
ପୁରୀ, ୧୨ ଏପ୍ରିଲ୍ (ହି.ସ.)- ଓଡ଼ିଆ ପକ୍ଷ ପାଳନର ଦ୍ଵାଦଶ ଦିବସ ଅବସରରେ ଜିଲ୍ଲା ପ୍ରଶାସନ(ଜିଲ୍ଲା ସଂସ୍କୃତି ପରିଷଦ), ପୁରୀ ଓ ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ଓଡିଶା, ପୁରୀଙ୍କ ସହଭାଗୀତାରେ ୟୁଥ ହଷ୍ଟେଲ ପରିସରରେ ବନ୍ଦନୀୟ ବରପୁତ୍ର ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରଥମ ନିର୍ଦେଶକ ଡକ୍ଟର କୈଳାଶ ଚନ୍ଦ୍ର ଟିକାୟତରାୟ ଯୋଗଦେଇଥିଲେ l ସେ କହିଥିଲେ ଯେ, ଆମ ଭାଷା, ସାହିତ୍ୟ, ସଂସ୍କୃତି ଯେତିକି ମହାନ ଓ ସମୃଦ୍ଧ ଏହାକୁ ଗୌରବ କରିବାରେ ଆମ ବରପୁତ୍ର ମାନଙ୍କ ଅବଦାନ ଅବିସ୍ମରଣୀୟ l ଆମ ଭାଷାକୁ ସମୃଦ୍ଧ କରିବାରେ ରୀତି ଯୁଗର ପଞ୍ଚସଖା ଓ ସତ୍ୟବାଦୀର ପଞ୍ଚସଖାଙ୍କ ଅବଦାନ ଚିର ସ୍ମରଣୀୟ। ସେମାନଙ୍କ ମହାନ ଜାତି ପ୍ରେମ ଓ ଭାଷା ପ୍ରିତିର ସୁଫଳ ଆମେ ଉପଭୋଗ କରୁଛେ । ବର୍ତ୍ତମାନ ସମୟ ଏକ ଘଡି ସନ୍ଧିର ସମୟ। ବର୍ତ୍ତମାନ ଯୁବବର୍ଗଙ୍କୁ ଆମ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଅବଗତ କରାଇବା ସହ ଆମ ଭାଷା ସାହିତ୍ୟକୁ ସେମାନଙ୍କ ମାଧ୍ୟମରେ ଆଗକୁ ନେବାପାଇଁ ବ୍ୟବସ୍ଥା ସମ୍ପର୍କରେ ସେ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରତିଭା ବୀରେନ୍ଦ୍ର ମହାନ୍ତି, ସମ୍ମାନିତ ଅତିଥି ଭାବେ ଅଧିବକ୍ତା ବିନୟ ନୃସିଂହ ମହାପାତ୍ର, ଅଧିବକ୍ତା ରଚିତା ରାଉତରା, ପ୍ରାକ୍ତନ ଯୋଗାଣ ଅଧିକାରୀ ସନ୍ତୋଷ କୁମାର ମହାନ୍ତି, ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ, ଟ୍ରଷ୍ଟର ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷା ଏକ ଚମତ୍କାର ଭାଷା। ଏହାର ସୁରକ୍ଷା, ପ୍ରଚାର ପ୍ରସାର ଓ ବ୍ୟାପକ ବ୍ୟବହାର ଆମ ସମସ୍ତଙ୍କ ଧେୟ ହେବା ଉଚିତ ବୋଲି କହିଥିଲେ l
ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ବିପିନ ବିହାରୀ ଦଳାଇ l ଆୟୋଜିତ ଆଲୋଚନାଚକ୍ରରେ ଡକ୍ଟର ହେମନ୍ତ ଛୋଟରାୟ, ଶିକ୍ଷାବିତ୍ ବିଜୟ ଲକ୍ଷ୍ମୀ ଦାଶ, ପ୍ରଫେସର କାର୍ତ୍ତିକ କୁମାର ଦାସ, ସଦାଶିବ ମିଶ୍ର, ଦେବେନ ଦାଶ, ବିଜୟ କୁମାର ପଣ୍ଡା, ବିଶ୍ୱବନ୍ଧୁ ଦାସ, ସୁବ୍ରତ ଜେନା, ଐଶ୍ଚର୍ଯ୍ୟ ଦାଶ, ଯୋଗେଶ୍ୱର ପ୍ରହରାଜ, ଶୁଭଶ୍ରୀ ମହାପାତ୍ର, ଦାମୋଦର ମହାନ୍ତି, ସୁରେଶ ପଟ୍ଟନାୟକ, ଅନନ୍ତ ପ୍ରଧାନ, ମିନତୀ ମିଶ୍ର, ପ୍ରଭାସିନୀ ମିଶ୍ର, ମିନତୀ ପଟ୍ଟନାୟକ, ରଶ୍ମିତା ଦାସ ମହାପାତ୍ର, ମନସ୍ବିନୀ ବେହେରା, ସନ୍ତୋଷିନୀ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ପରିଶେଷରେ ସନ୍ଦୀପ କର୍ମକାର ଧନ୍ୟବାଦ ଅର୍ପଣ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ବିଜୟ