
ଜୟପୁର 15 ଏପ୍ରିଲ୍ (ହି.ସ.)
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୩୬ତମ ଆମ୍ବେଦକର ଜୟନ୍ତୀ ବୌଦ୍ଧିକ ଉତ୍ସାହ ଓ ସଂବିଧାନିକ ମୂଲ୍ୟପ୍ରତି ପ୍ରତିବଦ୍ଧତା ସହ ପାଳିତ ହୋଇଥିବା ନେଇ ବୁଧବାର ସୂଚନା ଦିଆଯାଇଛି l
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ), କୋରାପୁଟ ମୁଖ୍ୟ କ୍ୟାମ୍ପସ ସୁନାବେଡାର ସେମିନାର ହଲ୍ରେ ୧୪ ଏପ୍ରିଲ ୨୦୨୬ ତାରିଖରେ ଭାରତ ରତ୍ନ ଡ଼. ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୬ତମ ଜନ୍ମଜୟନ୍ତୀକୁ ଅତ୍ୟନ୍ତ ଶ୍ରଦ୍ଧା, ଶିକ୍ଷାଗତ ଉତ୍ସାହ ଓ ପ୍ରତିଷ୍ଠାନଗତ ଗୌରବ ସହିତ ପାଳିତ ହୋଇଯାଇଛି । ଏହି ଅବସରରେ ଭାରତୀୟ ସଂବିଧାନର ପ୍ରଣେତା ଏବଂ ସାମାଜିକ ନ୍ୟାୟ, ସମାନତା ଓ ମାନବିକ ମର୍ଯ୍ୟାଦାର ମହାନ ପ୍ରବକ୍ତା ଡ଼. ବି.ଆର୍. ଆମ୍ବେଦକରଙ୍କ ଛବିରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା।
ସ୍ୱାଗତ ଭାଷଣରେ ଅର୍ଥନୀତି ବିଭାଗର ସହ ପ୍ରାଧ୍ୟାପକ ଏବଂ କାର୍ଯ୍ୟକ୍ରମର ସଂଯୋଜକ ଡ଼. ପ୍ରଶାନ୍ତ କୁମାର ବେହେରା ମାନ୍ୟବର ଅତିଥିମାନେ ଓ ଅଂଶଗ୍ରାହୀମାନଙ୍କୁ ସ୍ୱାଗତ ଜଣାଇଥିଲେ। ସେ ଡ଼. ଆମ୍ବେଦକରଙ୍କ ଜୀବନ, ସଂଘର୍ଷ ଓ ବହୁମୁଖୀ ଅବଦାନ ଉପରେ ସଂକ୍ଷିପ୍ତ ଆଲୋକପାତ କରି ତାଙ୍କୁ ଜଣେ ମହାନ ସମାଜ ସଂସ୍କାରକ, ଅର୍ଥନୀତିବିଦ୍, ଆଇନ ପ୍ରଣେତା ଏବଂ ରାଷ୍ଟ୍ର ନିର୍ମାତା ଭାବେ ବର୍ଣ୍ଣନା କରିଥିଲେ। ସେ ଆଧୁନିକ ଭାରତରେ ସମାବେଶୀ ବିକାଶ ଓ ସାମାଜିକ ସମତା ସୁନିଶ୍ଚିତ କରିବାରେ ଆମ୍ବେଦକରଙ୍କ ଚିନ୍ତାଧାରାର ପ୍ରାସଙ୍ଗିକତା ଉପରେ ଜୋର ଦେଇଥିଲେ।
ମୁଖ୍ୟ ଅତିଥି ଓ ସିୟୁଓର ମାନ୍ୟବର ଭାରପ୍ରାପ୍ତ କୁଳପତି ପ୍ରଫେସର (ଡ଼.) ନରସିଂହ ଚରଣ ପଣ୍ଡା ତାଙ୍କ ପ୍ରେରଣାଦାୟକ ଓ ଚିନ୍ତନପ୍ରବର୍ତ୍ତକ ଭାଷଣରେ ଆଧୁନିକ ଭାରତ ଗଢ଼ିବାରେ ଡ଼. ଆମ୍ବେଦକରଙ୍କ ଅସାଧାରଣ ଅବଦାନ ବିଷୟରେ ଆଲୋଚନା କରିଥିଲେ। ସେ ତାଙ୍କର ବୌଦ୍ଧିକ ପ୍ରତିଭା, ସଂବିଧାନିକ ଦୃଷ୍ଟିକୋଣ ଓ ପଛୁଆ ଶ୍ରେଣୀଙ୍କ ଉନ୍ନତି ପ୍ରତି ଅଟୁଟ ସମର୍ପଣକୁ ଉଲ୍ଲେଖ କରିଥିଲେ। ସେ ଶିକ୍ଷାକୁ ପରିବର୍ତ୍ତନର ଶକ୍ତିଶାଳୀ ମାଧ୍ୟମ ବୋଲି କହି ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱ ଭଳି ସଂବିଧାନିକ ମୂଲ୍ୟଗୁଡ଼ିକୁ ଦୈନିକ ଜୀବନରେ ଅନୁସରଣ କରିବାକୁ ଆହ୍ୱାନ କରିଥିଲେ।
ଏହି ଅବସରରେ ସଂସଦ ଟିଭି, ରାଜ୍ୟସଭା ସଚିବାଳୟ, ନୂଆଦିଲ୍ଲୀର ସଂଯୁକ୍ତ ସଚିବ ଡ଼. ଶୁଭଶ୍ରୀ ପାଣିଗ୍ରାହୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କ ଅଭିଭାଷଣରେ ସେ ଲୋକତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ସୁଦୃଢ କରିବା ଓ ସାମାଜିକ ଦାୟିତ୍ୱ ବଢ଼ାଇବାରେ ଡ଼. ଆମ୍ବେଦକରଙ୍କ ଦୃଷ୍ଟିକୋଣର ପ୍ରସଙ୍ଗିକତା ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ ଲୋକତନ୍ତ୍ରର ସାର୍ଥକତା କେବଳ ସଂବିଧାନିକ ବ୍ୟବସ୍ଥାରେ ନୁହେଁ, ବରଂ ସକ୍ରିୟ ନାଗରିକ ଅଂଶଗ୍ରହଣ, ନୈତିକ ଦାୟିତ୍ୱ ଓ ଏକତାର ଭାବନାରେ ନିର୍ଭର କରେ। ସେ ଶିକ୍ଷା ସମୁଦାୟକୁ ସମାବେଶୀତା, ସମନ୍ୱୟ ଓ ସମୂହ ଉନ୍ନତିର ମୂଲ୍ୟଗୁଡ଼ିକୁ ଅନୁସରଣ କରିବାକୁ ଆହ୍ୱାନ କରିଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଉଚ୍ଚ ଶିକ୍ଷା ବିଭାଗ, ନୂଆଦିଲ୍ଲୀର ପରାମର୍ଶଦାତା ଡ଼. ରାଘବ ଦାଶଙ୍କ ବିଶେଷ ବ୍ୟାଖ୍ୟାନ। ସେ ‘ସଂବିଧାନିକ ନୈତିକତା’ର ଧାରଣା ଏବଂ ଏକ ସୁସ୍ଥ ଲୋକତନ୍ତ୍ର ପାଇଁ ଏହାର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ। ଡ଼. ଆମ୍ବେଦକରଙ୍କ “ଶିକ୍ଷିତ ହୁଅ, ସଂଗଠିତ ହୁଅ, ସଂଘର୍ଷ କର” ବାଣୀକୁ ସେ ସାମାଜିକ ପରିବର୍ତ୍ତନର ପଥପ୍ରଦର୍ଶକ ଭାବେ ଉଲ୍ଲେଖ କରିଥିଲେ। ସେ ରାଜ୍ୟର ନୀତିନିର୍ଦ୍ଦେଶକ ତତ୍ତ୍ୱମାନଙ୍କ ପ୍ରସଙ୍ଗିକତାକୁ ଆଧୁନିକ ଅସମାନତା ଓ ମାନବାଧିକାର ପରିପ୍ରେକ୍ଷିତରେ ବ୍ୟାଖ୍ୟା କରିଥିଲେ। ପରବର୍ତ୍ତୀ ଆଲୋଚନା ସତ୍ରରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ସକ୍ରିୟ ଭାଗ ନେଇଥିଲେ, ଯାହା କାର୍ଯ୍ୟକ୍ରମକୁ ଅଧିକ ଜ୍ଞାନବର୍ଦ୍ଧକ କରିଥିଲା।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମୁଖ୍ୟମାନେ, ୱାର୍ଡେନମାନେ, ଅର୍ଥ ଅଧିକାରୀ ଶ୍ରୀ ଦୁର୍ୟୋଧନ ସେଠୀ, ଛାତ୍ର କଳ୍ୟାଣ ଅଧିଷ୍ଠାତା ଡ଼.ରମେନ୍ଦ୍ର କୁମାର ପାଢୀ, ଓ ଲୋକସମ୍ପର୍କ ଅଧିକାରୀ ଡ଼. ଫଗୁନାଥ ଭୋଇଙ୍କ ସମେତ ଅନେକ ସଂକାୟ ସଦସ୍ୟ, ଛାତ୍ରଛାତ୍ରୀ ଓ ଗବେଷକମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ଶେଷରେ ଇଂରାଜୀ ବିଭାଗର ସହାୟକ ପ୍ରାଧ୍ୟାପକ ଏବଂ ସହ-ସଂଯୋଜକ ଡ଼. ନେଶା ସବରଙ୍କ ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
ଲୋକସମ୍ପର୍କ ଅଧିକାରୀ ଡ଼. ଫଗୁନାଥ ଭୋଇ ଜଣେଇଛନ୍ତି ଯେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଡ଼. ବି.ଆର୍. ଆମ୍ବେଦକରଙ୍କ ଆଦର୍ଶ ଓ ଦୃଷ୍ଟିକୋଣ ପ୍ରତି ତାହାର ଅଟୁଟ ପ୍ରତିବଦ୍ଧତାକୁ ପୁନଃ ନିଶ୍ଚିତ କରିଥିଲା ଏବଂ ଏକ ନ୍ୟାୟସଙ୍ଗତ, ସମତାମୂଳକ, ସମାବେଶୀ ଓ ସଂବିଧାନମୂଳକ ଶିକ୍ଷାଗତ ପରିବେଶ ଗଢ଼ିଉଠିବା ପାଇଁ ତାହାର ସଙ୍କଳ୍ପକୁ ଦୃଢ କରିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି