
କେନ୍ଦୁଝର, ୫ ମାର୍ଚ୍ଚ (ହି.ସ.)- ଖାଦ୍ୟ ଅନ୍ୱେଷଣରେ ଆସି କୂଅରେ ପଡିଗଲା ଦନ୍ତାହାତୀ । ୬ ଘଣ୍ଟାର କଷ୍ଟସାଧ୍ୟ ଅପରେସନ୍ ପରେ କୂଅରୁ ହାତୀ ଉଦ୍ଧାର ହୋଇଛି ।
ପ୍ରକାଶ ଯେ, କେନ୍ଦୁଝର ସଦର ରେଞ୍ଜ ବନାଯୋଡ଼ି ଗାଁର ଏକ କୂଅରେ ଖାଦ୍ୟ ପାଇଁ ଆସି ପଡ଼ିଯାଇଥିଲା ହାତୀ । ଗତକାଲି ବିଳମ୍ବିତ ରାତିରେ ୩ଟି ଦନ୍ତାହାତୀ ବନାଯୋଡ଼ି ଗାଁ ଆଡେ ଆସିଥିବା ବେଳେ, ଗାଁର ହୃଷି ନାଏକଙ୍କ କୂଅର ଗୋଟିଏ ଦନ୍ତାହାତୀ ଖସି ପଡ଼ିଥିଲା । ହାତୀ ପଡ଼ିଯିବା ପରେ ଗର୍ଜନ କରିବାରୁ ହୃଷି ବନ କର୍ମଚାରୀଙ୍କୁ ଖବର ଦେଇଥିଲେ। ବନ କର୍ମଚାରୀ ଖବର ପାଇ ହାତୀଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏକ ଜେସିବି ମେସିନ୍ ସାହାଯ୍ୟରେ କୁଅକୁ ତାଡ଼ି ଏକ ରାସ୍ତା ତିଆରି କରିଥିଲେ । କୂଅଟି ଗଭୀର ଥିବାରୁ ୧୦ ଫୁଟ ଗାତ କରି ପ୍ରଥମେ ସେଠାରେ ଏକ ରାସ୍ତା ତିଆରି କରି ଦମକଳ ବାହିନୀ ସହାୟତାରେ ୮୦ ମିଟର ଦୂରରୁ ପାଣି ଆଣି କୂଅରେ ଭର୍ତ୍ତି କରାଯାଇଥିଲା । ପାଣି ଭର୍ତ୍ତି ହେବା ପରେ ହାତୀଟି କୂଅରୁ ବାହାରି ଜଙ୍ଗଲ ମୁହାଁ ହୋଇଥିଲା । ଯିବା ବାଟରେ ଉତ୍ୟକ୍ତ ହାତୀ ଗୋଟିଏ ବାଇକ୍ ଭାଙ୍ଗି ଦେଇଥିଲା । ଏହି ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ସହ ଅନ୍ୟ ଜଣେ ପଡ଼ି ଆହତ ହୋଇଛନ୍ତି । ସେମାନଙ୍କୁ ବନ ବିଭାଗ ଦ୍ୱାରା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଉଦ୍ଧାର ହାତୀ ଏବେ ଉତ୍ୟକ୍ତ ଥିବାରୁ, ତା'ର ଗତିବିଧି ଉପରେ ବନ ବିଭାଗ ନଜର ରଖିଛି l
ଏହି ଆକ୍ରମଣ ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ମାନେ କ୍ଷତିପୂରଣ ଦାବୀ କରିଥିଲେ। କୂଅର ମାଲିକ ଏବଂ ଅନ୍ୟମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA