତିବା ପାଇଁ ବୁଥ୍ ସ୍ତରରେ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ପରାମର୍ଶ ଦିଆଯାଇଛି ।
ସରକାରଙ୍କ ବିଫଳତା ଓ କେନ୍ଦ୍ରର ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ
କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି । ବୈଠକରେ ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ଶ୍ରୀ
ଜେ.ପି.ଏସ୍ ରାଠୋର ଏବଂ କାନ୍ଥି ସାଂସଦ ଶ୍ରୀ ସୌମେନ୍ଦୁ ଅଧିକାରୀ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା