ବ୍ରଜରାଜନଗରରେ ଉନ୍ନୟନ କାମର ଗତି ବଢ଼ାଇବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
Ministers review meeting
ବ୍ରଜରାଜନଗରରେ ଉନ୍ନୟନ କାମର ଗତି ବଢ଼ାଇବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ


ଝାରସୁଗୁଡ଼ା,୧୭ ଏପ୍ରିଲ୍ (ହି.ସ.) - ବରଜରାଜନଗର ପୌରପରିଷଦ ଅଂଚଳରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ୨୪୦ଟି ପ୍ରକଳ୍ପକୁ ଆଗାମୀ ୬ ମାସ ମଧ୍ୟରେ ସମାପ୍ତ କରିବାକୁ କଟକଣା ନିର୍ଦ୍ଦେଶ ଦେଇଛନ୍ତି। କାମରେ ଅବହେଳା କରୁଥିବା ଠିକାଦାର ଓ ସଂସ୍ଥାମାନଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ନେବାକୁ ସେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କହିଛନ୍ତି।

ସମୀକ୍ଷା ବୈଠକରେ ସୁପର୍ ମାର୍କେଟ୍, ନଦୀତଟ ସୌନ୍ଦର୍ଯ୍ୟକରଣ, ଚଣ୍ଡୀ ମନ୍ଦିର ପରିସର ବିକାଶ ଓ ପାଠାଗାର ନିର୍ମାଣ ଭଳି ମୁଖ୍ୟ ପ୍ରକଳ୍ପମାନଙ୍କ ଅଗ୍ରଗତି ଆଲୋଚନା ହୋଇଥିଲା। ସେହିପରି କଲ୍ୟାଣ ମଣ୍ଡପ, ଅଡିଟୋରିୟମ୍ ଓ ଅଟଳ ବସ୍ ଷ୍ଟାଣ୍ଡ୍ କାମକୁ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ମିଳିଛି।

ଇବ୍ ନଦୀତଟରେ ପ୍ରସ୍ତାବିତ ରିଂ ରୋଡ୍ ଓ ନଦୀବନ୍ଧ ପ୍ରକଳ୍ପକୁ ତ୍ୱରାନିତ କରିବା ସହ କୁତାବଗା ନିକଟରେ ନୂତନ ପୋଲ ଓ ରାସ୍ତା ନିର୍ମାଣ ପାଇଁ ସର୍ଭେ କାମ ଶୀଘ୍ର ସାରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବ୍ରଜରାଜନଗର ଓ ବେଲପାହାଡ଼ ଅଂଚଳରେ ୨୪ ଘଂଟିଆ ପାଣି ଯୋଗାଣ ସୁନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଜଳାକ୍ଳିଷ୍ଟ ଅଂଚଳରେ ବିଶେଷ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ମିଳିଛି।

୨୦୨୬-୨୭ ଆର୍ôଥକ ବର୍ଷ ପାଇଁ ଲୋକମତ ଆଧାରରେ ଯୋଜନା ପ୍ରସ୍ତୁତ କରିବା ସହ ଶିକ୍ଷା, ଜୀବିକା ଓ ସ୍ଥାନୀୟ ରୋଜଗାରକୁ ପ୍ରାଥମ୍ୟ ଦେବାକୁ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସମସ୍ତ ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ କାମ ମିଳିବାକୁ ଓ ସେମାନେ ଆତ୍ମନିର୍ଭର ହେବାକୁ ସେ ଗୁରୁତ୍ୱ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ଜଳସମ୍ପଦ ବିଭାଗ, ପୌର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସମ୍ମିଳିତ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande