ମହିଳାଙ୍କ ସ୍ୱାଭିମାନ ଓ ସଶକ୍ତିକରଣ ଡବଲ ଇଞ୍ଜିନ ସରକାରର ପ୍ରାଥମିକତା - ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଉତ୍ସବ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତା ସମ୍ବଲପୁର/ଭୁବନେଶ୍ୱର, ୨୧ ଏପ୍ରିଲ (ହି.ସ.)- ସମ୍ବଲପୁର ଧନୁପାଲି ସ୍ଥିତ ଆଦିତ୍ୟ କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳବାର ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ଏକ ମାନବିକ ତଥା ପବିତ୍ର କା
ryjt7


ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଉତ୍ସବ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତା

ସମ୍ବଲପୁର/ଭୁବନେଶ୍ୱର, ୨୧ ଏପ୍ରିଲ (ହି.ସ.)- ସମ୍ବଲପୁର ଧନୁପାଲି ସ୍ଥିତ ଆଦିତ୍ୟ କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳବାର ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ଏକ ମାନବିକ ତଥା ପବିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡ଼ିଓ ବାର୍ତା ମାଧ୍ୟମରେ ନବଦମ୍ପତିଙ୍କୁ ନିଜର ଶୁଭେଚ୍ଛା ଜଣାଇବା ସହ ଏହି ଯୋଜନାକୁ ସରକାରଙ୍କ ସମ୍ବେଦନଶୀଳତାର ପରିଚୟ ବୋଲି ଅଭିହିତ କରିଛନ୍ତି।

ସମ୍ବଲପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ମ୍ୟୁନିସିପାଲିଟି ଅଂଚଳର ୨୨ ଜଣ ନବଦମ୍ପତି ଆଜି ବିବାହ ବନ୍ଧନରେ ବାନ୍ଧି ହୋଇ ଏକ ନୂତନ ଜୀବନ ଆରମ୍ଭ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ବାର୍ତାରେ କହିଛନ୍ତି ଯେ, ଏହା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଆତ୍ମୀୟତା, ଭାବନା ଓ ଦାୟିତ୍ୱବୋଧର ଏକ ଅନନ୍ୟ ନିଦର୍ଶନ । ଏହା ଏକ ସେବାକାରୀ ଶାସନ ବ୍ୟବସ୍ଥାର ପ୍ରମାଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ନାରୀ ସଶକ୍ତିକରଣ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଉଛି । ରାଜ୍ୟରେ 'ସୁଭଦ୍ରା' ଯୋଜନାରୁ ଆରମ୍ଭ କରି 'କନ୍ୟା ବିବାହ ଯୋଜନା' ପର୍ଯ୍ୟନ୍ତ ସମସ୍ତ ପଦକ୍ଷେପ ମହିଳାମାନଙ୍କୁ ସମାଜରେ ସ୍ୱାଭିମାନର ସହ ଆଗକୁ ବଢ଼ିବାରେ ସହାୟକ ହେବ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତ ପରିବାରବର୍ଗଙ୍କୁ ଅଭିନନ୍ଦନ ଜଣାଇବା ସହ କାର୍ଯ୍ୟକ୍ରମର ସଫଳତା କାମନା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପଂଚାୟତିରାଜ, ପାନୀୟ ଜଳ ଏବଂ ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଏବଂ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ, ପରିବାର ସଦସ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande