
ଝାରସୁଗୁଡ଼ା, 16 ଏପ୍ରିଲ୍ (ହି.ସ.) ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ 'ଉଦିଆଁ ତାରା' କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତା ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗର୍ତ୍ତିଆ ଜିଲ୍ଲାପାଳଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।
ସମୀକ୍ଷା ସମୟରେ ଅନୁଧ୍ୟାନ କରାଯାଇଥିଲା ଯେ, ଓଡ଼ିଆ ଏବଂ ଗଣିତ ବିଷୟ ତୁଳନାରେ ଇଂରାଜୀ ଭାଷାର ଶିକ୍ଷଣ ଫଳାଫଳରେ ଆଶାନୁରୂପକ ସୁଧାର ହୋଇନାହିଁ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଶିକ୍ଷାବର୍ଷରେ ଇଂରାଜୀ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏହି ପଦକ୍ଷେପକୁ ସଫଳ କରିବା ପାଇଁ ଡି ଆଇ ଆଇ ଟି ପକ୍ଷରୁ ସ୍ୱତନ୍ତ୍ର 'ଇ-କଣ୍ଟେଣ୍ଟ' ପ୍ରସ୍ତୁତ କରାଯିବ। ଏହି ଡିଜିଟାଲ୍ ବିଷୟବସ୍ତୁ ମାଧ୍ୟମରେ ଜିଲ୍ଲାର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯିବ, ଯାହାଫଳରେ ସେମାନଙ୍କର ଇଂରାଜୀ ଭିତ୍ତିକ ଭାଷା ଜ୍ଞାନ ବୃଦ୍ଧି ପାଇପାରିବ।
ଶିକ୍ଷା ସହିତ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ବିଶେଷକରି ବଜ୍ରପାତରୁ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟର ସୁରକ୍ଷା ପାଇଁ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ବଜ୍ରପାତ ନିରୋଧକ ଯନ୍ତ୍ର ସ୍ଥାପନ କରାଯିବ। ଏହି ସମ୍ପର୍କରେ ଏକ ସବିଶେଷ ପ୍ରସ୍ତାବ ତୁରନ୍ତ ଦାଖଲ କରିବାକୁ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଶିକ୍ଷା ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ