
ଝାରସୁଗୁଡା, ୨୧ ଏପ୍ରିଲ୍ (ହି.ସ.)- ବେଲପାହାଡ଼ ପୌରପାଳିକାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମ୍ପର୍କରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି l ୨୦୨୪-୨୫,୨୦୨୫-୨୬ ଆର୍ଥିକ ବର୍ଷରେ ଆରମ୍ଭ ହୋଇ ପାରିନଥିବା କାର୍ଯ୍ୟ ସବୁର ପୂର୍ବ କାର୍ଯ୍ୟାଦେଶ ବାତିଲ୍ କରି ନୂଆ ଟେଣ୍ଡର୍ ଆହ୍ଵାନ କରି ୨୦୨୬-୨୭ ବର୍ଷର ବଜେଟରୁ ଅର୍ଥ ବ୍ୟୟ ବ୍ୟବସ୍ଥା କରି ଯଥାଶୀଘ୍ର କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ବିଭିନ୍ନ କାରଣରୁ ଅବହେଳା କରି କାମ ସାରି ନଥିବା ସଂସ୍ଥା ଅଥବା ଠିକାଦାରମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ଆବଶ୍ୟକସ୍ଥଳେ କାର୍ଯ୍ୟାଦେଶ ରଦ୍ଦ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ଖୁବ୍ ଶୀଘ୍ର ଗୃହ ଏବଂ ନଗର ଉନ୍ନୟନ ବିଭାଗର ଏକ ଉଚ୍ଚସ୍ତରୀୟ କମିଟି ବେଲପାହାଡ଼ ପୌରାଞ୍ଚଳ ଗସ୍ତ କରି ଅଟକି ଥିବା ବିଭିନ୍ନ ପ୍ରକଳ୍ପ ସବୁର ସମୀକ୍ଷା କରି ସେ ସମ୍ପର୍କିତ ସମସ୍ୟାସବୁ ବାବଦରେ ଅବଗତ ହେବା ସହ ତୁରନ୍ତ ସମାଧାନ ସହ ପ୍ରକଳ୍ପ କାର୍ଯ୍ୟ ସୁନିଶ୍ଚିତ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି l
ବିଭିନ୍ନ ବଡ଼ ପ୍ରକଳ୍ପ ମଧ୍ୟରେ ମାର୍କେଟ୍ କମ୍ପ୍ଲେକ୍ସ୍, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ସହରାଞ୍ଚଳ ବାସହୀନ ଲୋକଙ୍କ ପାଇଁ ଆଶ୍ରୟସ୍ଥଳୀ, ଗେଷ୍ଟ୍ ହାଉସ୍, ଶନିବାରିଆ ବଜାର୍, ପାଥ୍ ୱେ ଆଦିର ସ୍ଥିତି ସମ୍ପର୍କରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା l ଆଗାମୀ ୬ ମାସ ଭିତରେ ସମସ୍ତ ପ୍ରକଳ୍ପ ସମାପ୍ତ କରିବା ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ଏହି ପରିପ୍ରେକ୍ଷୀରେ ଟେଣ୍ଡର୍ ସମୟରୁ ହିଁ ପୂର୍ବରୁ କାର୍ଯ୍ୟ ଯୋଜନା ବା ୱାର୍କ୍ ପ୍ଲାନ୍ ନିର୍ଦ୍ଧାରଣ କରି ତଦନୁସାରେ ନିର୍ଦ୍ଦିଷ୍ଟ ଦିନ ସୁଦ୍ଧା ନିର୍ଦ୍ଧାରିତ କାମ କରିବାକୁ ଠିକାଦାରମାନଙ୍କୁ ତାଗିଦ୍ କରିବାକୁ ମାନ୍ୟବର ମନ୍ତ୍ରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ସମୀକ୍ଷା କରିବା ସହ ଆବଶ୍ୟକସ୍ଥଳେ ଟ୍ଯାଙ୍କର୍ ଯୋଗେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି l ଝାରସୁଗୁଡ଼ା ଅଞ୍ଚଳରେ ଫ୍ଲାଏ ଆଶ୍ ପକାଉଥିବା ଟ୍ରକମାନଙ୍କୁ ତାଗିଦ୍ କରି କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଏସପି ଏବଂ ଆଇଆଇସିଙ୍କୁ ମନ୍ତ୍ରୀ ଫୋନ୍ ଯୋଗେ ନିର୍ଦ୍ଦେଶ ଦେଇଛନ୍ତି l ବେଲପାହାଡ଼ ପୌରାଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ସେସବୁର ସମାଧାନ ପାଇଁ ମନ୍ତ୍ରୀ ବୈଠକରେ ସୁବିସ୍ତୃତ ଆଲୋଚନା କରିଥିଲେ l ସରକାରଙ୍କ ତରଫରୁ ଯୋଗାଇଦିଆଯାଇଥିବା ଅର୍ଥ, ଅର୍ଥ କମିଶନଙ୍କ ଦ୍ଵାରା ପ୍ରଦତ୍ତ ଅର୍ଥ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ପାଣ୍ଠି ଏବଂ ସିଏସଆର୍ ପାଣ୍ଠି ଅଧୀନରେ ଚାଲିଥିବା ପ୍ରକଳ୍ପ ସବୁର ସମୀକ୍ଷା କରାଯାଇଥିଲା l ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ପ୍ରସ୍ତାବିତ ପ୍ରକଳ୍ପ ସବୁକୁ ତ୍ୱରାନ୍ୱିତ କରିବା ସହ ସେଥିନିମନ୍ତେ ବ୍ୟୟ ହେବାକୁଥିବା ପାଣ୍ଠିର ଶତପ୍ରତିଶତ ସଦୁପଯୋଗ କରିବା ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ l
ବୈଠକରେ ରାଜସ୍ୱ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରଦୀପ କୁମାର ସାହୁ, ବେଲପାହାଡ଼ ପୌରପାଳିକାର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ, ସହକାରୀ ଯନ୍ତ୍ରୀ, ଅନ୍ୟାନ୍ୟ ଜନପ୍ରତିନିଧି ତଥା ଅଧିକାରୀମାନେ ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ