
ପୁରୀ, ୫ ମାର୍ଚ୍ଚ (ହି.ସ.)- ଆଜି ଗୁରୁବାର ଚୈତ୍ର ମାସ କୃଷ୍ଣପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ୨ୟ ଭୋଗମଣ୍ଡପ ପୂଜା - ୦୫.୨୫,୨ୟ ଭୋଗମଣ୍ଡପ ଶେଷ - ୦୫.୩୫, ମଇଲମ - ୦୫.୫୦,ତଡ଼ପଲାଗି - ୦୬.୧୦, ପହୁଡ଼ ଆଳତି - ୦୬.୨୦, ବନକଲାଗିକୁ ଦତ୍ତ ମହାପାତ୍ର ସନ୍ଧ୍ୟା ୬ଟା ୪୦ ମିନିଟ ରେ ପ୍ରବେଶ କରିଥିଲେ | ଦତ୍ତ ମହାପାତ୍ର ସେବକମାନେ ଶ୍ରୀଜୀଉଙ୍କ ଏହି ଗୁପ୍ତ ନୀତି ସେବା କରିଥିଲେ ।
ପ୍ରତିମାସରେ ହାରାହାରି ଦୁଇଥର ଶ୍ରୀଜୀଉମାନଙ୍କର ମୁଖଶ୍ରୀର ପ୍ରସାଧନ (ରଙ୍ଗଲାଗି) ବା ବନକ ଲାଗି ହୋଇଥାଏ । ବନକ ଲାଗି ରୀତି ଦତ୍ତମହାପାତ୍ର’ଗୋଷ୍ଠୀର ସେବକମାନଙ୍କଦ୍ୱାରା କରାଯାଇଥିଲା । ଦି’ପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥିଲା । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ଶ୍ରୀମୁଖସିଂହାର କରିଥିଲେ । ଏହି ନୀତି ସମାପନବେଳେ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିଲା । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ ।କବି ସାଲବେଗ ମହାପ୍ରଭୁଙ୍କ ଶ୍ରୀମୁଖ ଦେଖି ଲେଖିଛନ୍ତି ‘ଝଲମଲ ଦିଶୁଥାଇ ମୁକୁତାର ଝଟକ’ । କୌଣସି ଆଭୂଷଣ ନଥାଇ ମହାପ୍ରଭୁଙ୍କ ମୁଖମଣ୍ଡଳ ଭକ୍ତଙ୍କୁ ଆକର୍ଷିତ କରେ । ଏହି ଆକର୍ଷଣର କାରଣ ମୁହଁର ରଙ୍ଗବିନ୍ୟାସ । ଏହି ରଙ୍ଗବିନ୍ୟାସ ବା ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି । ଏମାନଙ୍କୁ ଦତ୍ତ ମହାପାତ୍ର କୁହାଯାଏ । ଏମାନଙ୍କ କାମ ହେଲା ରଙ୍ଗପ୍ରସ୍ତୁତ କରିବା ଓ ବିଗ୍ରହରେ ଲଗାଇବା । ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହେଉଥିବାରୁ, ବିଧିମତେ ଥରେ ବନକଲାଗି ପାଇଁ ୭ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ । ବଜାରରେ ମିଳୁଥିବା ରଙ୍ଗ ବନକଲାଗିରେ ବ୍ୟବହାର ହୁଏ ନାହିଁ । ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶାଯାଇଥିଲା । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ଦେଖାଯାଏ । ରତ୍ନସିଂହାସନ ଆଗରେ ଯେଉଁ ଭୋଗ ବଢାହୁଏ ତା’ର ଗରମବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଇଥାଏ । କସ୍ତୁରୀ ବ୍ୟବହାର ଯୋଗୁଁ ରଙ୍ଗ ଦୀର୍ଘସ୍ଥାୟୀ ହୁଏ । ମହାସ୍ନାନ ପରେ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ବିଜୟ