
ଜୟପୁର, ୨୧ ଏପ୍ରିଲ୍ (ହି.ସ.)- ଜୟପୁର ଶ୍ରମିକ କର୍ମଚାରୀ ଭବନ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ, ବିଶିଷ୍ଟ ମାର୍କ୍ସବାଦୀ ତତ୍ତ୍ୱବିଦ୍ ଓ ଜନନେତା ଦିବଙ୍ଗତ ଦିବାକର ନାୟକଙ୍କ ପ୍ରଥମ ବାର୍ଷିକ ସ୍ମୃତି ସଭା ସିପିଆଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ପ୍ରମୋଦ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଶତାୟୁ କମ୍ୟୁନିଷ୍ଟ ନେତା ଦିବାକର ନାୟକ ଛାତ୍ର ଜୀବନରୁ କମ୍ୟୁନିଷ୍ଟ ପାର୍ଟିର ସଦାବେଳିଆ କର୍ମୀ ଭାବେ ରାଜ୍ୟ ଦପ୍ତର ଭଗବତୀ ଭବନରେ କାର୍ଯ୍ୟ କଲା ବେଳେ ପାର୍ଟିର ମୁଖପତ୍ର ନୂଆ ଦୁନିଆ ର ସମ୍ପାଦକ ଦୀର୍ଘ ଦିନ ଧରି ରହିଥିଲେ । ଜଣେ ବିଶିଷ୍ଟ ମାର୍କ୍ସବାଦୀ ତତ୍ତ୍ୱବିଦ୍ ଓ ସୁବକ୍ତା ଭାବରେ ରାଜ୍ୟରେ ପରିଚିତ । ରାଜ୍ୟର ସ୍ୱାର୍ଥକୁ ବଳି ଦେଇ ବର୍ତ୍ତମାନର ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ କମ୍ପାନୀକୁ ରାଜ୍ୟ ସରକାର ଅହେତୁକ ଅନୁକମ୍ପା ଦେଖାଇ ହଜାର ହଜାର କୋଟି ଟଙ୍କା ବିଦ୍ୟୁତ୍ ଦେୟ ଛାଡ଼ କରିଥିବାରୁ ଶ୍ରୀ ପଣ୍ଡା ଦିବାକର ନାୟକଙ୍କ ବିରୋଧରେ ମାନହାନି ମାମଲା ଓଡ଼ିଶା ଉଚ୍ଚନ୍ୟାୟାଳୟରେ ଦାଖଲ କରିଥିଲେ । ସଠିକ୍ ପ୍ରମାଣ ଏବଂ ଯୁକ୍ତି ବଳରେ କମ୍ୟୁନିଷ୍ଟ ନେତା ନିଜ ଅଭିଯୋଗର ସତ୍ୟତା ପ୍ରମାଣିତ କରି ମାନହାନି ମୋକଦ୍ଦମାକୁ ନିରସ୍ତ୍ର କରିବାରେ ସଫଳ ହୋଇଥିଲେ । ଜୟପୁର ଠାରେ ୨୦୧୫ ମସିହାରେ ନଭେମ୍ବର ୧୪,୧୫,୧୬ ପାର୍ଟିର ତିନି ଦିନିଆ କର୍ମଶାଳାରେ ଯୋଗଦେଇଥିଲେ । ଅନେକ ଜନ ଆନ୍ଦୋଳନର ନେତୃତ୍ୱ ନେଇ କମ୍ୟୁନିଷ୍ଟ ପାର୍ଟିର କର୍ମୀ ମାନଙ୍କ ମହଲରେ ଜଣେ ଆଦର୍ଶବାଦୀ ନେତା ଭାବେ ହୃଦୟର ସହ ଗୃହୀତ ବୋଲି ଶ୍ରୀ ପ୍ରମୋଦ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।
ଆଜିର ସଭାରେ ସିପିଆଇ ଜିଲ୍ଲା ସମ୍ପାଦକ ରାମକୃଷ୍ଣ ଦାସ, ବରିଷ୍ଠ ସିପିଆଇ ନେତା ଯୁଧିଷ୍ଠିର ରାଉଳ, ଶ୍ରମିକ ନେତା ଭୁବନ କମାର , ଛାତ୍ର ନେତା ଭୀଷ୍ମ ନାୟକ ପ୍ରମୁଖ ଯୋଗଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି